Unknown

 

 

 

 

 

 

 

 

 

 

 

 

ଭୌତିକ ବୋତଲ

ଅନୁବାଦକ : ବାବା ବୈଦ୍ୟନାଥ ପାଢ଼ୀ

 

ଏକ

 

ଦୂର ସମୁଦ୍ର କୂଳରୁ ଅପଲକ ଦୃଷ୍ଟିରେ ଚାହିଁ ରହିଛି ହାୱାଇ ଦ୍ଵୀପ ଆକାଶର ଶୂନ୍ୟତା ଆଡ଼କୁ । ବୁକୁରେ ତାହାର ବନାନୀର ସବୁଜିମା, ଚକ୍ଷୁରେ ତାହାର ଆକାଶର ନୀଳ ସ୍ଵପ୍ନ । ଏହି ଦ୍ୱୀପର ନାରିକେଳ ବନରେ ବାଜିଉଠୁଛି ଲକ୍ଷ ଲକ୍ଷ ପତ୍ରର କରତାଳି ବାଧାହୀନ ଚଞ୍ଚଳ ବତାସରେ-। ଆଉ ସୁଦୂର ଆକାଶର ଆହୁରି ସୁଦୂର ସୀମାନ୍ତରୁ ଭାସିଆସୁଛି ସମୁଦ୍ରର ଡାକ ।

 

ସେହି ହାୱାଇ ଦ୍ୱୀପରେ ବାସ କରୁଥିଲା ସେ । ଧରାଯାଉ ତାର ନାମ କିଉୟୀ । ଅସଲ ନାମଟି ଗୋପନ ରଖାଯାଇଛି; କାରଣ ବର୍ତ୍ତମାନ ସୁଦ୍ଧା ସେ ଜୀବିତ ।

 

କିଉୟୀ ଯେଉଁଠି ଜନ୍ମ ଗ୍ରହଣ କରିଥିଲା, ସେହି ସ୍ଥାନଟି ହାନାୟୁନାଭଠାରୁ ଖୁବ୍ ବେଶି ଦୂର ନୁହେଁ । ସେ ଥିଲା ଗରିବ । ଯେଉଁ ଦିନ ଯାହା ରୋଜଗାର କରୁଥିଲା, ତାହା ସେ ଦିନର ଖର୍ଚ୍ଚ ପାଇଁ ମଧ୍ୟ ନିଅଣ୍ଟ ହେଉଥିଲା ତାହାର । ଶରୀରରେ ତା’ର ଥିଲା ଅକଳନ ଶକ୍ତି । ତା’ପରି ସାହସୀ ଏବଂ କର୍ମଠ ଆଉ କେହି ନଥିଲେ କହିଲେ ଅତ୍ୟୁକ୍ତି ହେବନି । ଅମାବାସ୍ୟା ରାତ୍ରିର ନିସ୍ତବ୍ଧ ପ୍ରହରର ଘନ ଅନ୍ଧକାରରେ ହାୱାଇ ଦ୍ୱୀପର ଘନ ଜଙ୍ଗଲ ଭିତରେ ଗଲାବେଳେ ତାର ଛାତି କେବେହେଲେ କମ୍ପିନି । ବନ୍ଧୁ ମାନଙ୍କ ସହିତ ବାଜି ରଖି କେତେ ରାତି ଯେ ସେ ଏକାକୀ ଭୟପ୍ରଦ କବରଖାନାରେ କଟାଇଛି, ତାର ହିସାବ ନାହିଁ ।

 

ଲେଖାପଢ଼ାରେ ମଧ୍ୟ ସେ କମ୍ ନୁହେ । ସଂକ୍ଷେପରେ କହିବାକୁ ଗଲେ, ସବୁ ବିଷୟରେ ସେ ଥିଲା ଧୁରନ୍ଧର ।

 

ଉଚ୍ଚକୋଟୀର ଜାହାଜୀ ହିସାବରେ ମଧ୍ୟ ତାର ନାମର ଖ୍ୟାତି କମ୍ ନଥିଲା । ସେ ଥିଲା ବିଖ୍ୟାତ ନାବିକ । ତାର କର୍ମକ୍ଷେତ୍ର ଥିଲା ଅତଳ ସମୁଦ୍ର । ହାମାକୁୟା ଉପକୂଳରେ ତିମି-ଶିକାରର ଯେଉଁ ସବୁ ଅଭିଯାନ ଚାଲେ, ସେହି ଅଭିଯାନର ଅଗ୍ରଣୀ ଥିଲା ସେ ।

 

କିନ୍ତୁ କିଉୟୀ ମନରେ ଆଦୌ ଗର୍ବ ନଥିଲା । ସେ ବରାବର ଭାବୁଥିଲା, ଏହି ବିରାଟ ପୃଥିବୀର ଅଳ୍ପ କିଛି ବିଷୟ ଜାଣେ ସେ । ଜାଣିବାକୁ ତାହାର ଆହୁରି ବାକି ଅଛି ଅନେକ ବେଶି ।

 

ଦିନେ ହଠାତ୍ ସେ ଭବିଲା, ସେ କିଛି ଜାଣେ ନାହିଁ । ତେଣୁ ଏହି ବିଶାଳ, ବିପୁଳ ପୃଥିବୀକୁ ଭଲଭାବେ ଚିହ୍ନିବାକୁ ଚେଷ୍ଟା କରିବ; ଅନ୍ତତଃ ଦୁନିଆର ବଡ଼ ବଡ଼ ସହରଗୁଡ଼ିକ ସେ ଦେଖିବ । ଆଉ ଘରକୋଣରେ ବସି ନରହି ସେ ବାହାରିବ ତା ଉଦ୍ଦେଶ୍ୟ ସାଧନ ନିମନ୍ତେ ।

 

ଅତି ବିଚିତ୍ର ଥିଲା ସେ କିଉୟୀ । ଯାହା ଭାବେ ତାହା ସଙ୍ଗେ ସଙ୍ଗେ କାର୍ଯ୍ୟରେ ପରିଣତ କରିଦିଏ ସେ ।

 

ଦିନେ ସାନଫ୍ରାନସିସ୍କୋଗାମୀ ଗୋଟିଏ ଜାହାଜର କାପଟେନଙ୍କ ସହିତ ଦେଖାହେଲା ତାର । ଭାଗ୍ୟକ୍ରମେ ଗୋଟିଏ ଚାକିରି ମଧ୍ୟ ପାଇଗଲା ସେ ସେଠାରେ । ତା’ପରେ ସେହି ଜାହାଜ ଚଢ଼ି ସେ ସମୁଦ୍ରପଥରେ ଯାତ୍ରା ଆରମ୍ଭ କଲା ।

 

ଜାହାଜ ହାୱାଇ ଦ୍ୱୀପର ବନ୍ଦର ଛାଡ଼ି ମଝି ଦରିଆରେ ପହଞ୍ଚିଲାବେଳକୁ ସଂଧ୍ୟା ହୋଇଯାଇଛି । ଏତିକିବେଳେ ହଠାତ୍ ଯେପରି ଦିକଚକ୍ରବାଳରେ ନିଆଁ ଜଳିଉଠିଲା ଦାଉ ଦାଉ କରି । ସମୁଦ୍ରଜଳରେ ବୁଡ଼ିଗଲେ ରୁପେଲି ସୂର୍ଯ୍ୟ । ପକ୍ଷମୁକ୍ତ ବିହଙ୍ଗ ପରି ଭାସି ଚାଲିବାକୁ ଲାଗିଲା ଜାହାଜଟି । ସାମନାରେ ତାର ଧୀରେ ଧୀରେ ନଇଁଆସିଲା ଅନ୍ଧକାରର ଯବନିକା ।

 

ହଠାତ୍ ଗୋଟିଏ ରୁଦ୍ଧ କୋଳାହଳ ଶୁଣାଗଲା ଜାହାଜ ଭିତରେ ।

 

କିଉୟୀ ସେତେବେଳେ ଠିଆ ହୋଇଥାଏ ଜାହାଜର ଡେକ୍ ଉପରେ ରେଲିଂ ଧରି । ତାର ଦୃଷ୍ଟି ପଡ଼ିଲା ଆକାଶକୋଣରେ ।

 

ଛୋଟ ଖଣ୍ଡିଏ କଳା ମେଘ ଧୀରେ ଧୀରେ ମୁଣ୍ଡ ଟେକୁଛି ଆକାଶର ଗୋଟିଏ କୋଣରେ । କ୍ରମେ ସେହି ମେଘଖଣ୍ଡିକ ଧରିଲା ପ୍ରଚଣ୍ଡ ରୂପ । କଲା ଆକାଶର ବୁକୁ ଚିରି ବାହାରକୁ କେତେ ଥର ଦେଖାଦେଲା ଅଟ୍ଟହାସ୍ୟକାରୀ ବିଜୁଳିରେଖା । ଚାହୁଁ ଚାହୁଁ ସେହି କଳାମେଘ ପରିଣତ ହୋଇଗଲା ପ୍ରଚଣ୍ଡ ଝଡ଼ରେ ।

 

ଚତୁର୍ଦ୍ଦିଗରେ ଘନ ଅନ୍ଧକାର । ଆଉ ସେହି ଘନ ଅନ୍ଧକାର ମଧ୍ୟରେ ଭୀଷଣ ଗର୍ଜନ କରି ଫୁଲିଉଠିଲା ଗଭୀର ସମୁଦ୍ର ।

 

ସତର୍କ ଘଣ୍ଟା ବାଜିଲା ଜାହାଜରେ । ସଙ୍ଗେ ସଙ୍ଗେ ଆରମ୍ଭ ହେଲା ବିପଦକାଳୀନ ଉଦବେଗର ଚିତ୍କାର, ଘଣ୍ଚାର ଢଂ-ଢାଂ ଶବ୍ଦ, କ୍ରସ୍ତଧ୍ୱନି ଓ ଦୌଡ଼ାଦୌଡ଼ି ।

 

ସୁନେଲୀ ରଙ୍ଗର ବିଦ୍ୟୁତ-ସର୍ପ ସବୁ ବିରାଟ ଫଣା ଟେକି ନୃତ୍ୟ କରିବାକୁ ଲାଗିଲେ କଲା ଆକାଶରେ; ବାରମ୍ବାର ଚୋଟ ମାରିଲେ ସମୁଦ୍ରର କୃଷ୍ଣ ଜଳବକ୍ଷରେ-ଆଉ କ୍ରୁଦ୍ଧ ସମୁଦ୍ର ଲମ୍ପ ଦେବାକୁ ଲାଗିଲା ଜାହାଜର ଚତୁର୍ଦ୍ଦିଗରେ ମନର ରୁଦ୍ଧ ଆବେଗ ଜଣାଇବା ଉଦ୍ଦେଶ୍ୟରେ । ଏଣେ ପ୍ରଚଣ୍ଡ ଝଡ଼ ତାର ଶକ୍ତିଶାଳୀ ସହସ୍ର ହସ୍ତରେ ଠେଲିନେଇଯାଉଥିଲା ଜାହାଜଟିକୁ ଦ୍ରୁତଗତିରେ ।

 

ଏପରି ଅବସ୍ଥାରେ ପଡ଼ି କ୍ରନ୍ଦନ କରିବାକୁ ଲାଗିଲା ଜାହାଜର ପୁଙ୍ଗା ନିଃସହାୟ ଶିଶୁପରି ।

 

ଝଡ଼ ଆଡ଼କୁ ଚାହିଁ ରହିଲେ ଜାହାଜର ଆରୋହିଗଣ । କ୍ୟାପଟେନ୍ ଯେ କୌଣସି ବିପଦ ପାଇଁ ପ୍ରସ୍ତୁତ ରହିବାକୁ ସତର୍କବାଣୀ ଶୁଣାଇଦେଲେ ଆରୋହିଗଣଙ୍କୁ ।

 

କିଉୟୀ ଭାବିଲା, ଏହା ଯଦି ଆରମ୍ଭର ନମୁନା ହୁଏ, ତେବେ ଶେଷଟା କଣ ହେବ ? ଦରକାର ନାହିଁ ଆଉ ପୃଥିବୀ ଭ୍ରମଣରେ । ଭ୍ରମଣରୁ ଇସ୍ତଫା ଦେଇ ନିରାପଦରେ ସାନଫ୍ରାନ୍-ସିସ୍କୋରେ ପହଞ୍ଚିପାରିଲେ ରକ୍ଷା; କିନ୍ତୁ ପରକ୍ଷଣରେ ସେ ଫେରିପାଇଲା ତାହାର ସାହସ । ଯାହା ବରାଦ ଥିବ ତାହା ହେବ; କିନ୍ତୁ ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ପୃଥିବୀ ଭ୍ରମଣ ଆଶା ତ୍ୟାଗକରିବା ଆଦୌ ଉଚିତ ନୁହେଁ ।

 

ଅବଶ୍ୟ ବେଶି ସମୟ ଝଡ଼ର ପ୍ରାବଲ୍ୟ ରହିଲା ନାହିଁ । ମଧ୍ୟରାତ୍ର ପରେ ପରେ ଥମିଆସିଲା ଝଡ଼ର ତାଣ୍ଡବ । ମେଘଗୁଡ଼ିକ ଅଦୃଶ୍ୟ ହୋଇଗଲେ କେଉଁ ସୁଦୂର ଅଜଣା ରାଇଜରେ-। ଆକାଶରେ ଧୀରେ ଧୀରେ ଉଙ୍କିମାରିଲେ ଦଳେ ତାରକା । ବେଳକୁ ବେଳ ବୃଦ୍ଧି ପାଇଲା ସେମାନଙ୍କ ସଂଖ୍ୟା । ଆଉ ନୀରବ କ୍ରନ୍ଦନଭରା ସମୁଦ୍ରରେ ଆଗେଇବାକୁ ଲାଗିଲା ଜାହାଜଟି ତାର ସ୍ୱାଭାବିକ ଗତିରେ ।

 

ତା’ପରେ ପୁନରାୟ ଜାହାଜର ଡେକରେ ଛିଡ଼ା ହେଲା କିଉୟୀ । ଚାହିଁରହିଲା ସୁଦୂର ପଶ୍ଚାତକୁ, ଅସ୍ପଷ୍ଟ ଅନ୍ଧକାରରେ ତାକୁ ଦେଖାଯାଉଥିଲା କେବଳ ସମୁଦ୍ରର ସୀମାହୀନ ନୀଳିମା ।

 

ହାୱାଇ ଦ୍ୱୀପ ଥିଲା ବହୁ ଦୂରରେ...

Image

 

ଦୁଇ

 

କି ଚମତ୍କାର ସହର ସାନଫ୍ରାନ୍‍ସିସ୍କୋ !

 

ଜାହାଜରେ ଡେକ୍ ଉପରୁ ଚିତ୍ରପଟ ପରି ଦେଖାଯାଉଥିଲା ସେହି ସାନ୍‍ଫ୍ରାନସିସ୍କୋ ସହରଟି କିଉୟୀକୁ ।

 

ଜାହାଜଟି ବନ୍ଦରରେ ଲାଗୁ ଲାଗୁ ସେ ଡେଇଁପଡ଼ିଲା କୂଳରେ ଥିବା ବାଲି ଉପରକୁ । କାଳବିଳମ୍ବ ନକରି ସେ ଚାଲିଲା ସହର ଆଡ଼କୁ ।

 

ସୁନ୍ଦର ସହର । ଧନୀ ଲୋକଙ୍କର ଅଭାବ ନାହିଁ ଏହି ସହରରେ । ସୁନ୍ଦର ସୁନ୍ଦର ଘରଗୁଡ଼ିକୁ ଚାହିଁରହିଲା କିଉୟୀ ଅପଲକ ନେତ୍ରରେ । ତାର ମନେହେଲା, ସେ ଯେପରି ମୟ ଦାନବର ଦେଶକୁ ଆସିଛି ।

 

ସେ ଦିନ...

 

କିଉୟୀ ଚାଲୁଥିଲା ଏହି ସୁନ୍ଦର ଘରଗୁଡ଼ିକ ପାର୍ଶ୍ୱଦେଇ । ଟଙ୍କାରେ ଭରପୂର ତାର ପକେଟ । ସେହି ଦିନ ସେ ପାଇଛି ତାର ଦରମା । ମନଟା ତାର ଖୁସିରେ ଭରପୂର ସେଇଥିପାଇଁ ।

 

କି ଚମତ୍କାର ଘରଗୁଡ଼ିକ ! ସତେ ଯେପରି ଚିତ୍ରପଟରେ ଅଙ୍କିତ ଛବି ! ଏହି ସବୁ ଘରେ ଯେଉଁମାନେ ଥାଆନ୍ତି, କି ଆନନ୍ଦରେ ଦିନ ନକଟାଉଥିବେ ସେମାନେ ? ଆସନ୍ତାକାଲି ପାଇଁ ଯାହାକୁ ଭାବିବାକୁ ହୁଏ ନାହିଁ, କେତେ ସୁଖୀ ସେମାନେ ! ଏମିତି ବହୁତ କଥା ଭାବି ସେ ଛିଡ଼ାହେଲା ଗୋଟାଏ ଘର ସାମନାରେ ।

 

ଅନ୍ୟାନ୍ୟ ଘର ତୁଳନାରେ ଏଇ ଘରଟି ଛୋଟ ହେଲେହେଁ, ସବୁଠାରୁ ସୁନ୍ଦର-ଅପୂର୍ବ । ଏହି ଘରଟିକୁ ଦେଖି ତାର ମନେ ପଡ଼ିଗଲା କଣ୍ଢେଇ ଦେଶର ରାଜପ୍ରାସାଦର କାହାଣୀ । ଶିଡ଼ିଗୁଡ଼ିକ

 

ଦେଖାଯାଉଥିଲା ରୁପାପରି....ଚକ୍ଷୁ ଝଲସିଉଠୁଥିଲା ଦର୍ଶକର । ଆଉ ଚଟାଣଟା ଥିଲା ମସୃଣ । ଦୁଧପରି ଧଳା ମାର୍ବଲ ପଥରରେ ତିଆରି ଘରଟା । ଘରଟିର ଚତୁର୍ଦ୍ଦିଗରେ ଘେରିରହିଥିଲା ଫୁଲବଗିଚା....ଅଜସ୍ର ଫୁଲ ଫୁଟିଥିଲା ସେହି ବଗିଚାରେ । ଇନ୍ଦ୍ରଧନୁର ଶୋଭାକୁ ମଧ୍ୟ ପରାଜିତ କରିଛି ସେହି ସବୁ ଫୁଲର ବିଭବ । ପୃଥିବୀର ସମସ୍ତ ସୁନ୍ଦର ସୁନ୍ଦର ଫୁଲ ଯେପରି ଭିଡ଼ କରିଥିଲେ ଗୋଟାଏ ଜାଗାରେ । ମସୃଣ ଧଳା କାନ୍ଥରେ ଥିବା କାଚର ଝରକାଗୁଡ଼ିକ ହୀରକ ପରି ଚକ୍ ଚକ୍ କରି ଶୋଭାବର୍ଦ୍ଧନ କରୁଥିଲା ଘରଟିର ।

 

ବିସ୍ମୟରେ ମନକୁ ମନ ବନ୍ଦ ହୋଇଗଲା କିଉୟୀର ପାଦ ସେଠାରେ । ସେ ଏକଦୃଷ୍ଟିରେ ଚାହିଁରହିଲା ସେହି ଆଶ୍ଚର୍ଯ୍ୟ ସୁନ୍ଦର ଘରଟି ଆଡ଼କୁ । କେତେକ ମିନିଟ୍ ଏହିପରି କଟିଗଲା । ତା’ପରେ ହଠାତ୍ କିଉୟୀର ମନେହେଲା ଘରଟା ଭିତରୁ ଜଣେ ଭଦ୍ରଲୋକ ଯେପରି ଲକ୍ଷ୍ୟ କରୁଛନ୍ତି ତାକୁ କାଚଝରକା ବାଟେ । ଭଦ୍ରଲୋକ ଦେଖିପାରୁଥିଲେ ରାସ୍ତା ଉପରେ ଥିବା କିଉୟୀକୁ ସ୍ପଷ୍ଟଭାବରେ ।

 

ଭଦ୍ରଲୋକ ଜଣକ ପ୍ରୌଢ଼-ବୁଢ଼ା କହିଲେ ବି ଚଳିବ । ମୁହଁଟା ସାରା କଞ୍ଚାପାଚିଲାମିଶା ଦାଢ଼ି । ଏହି ଦାଢ଼ି-ଜଙ୍ଗଲ ଭେଦ କରି କିଉୟୀର ଦୃଷ୍ଟି ଯାଇ ପଡ଼ିଲା ଭଦ୍ରଲୋକଙ୍କ ମୁହଁରେ । କୌଣସି କାରଣରୁ ଯେପରି ଗଭୀର ଦୁଃଖରେ ଭଦ୍ରଲୋକଙ୍କ ହୃଦୟ ଆଲୋଡ଼ିତ ହେଉଛି ବୋଲି ମନେହେଲା କିଉୟୀର ; କିନ୍ତୁ ଦୂରରେ ରହି ନିଶ୍ଚୟ ଭୁଲ ବୁଝୁଛି ସେ; କାରଣ ଏହି ଧରଣର ଘରେ ଯିଏ ବାସକରେ, ତାର ପୁଣି ଦୁଃଖ କୋଉଥିପାଇଁ ?

 

ଭଦ୍ରଲୋକ କିନ୍ତୁ କାତରଭାବେ ଦୀର୍ଘଶ୍ୱାସ ତ୍ୟାଗ କରୁଥିଲେ କୌଣସି ଏକ ଦୁଶ୍ଚିନ୍ତାରେ-। କୌଣସି ଏକ ଆତଙ୍କରେ ବିଦୀର୍ଣ୍ଣ ହେଉଥିଲା ତାଙ୍କର ହୃଦୟ । କିଉୟୀ ଆଡ଼କୁ ଚାହିଁ ସେ ଅସ୍ପଷ୍ଟ ଭାବରେ କହିଲେ, “ମନେହେଉଛି, ଏହି ଗରିବ ଜାହାଜୀଟି ମୋର ପ୍ରସ୍ତାବରେ ରାଜି ହେବ...ଆଚ୍ଛା, ପରୀକ୍ଷା କରି ଦେଖେଁ ଥରେ... ।”

 

ଭଦ୍ରଲୋକ କିଉୟୀକୁ ତାଙ୍କ ଘର ଭିତରକୁ ଯିବା ପାଇଁ ଇଙ୍ଗିତ ଦେଲେ । କିଉୟୀ ଅବାକ୍ ହୋଇଗଲା ଏପରି ଅପ୍ରତ୍ୟାଶିତ ନିମନ୍ତ୍ରଣରେ । ଧୀରେ ଧୀରେ ଆଗେଇଗଲା ସେ । ତାକୁ ଅଭ୍ୟର୍ଥନା କରିବା ପାଇଁ ଭଦ୍ରଲୋକ ଆଗେଇ ଆସିଲେ ଫାଟକ ଯାଏ । କହିଲେ “ଆପଣ ଭିତରକୁ ଆସନ୍ତୁ ।”

 

କିଉୟୀ କହିଲା, “ମୁଁ କ’ଣ ଆପଣଙ୍କର କୌଣସି କାମରେ ଲାଗିବି, ସାର୍ ?”

 

“ସେଇଟା ଆପଣଙ୍କ ଉପରେ ନିର୍ଭର କରେ । ଆଗେ ଭିତରକୁ ଆସନ୍ତୁ ।”

 

ଆଗେଇଗଲା କିଉୟୀ ।

 

ଭଦ୍ରଲୋକ କହିଲେ, “ଏହି ଚମତ୍କାର ଘରଟିର ମାଲିକ ମୁଁ । ଆପଣ ଇଚ୍ଛା କଲେ ଘରଟାଯାକ ବୁଲି ଦେଖିପାରନ୍ତି ।”

 

କିଉୟୀ ଶୁଣିବାକୁ ପାଇଲା, ଭଦ୍ରଲୋକଙ୍କ ହୃଦୟର ଗଭୀର ଅନ୍ତଃପୁରରୁ ବାହାରିଆସୁଥିବା ଦୀର୍ଘ ନିଃଶ୍ୱାସଟିକୁ । ସେ ନୀରବରେ ଆଉ ଥରେ ଚାହିଁରହିଲା ତାଙ୍କ ଆଡ଼କୁ । ଭଦ୍ରଲୋକ ପଚାରିଲେ, “ଆପଣଙ୍କ ନାମଟା ଜାଣିପାରେ କି ? କେଉଁଠୁ ଆସିଛନ୍ତି ଆପଣ ?”

 

“ମୋ ନାଁ କିଉୟୀ । ହାୱାଇ ଦ୍ଵୀପରେ ମୋର ଘର ।” ଉତ୍ତର ଦେଲା କିଉୟୀ । ସେ ଉତ୍ତର ଦେବା ସଙ୍ଗେ ସଙ୍ଗେ ଶୁଣିବାକୁ ପାଇଲା ପୁଣି ଭଦ୍ରଲୋକଙ୍କର ଦୀର୍ଘ ନିଃଶ୍ୱାସର ଶବ୍ଦ ।

 

ଏହା ପରେ ଭଦ୍ରଲୋକ କିଉୟୀକୁ ତାଙ୍କ ଘରଟା ସାରା ବୁଲାଇ ଦେଖାଇଦେଲେ । ଘରଟି ନିଖୁଣ । ଅନେକ ସ୍ଥାନ ବୁଲିଛି କିଉୟୀ ଜାହାଜରେ, ଗଳ୍ପ ବହି ପଢ଼ିଛି ସେ ଅନେକ; କିନ୍ତୁ ଏପରି ଆଶ୍ଚର୍ଯ୍ୟ ସୁନ୍ଦର ଘର ସେ କେଉଁଠି ଦେଖିନି ବା ଶୁଣିନି, କିମ୍ବା ଗଳ୍ପରେ ମଧ୍ୟ ପଢ଼ିନି । ଏହିପରି ଗୋଟିଏ ଘର ଦେଖି ସେ ଅବାକ୍ ହୋଇଗଲା ।

 

କିଉୟୀ କହିଲା, “ପ୍ରକୃତରେ ଏଇଟା ଗୋଟିଏ ଚମତ୍କାର ଘର । ମୁଁ ଯଦି ଏହିପରି ଗୋଟିଏ ଘର ଭିତରେ ରହିପାରନ୍ତି, ତେବେ କି ସୁଖ ନପାଆନ୍ତି ? ଏହିପରି ଗୋଟିଏ ଘରର ଯିଏ ମାଲିକ, ତାର ପୁଣି ଭାବନା କଣ ? କିନ୍ତୁ ଆପଣ କାହିଁକି ଯେ ବାରମ୍ବାର ଦୀର୍ଘଶ୍ୱାସ ତ୍ୟାଗ କରୁଛନ୍ତି କିଛି ବୁଝିପାରୁନି ମୁଁ । ଆପଣଙ୍କର ଦୁଃଖ ଦୂର କରିବା ପାଇଁ ମୋର କଣ କିଛି ସାହାଯ୍ୟ ଦରକାର ? କହନ୍ତୁ.....ମୁଁ ଆପଣଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି ।”

 

“ପ୍ରକୃତରେ ମୋର ଦୀର୍ଘ ଶ୍ୱାସ ପାଇଁ ଅସ୍ୱସ୍ତି ହେଉଛି ଆପଣଙ୍କର–ତାହା ମୁଁ ବୁଝିପାରୁଛି; ଯଦିଓ ଏହା ପଛରେ ସେହିପରି କୌଣସି କାରଣ ନାହିଁ । ଆଚ୍ଛା ! ଥାଉ ସେ କଥା ! ଏହି ଘରଟି ପସନ୍ଦ ହେଉଛି ଆପଣଙ୍କର ? ଆପଣ ତ ଇଚ୍ଛା କଲେ ଏହିପରି ନିଖୁଣ ସୁନ୍ଦର ଗୋଟିଏ ଘର ତିଆରି କରାଇପାରିବେ–ଏପରିକି ଏହାଠାରୁ ଆହୁରି ଅଧିକ ସୁନ୍ଦର ଘରଟିଏ ମଧ୍ୟ ତିଆରି କରିବା ଅସମ୍ଭବ ହେବନି ଆପଣଙ୍କ ପକ୍ଷରେ । ଆପଣଙ୍କ ନିକଟରେ ନିଶ୍ଚୟ କିଛି ଟଙ୍କା-ପଇସା ଅଛି ।

 

“ମୋର ସମ୍ବଳ ମାତ୍ର ପଚାଶ ଡଲାର । ତେଣୁ ଏପରି ଗୋଟିଏ ଘର କାହିଁକି ଏହାଠାରୁ ଅତି ନିକୃଷ୍ଟ ଧରଣର ଘରଟିଏ ତିଆରି କରାଇବା କଳ୍ପନା ମଧ୍ୟ ମୁଁ କରିନପାରେ ।”

 

ଭଦ୍ରଲୋକ ଯେପରି କଣ ଗୋଟାଏ ହିସାବ କଲେ ମନେ ମନେ । ତା’ପରେ ହଠାତ୍ କହିବାକୁ ଲାଗିଲେ, “ଆପଣଙ୍କ ନିକଟରେ ଆଉ ବେଶୀ ଟଙ୍କା ପଇସା ନାହିଁ ଶୁଣି ମୁଁ ଦୁଃଖିତ; କିନ୍ତୁ ମୋର ମନେହୁଏ ସେଥିରେ ମଧ୍ୟ ହୋଇଯିବ ।”

 

“କଣ ହୋଇଯିବ ? ଏହି ଧରଣର ଖଣ୍ଡିଏ ଘର ?”

 

“ନାଁ, ନାଁ-ଘର ନୁହେଁ । ସେ କଥା କିଏ କହିଲା ? ମୁଁ କହୁଛି ବୋତଲଟା କଥା । ବୋତଲଟା ପଚାଶ ଡଲାରରେ ହୋଇଯିବ ।”

 

“ବୋତଲ ! ସିଏ ପୁଣି କଣ ?”

 

କିଉୟୀର ପ୍ରଶ୍ନରେ ମୃଦୁ ହସଟିଏ ହସି ଭଦ୍ରଲୋକ କହିଲେ, “ବୁଝିପାରୁଛି ଆପଣ ମୋତେ ଖୁବ୍ ବଡ଼ଲୋକ ବୋଲି ଧରିନେଇଛନ୍ତି । ଆପଣଙ୍କୁ ସତକଥା ଖୋଲି କହିବାରେ କିଛି ବାଧା ନାହିଁ । ମୁଁ ଭାବୁଛି ସବୁ କଥା ଆପଣଙ୍କୁ ଖୋଲିକରି କହିବା ଉଚିତ । ମୋର ଏହି ଘର, ବଗିଚା, ମୋର ସମସ୍ତ ସୌଭାଗ୍ୟ-ସବୁ କିଛି ଗୋଟିଏ ବୋତଲ ଯୋଗୁଁ । ଏଇ ଦେଖନ୍ତୁ ସେହି ବୋତଲଟା ।”

 

ଏହା କହି ଭଦ୍ରଲୋକ ଗୋଟିଏ ଡ଼୍ର ଖୋଲି ତା ଭିତରୁ ପେଟ ମୋଟା, ଲମ୍ୱା ବେକବାଲା ବଡ଼ ବୋତଲଟିଏ ବାହାର କରି ଟେବୁଲ ଉପରେ ଥୋଇଲେ । ବୋତଲଟିର ରଙ୍ଗ ଦୁଧପରି ଧଳା ଏବଂ ସେହି ଧଳା କାଚରୁ ଝଲସୁଥିଲା ଇନ୍ଦ୍ରଧନୁର ଆଭା । ବୋତଲ ଭିତର ଛାୟାଳିଆ ଦିଶୁଥିଲା ଏବଂ ତା’ଭିତରେ ଯେପରି ଘୂରିବୁଲୁଥିଲା ନିଆଁ ପରି କଣ ଗୋଟିଏ ଜିନିଷ ।

Image

 

ତିନି

 

“ହଁ, ଏ ହେଉଛି ସେହି ବୋତଲ ।”-ଭଦ୍ରଲୋକ କହିଲେ ।

 

କିଉୟୀ ଭଦ୍ରଲୋକଙ୍କ ଆଡ଼କୁ ଚାହିଁରହିଲା ମୂକ ପରି । ଭଦ୍ରଲୋକ ଜଣକ ପାଗଳ ନୁହନ୍ତି ତ ? ପୁନରପି ସେ ଚାହିଁରହିଲା ତାଙ୍କ ଆଡ଼କୁ; କିନ୍ତୁ ଭଦ୍ରଲୋକଙ୍କର ହାବଭାବରୁ ପାଗଳାମିର କୌଣସି ଲକ୍ଷଣ ଦେଖିବାକୁ ପାଇଲାନି ସେ । ହଠାତ୍ ତାର ମନେହେଲା, ଭଦ୍ରଲୋକ ହୁଏତ ରସିକତା କରୁଛନ୍ତି ତା ସହିତ । ଠୋ-ଠୋ ହସିବାକୁ ଲାଗିଲା ସେ ।

 

ଭଦ୍ରଲୋକ ତାର ମନକଥା ବୁଝିପାରି କହିଲେ , “ହଁ, ଆପଣ ମୋ କଥା ବିଶ୍ୱାସ କରୁନାହାନ୍ତି ବୋଧହୁଏ ? ଅବଶ୍ୟ ସେଥିପାଇଁ ଦୋଷ ଦିଆଯାଇନପାରେ ଆପଣଙ୍କୁ; କିନ୍ତୁ ବିଶ୍ୱାସ କରନ୍ତୁ ମୁଁ ଥଟ୍ଟା କରୁନି ଆପଣଙ୍କୁ....ମୁଁ ହଲପ କରି କହୁଛି ଏ କଥା । ଆଚ୍ଛା, ଆପଣ ଦେଖନ୍ତୁ.....ଥରେ ଚେଷ୍ଟାକରି ଦେଖନ୍ତୁ ବୋତଲଟାକୁ ଭାଙ୍ଗି ପାରିବେ କି ନାହିଁ କୌଣସି ପ୍ରକାରେ । ବୋତଲଟି ଯଦି ଭାଙ୍ଗି ଦେଇ ପାରିବେ, ତେବେ ମୁଁ ଯାହା କହୁଛି ତାହା ସବୁ ମିଛ ବୋଲି ଧରିନେବ । ମୋ କଥା ବିଶ୍ୱାସ କରନ୍ତୁ, ପ୍ରକୃତରେ ବୋତଲଟାର ଗୋଟିଏ ଆଶ୍ଚର୍ଯ୍ୟ ଶକ୍ତି ଅଛି....-। କୌଣସି ପ୍ରକାରେ ଆପଣ ଭାଙ୍ଗି ପାରିବେନି ଏଇଟିକୁ ।”

 

କିଉୟୀ ତତକ୍ଷଣାତ୍ ଟେବୁଲ ଉପରୁ ବୋତଲଟା ନେଇ ଖୁବ୍ ଜୋରରେ ଫିଙ୍ଗିଦେଲା ପଥର ଉପରକୁ ।

 

କିନ୍ତୁ କି ଆଶ୍ଚର୍ଯ୍ୟ !

 

ବୋତଲଟା ଭାଙ୍ଗିଲା ତ ନାହିଁ; ବରଂ ରବର ବଲ୍ ପରି ପଥର ଉପରୁ ଡେଇଁଉଠିଲା କେତେ ଥର । କିଉୟୀ ସଙ୍ଗେ ସଙ୍ଗେ ତାର ସମସ୍ତ ବଳ ପ୍ରୟୋଗ କରି ପୁଣି ପଥର ଉପରେ ବୋତଲଟା ପିଟିବାକୁ ଲାଗିଲା; କିନ୍ତୁ ହାୟ ! ଦେହରୁ ଝରିପଡ଼ୁଛି ଝାଳ, ବେଳକୁ ବେଳ ବେଶି କରି ବୋତଲକୁ ପିଟି ପିଟି । କ୍ଳାନ୍ତ ହୋଇ ତାର ଦେହ ଥରିବାକୁ ଲାଗିଲା । ତାର ଏପରି ଅବସ୍ଥା ଦେଖି ଭଦ୍ରଲୋକ ହସିବାକୁ ଲାଗିଲେ ଏଥର ।

 

ଏତେବେଳେ ଯାଇ ବୋତଲଟିର ଆଶ୍ଚର୍ଯ୍ୟ ଶକ୍ତି ସମ୍ବନ୍ଧରେ କିଛିଟା ଧାରଣା ହେଲା କିଉୟୀର । ବାରମ୍ବାର ରଙ୍ଗ ବଦଳୁଛି ବୋତଲଟାର-ମନେହେଉଛି ଯେପରି ନିଆଁ ଜଳୁଛି ବୋତଲଟା ଭିତରେ ଧପ୍ ଧପ୍ କରି । ଆଉ...ଆଉ ତା ମଝିରେ ଦେଖାଯାଉଛି ଗୋଟାଏ ଅନ୍ଧକାରକ ଛାୟା । କିଉୟୀର ମନେହେଲା ଗୋଟିଏ ଅସୀମ ଶକ୍ତି ଘୂରିବୁଲୁଛି ବୋତଲଟା ଭିତରେ । ସେ ବିସ୍ମିତ ହୋଇ ଛିଡ଼ା ହୋଇ ରହିଲା । କୌଣସି କଥା କହିବାର ଶକ୍ତି ରହିଲାନି ତାହାର ।

 

ଚମକ ଭାଙ୍ଗିଲା ତାହାର ଭଦ୍ରଲୋକଙ୍କ କଥା ଶୁଣି–“କଣ ? ଏଥର ବିଶ୍ୱାସ ହେଲା ତ-?”

 

କିଉୟୀ କହିଲା, “ପ୍ରକୃତରେ ବୋତଲଟାତ କାଚର ବୋଲି ମନେହେଉଛି; କିନ୍ତୁ ଇଏ କି କଥା ମୁଁ କିଛି ବୁଝିପାରୁନାହିଁ । ଗୋଟିଏ ଅଦ୍ଭୁତ ପ୍ରାଣୀ ଯେପରି ବୋତଲଟା ଭିତରେ ଘୂରିବୁଲୁଛି । ସେଇଟା କଣ ମୁଁ କିଛି ବୁଝିପାରୁନି ।”

 

“ବୋତଲ ଭିତରେ ଅଛି ଗୋଟିଏ ଜୀଅନ୍ତା ଭୂତ ।”-ଭଦ୍ର ଲୋକ କହିଲେ ।

 

“ଭୂତ ! ଆରେ ବାବା ! ଭୂତଫୁତ ସହିତ କୌଣସି ସମ୍ପର୍କ ନାହିଁ ମୋର ।” ଏଇତକ କହିଦେଇ ବୋତଲଟାକୁ ଭଦ୍ରଲୋକଙ୍କୁ ଫେରାଇଦେଇ ସେ ଚାଲିଯିବା ଲାଗି ପାଦ ବଢ଼ାଇଲା ।

 

କିଉୟୀ ଚାଲିଯିବା ଉପକ୍ରମ କରିବା ଦେଖି ଭଦ୍ରଲୋକ ଶୀଘ୍ର ଶୀଘ୍ର କହିବାକୁ ଲାଗିଲେ, “ରହନ୍ତୁ ମହାଶୟ, ଚାଲିଯାଆନ୍ତୁ ନାହିଁ । ଏହି ଭୂତ ଦୌଲତ ପ୍ରଦାନ କରିଦେବ ଆପଣଙ୍କୁ । ଆଗେ ମୋର ସବୁକଥା ମନଦେଇ ଶୁଣନ୍ତୁ ।”

 

କିଉୟୀ ଭୟରେ ଫେରିଲା ସତ; କିନ୍ତୁ ବୋତଲଠାରୁ ଟିକିଏ ଦୂରରେ ଯାଇ ଠିଆହେଲା-। ବାରମ୍ବାର ସେ ଚାହିଁରହିଲା ସେହି ଖୋଲା ଡ୍ର ଆଡ଼କୁ ।

 

ଭଦ୍ରଲୋକ କହିଲେ, “କାଚରେ ହିଁ ତିଆରି ଏହି ବୋତଲଟା” ଏତିକି କହିସାରି ଆଗଠାରୁ ଆହୁରି ଗଭୀର ଗୋଟିଏ ଦୀର୍ଘଶ୍ୱାସ ତ୍ୟାଗ କଲେ ସେ । ତା’ପରେ ପୁଣି କହିଲେ, “ବୋତଲଟା ପ୍ରକୃତରେ କାଚରେ ତିଆରି; କିନ୍ତୁ ଏହାକୁ ତିଆରି କରାଯାଇଥିଲା ନରକର ଅଗ୍ନିରେ ପୋଡ଼ାଯାଇ । ଏହି ବୋତଲଟା ଭିତରେ ଗୋଟିଏ ଭୂତ ଅଛି । ଏହି ଯେଉଁ ଛାୟାପରି ଜିନିଷଟି ବୋତଲ ଭିତରେ ଘୂରିବୁଲୁଛି, ସେଇଟା ହେଲା ସେଇ ଭୂତ । ଯିଏ ଏହି ବୋତଲଟା କିଣିନେବ, ଭୂତ ହେବ ତାହାର ଚାକର । ବୋତଲ ମାଲିକ ଯାହା କହିବ, ତାହା ସଙ୍ଗେ ସଙ୍ଗେ ପାଳନ କରିବ ଭୂତଟା । ଯାହାକିଛି ଯଶ, ମାନ, ଐଶ୍ୱର୍ଯ୍ୟ, ଏହି ଘରପରି ଘର କିମ୍ବା ଏହି ସହର ପରି ସହର....ଯାହା କିଛି ଚାହିଁବାକ୍ଷଣି ସଙ୍ଗେ ସଙ୍ଗେ ମିଳିଯିବ ଏହି ଭୂତ ସାହାଯ୍ୟରେ ।

 

“ନେପୋଲିୟନ ବୋନାପାର୍ଟଙ୍କ ନାମ ଶୁଣିଥିବ ନିଶ୍ଚୟ । ଏହି ବୋତଲଟା ତାଙ୍କ ନିକଟରେ ଥିଲା ବୋଲି ସେ ଦୁନିଆରେ ବାଦଶାହ ହୋଇପାରିଥିଲେ । ତାଙ୍କର ସୌଭାଗ୍ୟ ମୂଳରେ ଥିଲା ଏହି ଅଦ୍ଭୁତ ବୋତଲଟା । ସାରା ଦୁନିଆ ଦଖଲ କରି ନେଇପାରିଥିଲେ ସେ ଏହି ବୋତଲଟା ତାଙ୍କ ନିକଟରେ ଥିଲା ବୋଲି; କିନ୍ତୁ ସେ ଭାବିଲେ ଯେ ଏହି ଭୂତର ସାହାଯ୍ୟ ବିନା ସେ ତାଙ୍କ କାର୍ଯ୍ୟ ଶେଷ କରିପାରିବେ । ତେଣୁ ବୋତଲଟା ବିକ୍ରି କରି ଦେଇଥିଲେ ସେ ଓ ଏହା ବିକ୍ରି କରିଦେବା ପରେ ପରେ ତାଙ୍କର ସର୍ବନାଶ ହୋଇଥିଲା ।

 

“କାପଟେନ୍ କୁକଙ୍କ ନାମ ମଧ୍ୟ ଅଜଣା ନୁହେଁ ଆପଣଙ୍କର । ଏହି ବୋତଲଟା ତାଙ୍କ ନିକଟରେ ଥିଲା ବୋଲି ସେ ବିଭିନ୍ନ ଦ୍ୱୀପର ସନ୍ଧାନ ପାଇଥିଲେ । ଆବିଷ୍କାର ହିସାବରେ ସେ ଲାଭ କରିଥିଲେ ଅମରତ୍ୱ....କିନ୍ତୁ ସେ ମଧ୍ୟ ଏଇଟାକୁ ବିକ୍ରି କରିଦେବା ସଙ୍ଗେ ସଙ୍ଗେ ହାୱାଇ ଦ୍ୱୀପର ଅସଭ୍ୟମାନଙ୍କ ହାତରେ ଘଟିଥିଲା ତାଙ୍କ ଜୀବନାନ୍ତ । ବୋତଲଟି ବିକ୍ରି କରିଦେବା ପରେ କେହି ଯଦି ତାହାର ଯାହା ଅଛି ତାହା ନେଇ ସନ୍ତୁଷ୍ଟ ନରହେ, ତେବେ ତାର ହୁଏ ସର୍ବନାଶ ।

 

“ତାହାଲେ ଆପଣ ଏଇଟାକୁ ବିକ୍ରି କରିଦେବା ଲାଗି ଚାହୁଁଛନ୍ତି କାହିଁକି ?” କିଉୟୀ ପ୍ରଶ୍ନ କଲା । ସେତେବେଳକୁ ସେ ବୋତଲଟା ସମ୍ବନ୍ଧରେ ରୀତିମତ କୌତୂହଳୀ ହୋଇଉଠିଲାଣି ।

 

‘‘ମୁଁ ଯାହା ପାଇଛି ସେଥିରେ ହିଁ ସନ୍ତୁଷ୍ଟ । ତା ଛଡ଼ା ମୁଁ ଦିନକୁ ଦିନ ବୁଢ଼ା ହୋଇଯାଉଛି-।” ଭଦ୍ରଲୋକ ଉତ୍ତର ଦେଲେ । “ଅମର କରିବା ଶକ୍ତି କିମ୍ବା ଆୟୁ ବଢ଼ାଇବା ଶକ୍ତି ଏହି ବୋତଲର ନାହିଁ । ମନୁଷ୍ୟର ଯୌବନ ଫେରାଇଦେବା ଶକ୍ତି ମଧ୍ୟ ଏହି ବୋତଲର ନାହିଁ । ତେଣୁ ବୋତଲଟିକୁ ରଖି ଲାଭ କଣ?”

 

“ଏସବୁ ସତ୍ତ୍ୱେ ଆପଣ ବୋତଲଟା ବିକ୍ରି କରିବା ଠିକ୍ ନୁହେଁ ।”

 

“ଆପଣଙ୍କ ନିକଟରେ ଏହି ବୋତଲର ଗୋଟିଏ ବିପଦର କାହାଣୀ ଲୁଚାଇବା ମୋର ଠିକ୍ ହେବନି । ସେଇଟି ହେଲା, ଏହି ବୋତଲଟି ବିକ୍ରି କରିଦେବା ପୂର୍ବରୁ କେହି ଯଦି ମରିଯାଏ ତାହେଲେ ଅନନ୍ତକାଳ ତାକୁ ନରକରେ ଯମଯନ୍ତ୍ରଣା ଭୋଗ କରିବାକୁ ହେବ ।”

 

“ତାର ମାନେ?” କୁଉୟୀ ବିଷୟଟା ସେତେବେଳକୁ ଠିକ୍ ଭାବେ ବୁଝିପାରିନଥିଲା ।

 

ଭଦ୍ରଲୋକ ବୁଝାଇବାକୁ ଚେଷ୍ଟା କଲେ-“ମୁଁ ବୁଢ଼ା ହୋଇଯାଇଛି, କେତେବେଳେ ମରିଯିବି ତାହା କହିହେବ ନାହିଁ; ତେଣୁ ଏହି ବୋତଲ ମୋ ଦଖଲରେ ରଖି ମରିବା ପାଇଁ ଚାହୁଁ ନାହିଁ । ଏହି ବୋତଲରେ ଯେଉଁ ଭୂତଟା ଅଛି, ସେ ତାର ମାଲିକକୁ ଧନଦୌଲତ, ସୁଖ-ସୌଭାଗ୍ୟ ସବୁକିଛି ଦେବାକୁ ପ୍ରସ୍ତୁତ ଅଛି କେବଳ ଗୋଟିଏ ସର୍ତ୍ତରେ । ସେହି ସର୍ତ୍ତଟା ହେଲା ବୋତଲର ମାଲିକ ସଙ୍ଗେ ତାର ଆତ୍ମା ବଦଳ କରିବା । ତାର ଅର୍ଥ-ବୋତଲର ମାଲିକ ଭୂତର ସ୍ଥାନ ଦଖଲ କରି ଏହି ବୋତଲ ଭିତରେ ରହିବ; ଆଉ ବୋତଲ ଭିତରେ ଥିବା ନରକରୁ ମୁକ୍ତ ହେବ ଭୂତର ଆତ୍ମା । ବୋତଲଟାକୁ ବିକ୍ରି କରିଦେବା ଆଗରୁ କେହି ଯଦି ମରିଯାଏ, ତା’ହେଲେ ବି ଆତ୍ମାର ଏହି ସ୍ଥାନ ଦଖଲ ସମ୍ଭବ ।”

 

କିଉୟୀ ଭାବିଲା, “ଏଇଟା ଗୋଟାଏ ସାଂଘାତିକ ସର୍ତ୍ତ; ଏଥିରେ ସନ୍ଦେହ ନାହିଁ । ମୁଁ ଘର ନଥାଇ ଚଳିପାରିବି, ଏତେ ଦିନ ଯେପରି ଚଳିପାରିଲି, କିନ୍ତୁ ନରକରେ ସଡ଼ି ମରିବାକୁ ମୁଁ ମୋଟେ ପ୍ରସ୍ତୁତ ନୁହୋ ବାପ୍‍ରେ ବାପ, କି ସାଙ୍ଘାତିକ କଥା ! ନରକର ଅଗ୍ନିରେ ଅନନ୍ତକାଳ ଯମ-ଯନ୍ତ୍ରଣା ଭୋଗ କରିବାକୁ ହେବ ! କି ସର୍ବନାଶୀ କଥାରେ ବାବା ! ଭାବିଲେ ଲୋମ ଟାଙ୍କୁରି ଉଠୁଛି ମୋର । ନାହିଁ ଆଜ୍ଞା ! ଏ ଫିକର ମୋ ପାଖରେ ଚଳିବନି-ଏହି ବୋତଲକୁ ମୁଁ କିଣିବି ନାହିଁ ।”

 

“ମୋର କଥା ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି; ଆଗେ ସବୁ ଶୁଣିଯାଆନ୍ତୁ ନା । ଆପଣଙ୍କୁ ତ ବାଧ୍ୟ କରୁନି ମୁଁ, ନକିଣିବେ ତ ନକିଣିବେ; କିନ୍ତୁ ସବୁ କଥା ଶୁଣିବାର ତ କୌଣସି କ୍ଷତି ନାହିଁ ?”

 

“କହନ୍ତୁ ଆଉ କଣ କହିବାର ଅଛି ଆପଣଙ୍କର ?”

 

“କହୁଛି ଶୁଣନ୍ତୁ । ସେହି ନରକ କବଳକୁ ରକ୍ଷା ପାଇବା ପାଇଁ ଗୋଟିଏ ଉପାୟ ମଧ୍ୟ ଅଛି । ବୋତଲଟା ଯେତେ ଦାମରେ କିଣାଯାଇଛି, ତା’ଠାରୁ କମ୍ ଦାମରେ ବୋତଲଟି ବିକିଦେଲେ ଆଉ ନରକରେ ଘାଣ୍ଟି ହେବାକୁ ପଡ଼ିବନି ।”

 

କିଉୟୀ ଟିକିଏ ଭାବି କହିଲା, “ଦେଖନ୍ତୁ, ଦୁଇଟି କଥା ବର୍ତ୍ତମାନ ସୁଦ୍ଧା ମୋତେ ସ୍ପଷ୍ଟଭାବରେ ଜଣାପଡ଼ିଲାନି । ପ୍ରଥମଟି ହେଲା, ଆପଣଙ୍କୁ ସବୁ ସମୟରେ ଦୀର୍ଘଶ୍ୱାସ ତ୍ୟାଗ କରିବାର ଦେଖୁଛି । ଆଉ ଅନ୍ୟଟି ହେଲା-ଆପଣ ଅତି ଶସ୍ତାରେ ବିକ୍ରି କରିଦେବାକୁ ବସିଛନ୍ତି ବୋତଲଟିକୁ । କାରଣ ମୁଁ ଆଗରୁ କହିଛି ଯେ ମୋ ନିକଟରେ ମୋଟେ ପଚାଶଟି ଡଲାର ଅଛି ।”

 

ଭଦ୍ରଲୋକ କହିଲେ, “ମୁଁ ମୋର ଦୁର୍ଭାଗ୍ୟର କଥା ଆପଣଙ୍କୁ କହିଛି । ଦିନକୁ ଦିନ ମୋର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ୁଛି, ହୁଏତ ଯେ କୌଣସି ଦିନ ମରିଯାଇପାରେ । ଯଦି ମରିବା ଆଗରୁ ବୋତଲଟା ବିକ୍ରି କରି ନପାରେ, ତାହାହେଲେ ଅନନ୍ତକାଳ ନରକରେ ଘାଣ୍ଟି ହେବାକୁ ହେବ । ଏହା ହେଲା ମୋର ଦୀର୍ଘଶ୍ୱାସ ତ୍ୟାଗର କାରଣ ।

 

“ଆଉ କାହିଁକି ଏତେ ଶସ୍ତାରେ ବୋତଲଟା ବିକ୍ରି କରିବା ପାଇଁ ମୁଁ ପ୍ରସ୍ତୁତ, ତା ବି କହୁଛି ଶୁଣନ୍ତୁ । ଅନେକ ଦିନ ପୂର୍ବେ ଯେତେବେଳେ ନରକଗର୍ଭରୁ ପ୍ରଥମେ ଏହି ବୋତଲଟି ଦୁନିଆକୁ ଆସିଲା, ସେତେବେଳେ ଏହାର ମୂଲ୍ୟ ଥିଲା ଅସମ୍ଭବ ଧରଣର ବେଶି ଏବଂ ଏହାର ପ୍ରଥମ ଖରିଦଦାର ଥିଲେ ପ୍ରେଷ୍ଟାର ଜନ୍ । ଅନେକ କୋଟି ଟଙ୍କା ଦେଇ ସେ ଏହାକୁ କିଣିଥିଲେ । କିଣା ଦାମଠାରୁ କମ୍ ଦାମରେ ବିକ୍ରି ନକଲେ ଏହାକୁ ବିକ୍ରି କରାଯାଇପାରିବ ନାହିଁ । କେତେ ବର୍ଷ ଧରି ଏହାର ଦାମ୍ କ୍ରମେ କ୍ରମେ କମିବାରେ ଲାଗିଛି ହାତରୁ ହାତକୁ ଗଲାବେଳେ । ତେଣୁ ଏଇଟି ବର୍ତ୍ତମାନ ଭାରି ଶସ୍ତା ବୋଲି ମନେହୁଏ ।

 

“ମୁଁ ଏହି ବୋତଲଟି କିଣିଥିଲି ମୋର ଜଣେ ପ୍ରତିବେଶୀଙ୍କଠାରୁ । ଏହି ପାହାଡ଼ର ଆରପାରିରେ ଗୋଟିଏ ବିରାଟ ଘର ଅଛି । ଆପଣ ଦେଖିଛନ୍ତି କି ନା, ଘରଟି ଠିକ୍ ରାଜପ୍ରାସାଦ ପରି । ଖୁବ୍ ବଡ଼ଲୋକ ସିଏ କେବଳ ଏହି ବୋତଲଟି ଯୋଗୁଁ । ମୁଁ ଏଇଟିକୁ କିଣିଥିଲି ମାତ୍ର ନବେଟି ଡଲାର ଦେଇ । ମୁଁ ବର୍ତ୍ତମାନ ଏହାକୁ ଅଣାନବେ ଡଲାର ଦାମରେ ବିକ୍ରି କରିଦେଇପାରେ; କିନ୍ତୁ ନବେ ଡଲାରଠାରୁ ଏକ ସେଣ୍ଟ ବେଶି ନେଇ ବିକ୍ରି କରି ପାରିବି ନାହିଁ । ଯଦି କରେ ତା’ହେଲେ ମୋ ନିକଟକୁ ପୁଣି ଫେରିଆସିବ ବୋତଲଟା....କିନ୍ତୁ ୟା ଭିତରେ ଗୋଟିଏ କଥା ଅଛି-

 

“ଧରନ୍ତୁ, ଆପଣ ଯଦି ଏହି ଗୋଟିକ ବୋତଲ ପାଇଁ ଅଶୀ ଡଲାର ଦାବୀ କରନ୍ତି, ତାହେଲେ ଲୋକେ ଠକ, ଜୁଆଚୋର ବୋଲି ଗାଳିଦେବେ ଆପଣଙ୍କୁ । ଅବଶ୍ୟ ବିକ୍ରି କରିବା ପାଇଁ ମୋର ସେପରି ଉତ୍କଣ୍ଠା ନାହିଁ । କାରଣ ଆଉ କୌଣସି ଗ୍ରାହକ ଯଦି ନିହାତି ନ ମିଳନ୍ତି ତେବେ ଆଉ କଣ କରାଯିବ-ଶିଶି ବୋତଲ ଦୋକାନରେ ବିକ୍ରି କରିଦେବି; କିନ୍ତୁ ବୋତଲଟା ଧରି ବଜାରକୁ ଯିବା ପାଇଁ ଇଚ୍ଛା ହଉନି ମୋର.... । ହଁ ଭଲକଥା, ଗୋଟିଏ କଥା ମନେରଖିବାକୁ ହେବ...ଟଙ୍କାଗୁଡ଼ିକ କିନ୍ତୁ ନୋଟ୍ ହେଲେ ଚଳିବ ନାହିଁ; ଧାତୁରେ ହେବା ଦରକାର । ତାହାହେଲେ ଏଇଟା ବିକ୍ରି କରାଯାଇ ପାରିବ ।”

 

କିଉୟୀ କହିଲା, “କିଛି ମନେକରିବେ ନାହିଁ; କିନ୍ତୁ ଆପଣ ଯେ ମିଥ୍ୟା କହୁନାହାନ୍ତି ତାହା ଜାଣିପାରିବି କିପରି ?”

 

“ତାହାର ପ୍ରମାଣ ମୁଁ ଏହିକ୍ଷଣି ଦେଖାଇ ଦେଇପାରେ । ମୋ କଥାରେ ବିଶ୍ୱାସ ନ ହେଲେ ସତ୍ୟ ମିଥ୍ୟା ପରୀକ୍ଷା କରିପାରନ୍ତି ନିଜେ । ପରୀକ୍ଷା ନକରି କାହିଁକି ଆପଣ କିଣିବେ ?”

 

“ତାହେଲେ ଆପଣଙ୍କର କଥା ବର୍ତ୍ତମାନ ପ୍ରମାଣ କରି ପାରିବେ ଆପଣ ?”

 

“ନିଶ୍ଚୟ-ନହେଲେ ଆଉ କହୁଛି କାହିଁକି ? ପଚାଶ ଡଲାର ନେଇ ବୋତଲଟାକୁ କିଣି ନେଇଯାଆନ୍ତୁ ଆପଣ ଅନ୍ତତଃ କିଛି ସମୟ ପାଇଁ । ତା’ପରେ ଏହାର ଶକ୍ତି ପରୀକ୍ଷା କରିବା ପାଇଁ ବୋତଲର ଭୂତକୁ ହୁକୁମ ଦିଅନ୍ତୁ ମୋର ପଚାଶ ଡଲାର ମୁଁ ଫେରି ପାଇବାକୁ ଚାହେଁ, ତା’ହେଲେ ସତ୍ୟ-ମିଥ୍ୟା ବୁଝିପାରିବେ ଆପଣ । ଯଦି ସେହି ପଚାଶ ଡଲାର ଆପଣଙ୍କ ନିକଟକୁ ଫେରି ନଆସେ, ତେବେ ମୁଁ ହଲପ କରି କହୁଛି, ଆପଣଙ୍କୁ ଆପଣଙ୍କର ଟଙ୍କା-କଉଡ଼ି ଫେରାଇଦେବି ।”

ତଥାପି କିଉୟୀ ମନରୁ ସନ୍ଦେହ ଗଲାନି । ସେ କହିଲା, “ସତ କହନ୍ତୁ, ମୋତେ ଆପଣ ଠକୁନାହାନ୍ତି ତ ?”

ଭଦ୍ରଲୋକଟି କହିଲେ, ସେହିପରି ମନ୍ଦ ଉଦ୍ଦେଶ୍ୟ ମୋର ନାହିଁ । ଆଉ ଭଗବାନ କରନ୍ତୁ, ମନ୍ଦ ଉଦ୍ଦେଶ୍ୟ କେବେ ଯେପରି ସ୍ଥାନ ନପାଉ ମୋ ମନରେ ।”

କିଉୟୀ ପରୀକ୍ଷା କରିବାକୁ ଭାବି ବାହାରକଲା ପକେଟକୁ ତାର ସମ୍ବଳ ପଚାଶ ଡଲାର-। ଭଦ୍ରଲୋକ ତା ହାତରୁ ଟଙ୍କାଗୁଡ଼ିକ ଝାମ୍ପି ନେଇ ବୋତଲଟି ବଢ଼ାଇଦେଲେ କିଉୟୀ ହାତକୁ ।

ତା’ପରେ କିଉୟୀ ବୋତଲର ଭୂତକୁ ତାର ପ୍ରଥମ ହୁକୁମ ଦେଲା; “ଏ ବୋତଲଭୂତ, ଶୀଘ୍ର ମୋର ସେହି ପଚାଶ ଡଲାର ଫେରାଇଦେ ତ ।” କି ଆଶ୍ଚର୍ଯ୍ୟ ! ପାଟିରୁ କଥା ନସରୁଣୁ ତାର ଛାତି ପକେଟ ଭିତରକୁ ଚାଲିଆସିଲା ତାର ସେହି ପଚାଶ ଡଲାର ।

କିଉୟୀ କହିଲା, “ହଁ, ଏଥର ନିଃସନ୍ଦେହରେ ସ୍ୱୀକାର କରିବାକୁ ହେବ ଯେ ଏଇଟା ଗୋଟାଏ ଅଦ୍ଭୁତ ବୋତଲ ।” ଏଥର ବୋତଲଭୂତକୁ କେବଳ ଗୋଟିଏ ଘର ମାଗିବି । ତା’ପରେ ଗୋଟିଏ ଗ୍ରାହକ ଦେଖି ବିକ୍ରି କରିଦେବି; ଅର୍ଥାତ୍ ଏହି ନରକ କବଳରେ ମୁଁ ରହିବି ନାହିଁ ।”

“ତା’ହେଲେ ନମସ୍କାର !” ଏଥର ଆନନ୍ଦରେ ଅଧୀର ହୋଇ ଉଠିଲେ ଭଦ୍ରଲୋକ । ନରକର ଭୂତଟା ତା’ହେଲେ ଏତେ ଦିନେ ବିଦାୟ ନେଲା ମୋଠାରୁ ଏବଂ ଆପଣଙ୍କ କାନ୍ଧରେ ସବାର ହେଲା । ଯାହା ହେବାର ହେବ । ଆଚ୍ଛା ନମସ୍କାର !”

“ଥାଉ ମହାଶୟ, ଥାଉ ।” କିଉୟୀ ବିଚଳିତ ହୋଇ ଉଠିଲା । ସେ ଭଦ୍ରଲୋକଙ୍କୁ କହିଲା, “ମୋର ଏହି ଭୂତବୋତଲ ଦରକାର ନାହିଁ । ଆପଣ ଫେରାଇ ନିଅନ୍ତୁ ।”

 

ତା’ ହାତକୁ ଧରିପକାଇ ଭଦ୍ରଲୋକ କହିଲେ, “ମୁଁ ଯେତେ ଦେଇ ଏହି ବୋତଲଟା କିଣିଥିଲି, ତା’ଠାରୁ କମ୍ ଦାମ୍ ଦେଇ ବୋତଲଟା ଆପଣ କିଣିନେଇଛନ୍ତି; ଫଳରେ ଏଇଟା ବର୍ତ୍ତମାନ ଆପଣଙ୍କର । ବର୍ତ୍ତମାନ ଆପଣ ଆପଣଙ୍କର ଏହି ନରକର ବୋତଲଟି ନେଇ ଏଠାରୁ ବିଦାୟ ନେଲେ ମୁଁ ଆନନ୍ଦିତ ହେବି ।”

 

ଏହା କହି ସେ ତାଙ୍କ ଚାକର ଦ୍ୱାରା କିଉୟୀକୁ ତାଙ୍କ ଘରୁ ବାହାର କରିଦେଲେ ।

Image

 

ଚାରି

 

ଭୌତିକ ବୋତଲଟାକୁ କାଖରେ ଜାକି କିଉୟୀ ଯେତେବେଳେ ରାସ୍ତାରେ ଆସି ଠିଆହେଲା, ସେତେବେଳେ ଦେଖାଗଲା ଚିନ୍ତାରେ ଆଚ୍ଛନ୍ନ ହୋଇଯାଇଛି ତାର ମୁହଁଟି ସାରା; ପୂର୍ବର ଆନନ୍ଦ ଉଭେଇଯାଇଛି ତା ମୁହଁରୁ । ଜଣାଯାଉଛି ଯେପରି ଅମାବାସ୍ୟା ରାତିର କାଳିମା ବୋଳିହୋଇଯାଇଛି ତା ମୁହଁରେ ।

 

ଘଟଣାଟା ସେତେବେଳ ପର୍ଯ୍ୟନ୍ତ ତାର ବିଶ୍ୱାସ ହେଉ ନଥିଲା ।

 

ଆଲାଦ୍ଦିନର ଆଶ୍ଚର୍ଯ୍ୟ ପ୍ରଦୀପ କାହାଣୀ ବହି ପଢିଥିଲା ସେ । ଏହି ବୋତଲଟା କଣ ସେହିପରି ଗୋଟିଏ କିଛି ! ଯାହା ଦରକାର, ତାହା ମିଳିବ ? ନାଁ, ତାହା କଣ କେବେହେଲେ ସମ୍ଭବ ?

 

କିନ୍ତୁ....

 

ସେ ଭଲବାବେ ଓଲଟପାଲଟ କରି ଦେଖିଲା ବୋତଲଟିକୁ । ଦୁଧ ପରି ତୋଫା ଧଳା-ପ୍ରତି ମୁହୂର୍ତ୍ତରେ ଝଲସିଉଠୁଛି ଇନ୍ଦ୍ରଧନୁର ନାନା ରଙ୍ଗ ସେହି ଧଳା ବୋତଲଟା ଭିତରେ; ଫଳରେ ବାରମ୍ବାର ରଙ୍ଗ ବଦଳିଯାଉଛି ସେହି ବୋତଲଟାର । ତା’ ଭିତରେ ଦାଉ ଦାଉ ହୋଇ ଜଳିଉଠୁଛି ନିଆଁ ଏବଂ ସେହି ନିଆଁ ଭିତରେ ଘୂରିବୁଲୁଛି ଗୋଟିଏ ଅନ୍ଧକାର କଳା ଛାଇ । ପ୍ରକୃତରେ ବୋତଲଟି ଆଶ୍ଚର୍ଯ୍ୟ ରକମର । ଏଇଟି ନିଶ୍ଚୟ ନରକର ବୋତଲ ।

 

ନରକର !

 

କଥାଟା ମନେପଡ଼ିବାକ୍ଷଣି ବିବର୍ଣ୍ଣ ହୋଇଗଲା କିଉୟୀର ମୁହଁଟି ।

 

ବୋତଲଟା ସମ୍ବନ୍ଧରେ ଯାହା କିଛି ଶୁଣିଛି, ସେହି ବୃଦ୍ଧ ଭଦ୍ରଲୋକଙ୍କଠାରୁ, ତାହା ଯଦି ସତ୍ୟ ହୁଏ, ତାହେଲେ ତ ଭୀଷଣ ବିପଦରେ ପଡ଼ିବାକୁ ହେଲା । ଅନନ୍ତ କାଳ ଧରି ନରକର ନିଆଁରେ...ବାପ୍ ରେ, ଭାବିଲେ ହୃତକମ୍ପ ହୁଏ ।

 

କିନ୍ତୁ ଭଦ୍ରଲୋକ ବୋକା ବନେଇନି ତ ମୋତେ ?

 

ଏହି କଥା ମନେପଡ଼ିଯିବାକ୍ଷଣି କିଉୟୀ ତାର ପକେଟରୁ ଡଲାରଗୁଡ଼ିକ ବାହାର କରି ଗଣିବା ଆରମ୍ଭ କରିଦେଲା-ନାଁ, ଡଲାର ତ ଠିକ୍ ଅଛି । ବୋତଲ ସମ୍ପର୍କରେ ସବୁକିଛି ହିଁ ସତ୍ୟ । କିଉୟୀ ମନକୁ ମନ କହିଲା, ଆଚ୍ଛା, ଆଉ ଥରେ ପରୀକ୍ଷା କରି ଦେଖାଯାଉନା ।

 

ସେତେବେଳେ ଦ୍ୱିପ୍ରହର ସମୟ । କିଉୟୀ ଛିଡ଼ା ହୋଇଥିଲା ରାସ୍ତା ଉପରେ । ରାସ୍ତାର ଧାରଟା ଜାହାଜର ଡେକ୍ ପରି ପରିଷ୍କାର । ଦ୍ୱିପ୍ରହର ହୋଇଥିଲେ ସୁଦ୍ଧା ରାସ୍ତାରେ ଜନପ୍ରାଣୀ କେହି ଦେଖାଯାଉ ନ ଥିଲେ । ସେହି ନିର୍ଜନ ରାସ୍ତାରେ ଗୋଟିଏ ପାଖରେ ବୋତଲଟା ଥୋଇଦେଇ କିଉୟୀ ଘୁଞ୍ଚିଗଲା ଦୂରକୁ । ତା’ପରେ ଚାଲିଲା ଆଗକୁ । କିଛି ବାଟ ଯିବା ପରେ ତା ପିଠିରେ ଲାଗିଲା ଧକ୍କା । “ଓଃ”....ଚିତ୍କାର କରିଉଠିଲା କିଉୟୀ । ସଙ୍ଗେ ସଙ୍ଗେ ପଛକୁ ଚାହିଁ ଦେଖିଲା, ଭୌତିକ ବୋତଲଟା ହାଜର ହୋଇ ଯାଇଛି ତା ପଛରେ । ଚାହୁଁ ଚାହୁଁ ସେହି ବୋତଲଟା ଲମ୍ଫଦେଲା କିଉୟୀର ପୋଷାକ ଉପରକୁ ଏବଂ ସଙ୍ଗେ ସଙ୍ଗେ ପଶିଗଲା କିଉୟୀର ପକେଟ୍ ଭିତରେ ।

 

କିଉୟୀ ଚାଲିବାକୁ ଆରମ୍ଭ କଲା । ଚାଲୁ ଚାଲୁ ମନକୁ ମନ କହିଲା, ତା’ହେଲେ ବୋତଲଟି ସମ୍ବନ୍ଧରେ ଯାହା କିଛି ଶୁଣିଛି ସବୁ ସତ ।

 

ରାସ୍ତାରେ କିଛି ବାଟ ଯିବା ପରେ ପଡ଼ିଲା ଗୋଟିଏ ମନୋହରୀ ଦୋକାନ । ସେହି ଦୋକାନରୁ କିଉୟୀ କିଣିଲା ଗୋଟିଏ ଶିଶିବୋତଲ ଠିପି ଖୋଲିବାର ଚାବି । ସେହି ଭୌତିକ ବୋତଲ ଓ ଚାବିଟି ନେଇ ଗଲା ଏକ ନିର୍ଜନ ସ୍ଥାନକୁ । ଚାବିଟି ଠିପିରେ ପୂରାଇ ଖୋଲିବାକୁ ଚେଷ୍ଟାକଲା ବୋତଲଟିକୁ । ଚାବିଟି ଠିପି ଭିତରେ ପଶିବା ସଙ୍ଗେ ସଙ୍ଗେ କିଏ ଯେପରି ଚାବିଟାକୁ ଠେଲି ପଦାକୁ ବାହାର କରିଦେଲା । କିଉୟୀ ବାରମ୍ବାର ଠିପି ଖୋଲିବାକୁ ଚେଷ୍ଟାକଲା; କିନ୍ତୁ ସେ ପାରିଲାନି ।

 

ଏହା ଦେଖି ଭୟ ପାଇଗଲା କିଉୟୀ । କ୍ରୋଧ ଓ ଭୟରେ ବୋତଲଟିକୁ ଖୁବ୍ ଜୋରରେ ହରାଇଦେଲା ଅନେକ ଥର; କିନ୍ତୁ ହେଲା କଣ ?

 

କିଉୟୀ ଅନୁତାପ କଲା ଏହି ଭୌତିକ ବୋତଲଟା କିଣିଥିବା ଯୋଗୁଁ । କି ବୋକା ନୁହେଁ ସେ ! ବୋତଲରେ ଥିବା ଭୂତ ନିକଟରେ ନିଜର ଆତ୍ମା ବିକ୍ରି କରି ତାର ସ୍ଥାନ ଦଖଲ କରିବା ଅର୍ଥ ଅନନ୍ତକାଳ ନରକ-ଯନ୍ତ୍ରଣା ଭୋଗକରିବା । ଯେଉଁ ଆନନ୍ଦ ମନରେ ସେ ବୋତଲଟି କିଣିଥିଲା, ତାହା ପରିଣତ ହେଲା ବିଷାଦରେ ।

 

ସେ ସ୍ଥିର କଲା–ଯେ କୌଣସି ଉପାୟରେ ସେ ସେହି ବୋତଲ କବଳରୁ ମୁକ୍ତି ପାଇବ-

ବନ୍ଦର ଆଡ଼କୁ ଫେରିବା ବାଟରେ ପଡ଼ିଲା ଗୋଟିଏ ବଡ଼ ଦୋକାନ । ଦୋକାନ ଭିତରକୁ ଯାଇ ସେ ମାଲିକକୁ କହିଲା, “ଏହି ବୋତଲଟା ଅତି ଆଶ୍ଚର୍ଯ୍ୟ ଧରଣର; କିନ୍ତୁ ମୋର ଅର୍ଥାଭାବ ଘଟିଛି । ତେଣୁ ଶହେ ଡଲାର ପାଇଲେ ଏହି ଆଶ୍ଚର୍ଯ୍ୟ ବୋତଲଟିକୁ ମୁଁ ବିକ୍ରି କରିଦିଅନ୍ତି-।”

ଦୋକାନୀ କିଉୟୀର କଥା ଶୁଣି ହସି ହସି ଗଡ଼ିଗଲା । କିଛି ସମୟ ପରେ ସେ କିଉୟୀ ଆଡ଼କୁ ଚାହିଁ କହିଲା, “ଗୋଟିଏ ବୋତଲର ଦାମ୍ ଶହେ ଡଲାର ? ପାଗଳ ନା କଣ ?”

“ନା, ମୁଁ ମୋଟେ ପାଗଳ ନୁହେଁ, ବୋତଲଟା ଥରେ ପରୀକ୍ଷା କଲେ ଆପଣ ଜାଣିପାରିବେ ତାର କରାମତି ।”

ଦୋକାନୀ କିଉୟୀ ହାତରୁ ବୋତଲଟି ନେଇ ଟିକିଏ ଓଲଟପାଲଟ କରିବା ପରେ କହିଲା, “ବାସ୍ତବରେ ବୋତଲଟା ଅଦ୍ଭୁତ ପରି ଜଣାଯାଉଛି । ଅଦ୍ଭୁତ ନହୋଇଥିଲେ ଦୁଧିଆ ରଙ୍ଗ ବୋତଲଟା ଭିତରେ ନାନା ରଙ୍ଗ ଦେଖାଯାଆନ୍ତା କାହିଁକି ? ଏହି ରଙ୍ଗ ମଧ୍ୟରେ ଗୋଟିଏ କଳା ଛାଇ ଘୂରିବୁଲୁଥାନ୍ତା କାହିଁକି ?”

ଦୋକାନୀଠାରୁ ଏହିତକ ଶୁଣିସାରି କିଉୟୀ କହିଲା, “କେବଳ ଏତିକି ନୁହେ । ଆହୁରି ଅନେକ ଆଶ୍ଚର୍ଯ୍ୟ କଥା ଆପଣ ବୋତଲଟି ସମ୍ବନ୍ଧରେ ଜାଣିପାରିବେ । ଆଚ୍ଛା ! ଆପଣ ବୋତଲଟି ଭାଙ୍ଗି ଦେଇ ପାରିବେ ?”

“କ’ଣ କହିଲ ? କାଚ ବୋତଲଟା ଭାଙ୍ଗି ଦେଇ ପାରିବନି ?”

“ତାହେଲେ ଚେଷ୍ଟା କରି ଦେଖନ୍ତୁ ତ ! ଯଦି ଭାଙ୍ଗି ଦେଇ ପାରିବେ, ତେବେ ମୋ ବୋତଲଟି ଯିବ । ଆପଣଙ୍କୁ କୌଣସି ଦାମ୍ ଦେବାକୁ ପଡ଼ିବ ନାହିଁ ।”

ଦୋକାନୀ ସଦର୍ପରେ ବୋତଲଟି ନେଇ ପିଟିଦେଲା ଖଣ୍ଡିଏ ପଥର ଉପରେ; କିନ୍ତୁ କି ଆଶ୍ଚର୍ଯ୍ୟ ! ବୋତଲଟା ଭାଙ୍ଗିଯିବା ପରିବର୍ତ୍ତେ ଡେଇଁପଡ଼ିଲା ଫୁଟବଲ ପରି । ଥରେ ନୁହେଁ, ଦୁଇ ଥର ନୁହେଁ, ବାରମ୍ବାର ଦୋକାନୀ ଚେଷ୍ଟାକଲା ବୋତଲଟି ଭାଙ୍ଗିଦେବା ପାଇଁ; କିନ୍ତୁ ସେ ଆଦୌ କୃତକାର୍ଯ୍ୟ ହେଲାନି ।

ଏହା ଦେଖି ଦୋକାନୀ କହିଲା, “ବୋତଲଟି ଯେ ଅଦ୍ଭୁତ, ତାହା ମୁଁ ସ୍ୱୀକାର ନକରି ରହିପାରୁନାହିଁ ; କିନ୍ତୁ ଯେତେ ଅଦ୍ଭୁତ ହେଲେ ମଧ୍ୟ ମୁଁ ଷାଠିଏ ଡଲାରରୁ ଅଧିକ ଦେଇପାରିବି ନାହିଁ-। ଇଚ୍ଛା ହେଲେ ବିକ୍ରି କର, ନହେଲେ ବୋତଲଟି ନେଇ ଚାଲିଯାଅ ।”

କିଉୟୀ ଚାହୁଁଛି ଯେ କୌଣସି ଉପାୟରେ ବୋତଲଟା ତା’ ହାତରୁ ଖସାଇ ଦେବାପାଇଁ-। ତେଣୁ ସେ ଆଉ ଦର କଷାକଷି ନକରି ସେହି ଷାଠିଏ ଡଲାରରେ ବୋତଲଟି ବିକ୍ରି କରିଦେବା ପାଇଁ ରାଜିହେଲା ।

ଦୋକାନୀ କିଉୟୀ ହାତରେ ଷାଠିଏ ଡଲାର ଗୁଞ୍ଜିଦେଇ ଅତି ଆନନ୍ଦରେ ବୋତଲଟି ନେଇଗଲା ତା’ ହାତରୁ । ସଙ୍ଗେ ସଙ୍ଗେ ସାଇତି ରଖିଲା ବୋତଲଟିକୁ ତାର କାଚ ଆଲମାରି ଭିତରେ ତାଲା ଚାବି ପକାଇ।

ଏଣେ କିଉୟୀର ଆନନ୍ଦ କହିଲେ ନସରେ । ଯେ କୌଣସି ଉପାୟରେ ବୋତଲଟି ତା ହାତରୁ ଖସାଇଦେବା ପାଇଁ ସେ ଚେଷ୍ଟା କରୁଥିଲା । ବୋତଲଟା କେବଳ ଯେ ହାତରୁ ଖସିଗଲା ତା ନୁହେଁ; ତାର ଲାଭ ମଧ୍ୟ ହେଲା । ସେ ଯେଉଁ ପଚାଶ ଡଲାର ଦେଇ କିଣିଥିଲା, ସେଇତକ ବୋତଲଭୂତ ତାକୁ ଆଗରୁ ଫେରାଇ ଦେଇଛି । ବର୍ତ୍ତମାନ ତାର ଲାଭ ଷାଠିଏ ଡଲାର । ସେ ଆନନ୍ଦ ମନରେ ପାଦ ଆଗକୁ ପକାଇ ଚାଲିଲା ଜାହାଜଘାଟ ଆଡ଼କୁ । କିନ୍ତୁ ଏହି ଆନନ୍ଦ ହେଲା କ୍ଷଣସ୍ଥାୟୀ । କିଛି ବାଟ ଚାଲିବା ପରେ ହଠାତ୍ ତାର କଣ ଗୋଟିଏ କଥା ମନେପଡ଼ିଲା । ସଙ୍ଗେ ସଙ୍ଗେ ମଳିନ ପଡ଼ିଗଲା ମୁହଁଟି ତାହାର । ସେ ଆଉ ଆଗକୁ ପାହୁଣ୍ଡେ ପାଦ ପକାଇପାରିଲା ନାହିଁ-

Image

 

ପାଞ୍ଚ

 

ସେଇଠି ଠିଆହୋଇ ଭାବିବାକୁ ଲାଗିଲା କିଉୟୀ । ଯେତେ ଅଧିକ ଭାବିଲା, ସେତେ ବେଶି ତାର ଛାତି ଦୁରଦୁର ହୋଇ କମ୍ପି ଉଠିଲା।

 

ବୃଦ୍ଧ ଭଦ୍ରଲୋକ ତାକୁ କହିଥିଲେ ନରକ କବଳରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଲା କିଣାଦାମଠାରୁ କମ୍ ଦାମରେ ବୋତଲଟି ବିକ୍ରି କରିବା । ତା ନକଲେ ବୋତଲଟି ପୁଣି ଫେରିଆସିବ ପୂର୍ବ ମାଲିକ ନିକଟକୁ । ଇସ୍, କି ସାଙ୍ଘାତିକ ଭୁଲ କଲା ସେ । ବୋତଲଟା ନିଶ୍ଚୟ ତା ପାଖକୁ ଫେରିଆସିବ । ତେବେ ବୋତଲଟା ତାଲାଚାବିଦିଆ ଆଲମାରି ଭିତରୁ ବାହାରକୁ ଆପଣା ଛାଏଁ ଆସିବ କିପରି ? କିନ୍ତୁ ଭୌତିକ ବୋତଲ ପକ୍ଷରେ ଅସାଧ୍ୟ କଣ?

 

ଯାହା ହେବାକୁ ଥିବ ତାହା ହେବ ଭାବି କିଉୟୀ ଆଗେଇଗଲା ବନ୍ଦର ଆଡ଼କୁ । ଚାଲିଲାବେଳେ ବେଳେବେଳେ ପଛକୁ ଚାହିଁ ଦେଖେ ବୋତଲଟି ତା ପଛରେ ଆସୁଛି କି ? ନା, ବୋତଲଫୋତଲର ତ ଦେଖାନାହିଁ । ଯାହାହେଉ, ରକ୍ଷାହେଲା ବୋଲି ଭାବି କିଉୟୀ ଖୁବ୍ ଶୀଘ୍ର ଶୀଘ୍ର ଚାଲିଲା ଜାହାଜ ଭିତରକୁ । ଜାହାଜ ଭିତରକୁ ଯାଇ ସିଧା ପଶିଗଲା ତା କେବିନ୍ ଭିତରେ । ସେଇଠି ଥିଲା ତାର ଗୋଟିଏ ଛୋଟ ବାକ୍ସ । ସେଇ ବାକ୍ସଟିରେ ଟଙ୍କା ତକ ରଖିବାପାଇଁ ତାହା ଖୋଲିଦେବାକ୍ଷଣି ସେ ଚମକି ଉଠିଲା-ଆରେ, ବାକ୍ସ ଭିତରକୁ ସେହି ଅଦ୍ଭୁତ ବୋତଲଟି ଆସିଲା କିପରି ?

 

କିଉୟୀ ନିକଟରେ ଠିଆହୋଇଥିଲା ନାବିକ ଲୋପାକା । କିଉୟୀର ଭାବଭଙ୍ଗୀ ଦେଖି କହିଲା, “ଘାବରେଇ ଯାଉଛୁ କାହିଁକି ? କଣ ହେଲା କି ?”

 

“ହେଲା କଣ ? ତୁମେ ଏହି ବୋତଲଟି ମୋ ବାକ୍ସ ଭିତରେ ରଖିଛ ।”

 

“ନା, ମୁଁ କାହିଁକି ତୁମ ବାକ୍ସ ଭିତରେ ବୋତଲଟି ରଖିବି ?”

 

“ତେବେ ଆଉ ରଖିଲା କିଏ ଏହି ଭୌତିକ ବୋତଲଟି ?”

 

“କଣ କହିଲ, ଭୌତିକ ବୋତଲ ? ତାର ମାନେ ?”

 

କିଉୟୀ ଭୌତିକ ବୋତଲ ସମ୍ବନ୍ଧରେ ଯାହା ସବୁ ଜାଣିଥିଲା ଓ ଅଙ୍ଗେ ନିଭାଇଥିଲା, ତାହା ସବୁ ବିଶଦଭାବରେ ବର୍ଣ୍ଣନା କଲା ଲୋପାକା ସାମାନାରେ ।

 

ସବୁ ଶୁଣିସାରି ଲୋପାକା କହିଲା, “ବଡ଼ ଅଦ୍ଭୁତ ତ !” କିଛିକ୍ଷଣ ନୀରବ ରହି ପୁଣି ସେ କହିଲା, ‘‘ମୋର ମନେହେଉଛି, ପରେ ହୁଏତ ଏହି ଭୌତିକ ବୋତଲଟିକୁ ନେଇ ତୁମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ; କିନ୍ତୁ ତୁମେ ଯାହା କହିଲ, ତାହା ଯଦି ସତ୍ୟ ହୋଇଥାଏ ତାହେଲେ ବିବ୍ରତ ହେବାର କାରଣ ମୁଁ କିଛି ଦେଖିପାରୁନି । ସୁବିଧା ଦେଖି ସେଇଟାକୁ ବିକ୍ରି କରିଦେଲେ ଚଳିବ । ତେବେ ମୁଁ କଣ କହୁଛି କି, ବୋତଲଦ୍ୱାରା ତୁମେ ତୁମର ଯାହା ହାସଲ କରିବା କଥା, କରିନିଅ । ବିକିବା ପୂର୍ବରୁ ଯଦି ତୁମର ହୁକୁମ ଅନୁଯାୟୀ ଭୂତଟି ସବୁ କାମ କରିଦେବ, ତେବେ ମୁଁ ତୁମକୁ କଥା ଦେଉଛି, ଏହି ଭୌତିକ ବୋତଲଟିର ଗ୍ରାହକ ମୁଁ ହେବି; କାରଣ ମୋର ବହୁଦିନର ଇଚ୍ଛା ଗୋଟିଏ ଜାହାଜ କିଣି ଦେଶବିଦେଶରେ ବଣିଜ କରିବା ।

 

କିଉୟୀ କହିଲା, “କଥାଟା ମନ୍ଦ ନୁହେଁ । କୋମା ବନ୍ଦରରେ ଯଦି ଗୋଟିଏ ଚମତ୍କାର ବଗିଚା ଥିବା ଘର ମିଳନ୍ତା, ତେବେ ନିହାତି ମନ୍ଦ ହୁଅନ୍ତାନି । ସେଇଠି ମୁଁ ଜନ୍ମ ହୋଇଥିଲି କି ନା;

 

ସେଇଥିପାଇଁ ସେ ସ୍ଥାନଟି ଉପରେ ମୋର ଗୋଟାଏ ମମତା ଅଛି । ସେଇଠି ଯଦି ଏହିପରି ଘରଖଣ୍ଡିଏ ମୋର ହୁଏ, ଯାହାର ବଗିଚାରେ ଫୁଟିଥିବ ନାନା ରଙ୍ଗର ଫୁଲ, ପ୍ରତିଟି ଝରକାରେ ଲାଗିଥିବ ଜରିର ଝାଲରଦିଆ ମଖମଲ ପରଦା, କାନ୍ଥରେ ଝୁଲୁଥିବ ଦୁନିଆର ଶ୍ରେଷ୍ଠ ଶ୍ରେଷ୍ଠ ଛବି, ତଳେ ବିଛାହୋଇଥିବ ଦାମୀ କାର୍ପେଟ, ଆଉ ଘରଟି ହେବ ଦୋତାଲା-ରାଜପ୍ରାସାଦ ପରି, ଚାରିପଟେ ଥିବ ବାରଣ୍ଡା, ଆଉ ସେଇଠି ବସି ବନ୍ଧୁବାନ୍ଧବମାନଙ୍କ ସହିତ ଆଲୋଚନା କରିବି ରାତିଦିନ-ଓଃ ! ଭାବିଲେ କି ଆନନ୍ଦ ।”

 

ଲୋପାକା କହିଲା, “ଠିକ୍ କହିଛ । ଯଦି ସତକୁ ସତ ଏହିପରି ଖଣ୍ଡିଏ ଘର ତୁମକୁ ଦେଇପାରେ ଏଇ ବୋତଲଭୂତ, ତା’ହେଲେ ଭାଇ, ମୁଁ ଏଇ ବୋତଲକୁ କିଣିବି । ତାପରେ ମାଲିକ ହେବି ବିରାଟ ଗୋଟିଏ ଜାହାଜର । ସଫଳ ହେବ ମୋର ସାରା ଜୀବନର ସ୍ୱପ୍ନ ।”

 

କିଉୟୀ ସଙ୍ଗେ ସଙ୍ଗେ ଅନ୍ୟ କଥା ପକାଇ କହିଲା, “ଆମ ଜାହାଜ କେବେ ହାୱାଇ ଯିବ କହିଲ ?”

 

“କାଲି ଭୋରରୁ ।”

 

ତହିଁଆରଦିନ ଭୋରରୁ ଜାହାଜ ନଙ୍ଗର ଉଠାଇ ଯାତ୍ରା ଆରମ୍ଭ କଲା ହାୱାଇ ଦ୍ୱୀପ ଅଭିମୁଖରେ । ଜାହାଜ ଚାଲିଛି ଜଳର ଢେଉ କାଟି କାଟି । ଆଉ ସେତିକିବେଳେ ବୋତଲ ଭିତରର ଅନ୍ଧକାର କଳାଛାଇ ଉନ୍ମତ୍ତ ହୋଇ ଡେଇଁବାକୁ ଲାଗିଲା । ଏହି ଡେଆଁ ଡେଇଁବେଳେ ବୋତଲ ଭିତରେ ଜଳିଲା ଲୋହିତ ଅଗ୍ନିର ଲୋଲୁପ ଶିଖା ।

 

କେଜାଣି କାହିଁକି କିଉୟୀର ମନେହେଲା, ବୋତଲର ଭୂତଟା କୌଣସି ଦୁଷ୍କାର୍ଯ୍ୟର ମତଲବ ନେଇ ଏହିପରି ହେଉଛି ।

ଏହି ଚିନ୍ତା ତା ମନରୁ ଦୂର କରିବା ପାଇଁ ବାରମ୍ବାର ଚେଷ୍ଟାକଲା କିଉୟୀ; କିନ୍ତୁ ଏହା ଦୂରହେବା ପରିବର୍ତ୍ତେ ବୃଦ୍ଧି ପାଇବାକୁ ଲାଗିଲା କ୍ରମଶଃ । ଫଳରେ ତା ମୁହଁରେ ମଳିନତା ଦେଖାଗଲା ଅଧିକ ।

 

ହଠାତ୍ ଲୋପାକାର ଦୃଷ୍ଟି ପଡ଼ିଗଲା କିଉୟୀ ଉପରେ । ସେ ସଙ୍ଗେ ସଙ୍ଗେ କହିପକାଇଲା, “ବନ୍ଧୁ ! ଘଟଣା କଣ ? ତୁମ ମୁହଁ କାହିଁକି ମଳିନ ହୋଇଯାଇଛି ?”

 

କିଉୟୀ କିଛି ଖୋଲି କହିଲା ନାହିଁ ତାକୁ । ଭାବିଲା ତାର ଦୁର୍ଭାବନା କଥା ଶୁଣିଲେ, ହୁଏତ ଲୋପାକା ତାକୁ ଥଟ୍ଟା କରିବ । କହିଲାନି ସିନା, ତା ମନରୁ ବିପଦର ଆଶଙ୍କା ଦୂର ହେଲାନି-। ତାର ମନେହେଲା ଭୀଷଣ ବିପଦ ତା ଆଡ଼କୁ ମାଡ଼ିଆସୁଛି ।

Image

 

ଛଅ

 

ହନଲୁଲୁରେ କିଉୟୀ ପାଇଁ ଯେଉଁ ଦୁଃସମ୍ବାଦ ଅପେକ୍ଷା କରିଥିଲା, ତାହା ସେ କଳ୍ପନା କରିନଥିଲା ।

 

ତୀରରେ ଓହ୍ଳାଇବା ସଙ୍ଗେ ସଙ୍ଗେ କିଉୟୀ ସହିତ ଦେଖା ହୋଇଗଲା ତାର ଜଣେ ବନ୍ଧୁଙ୍କର । ବନ୍ଧୁଜଣକ ତାକୁ ଦେଖିବାକ୍ଷଣି ଆରମ୍ଭ କରିଦେଲେ କନ୍ଦାକଟା ।

 

ଆଶ୍ଚର୍ଯ୍ୟ ହୋଇ କିଉୟୀ ପଚାରିଲା, “ଘଟଣା କ’ଣ ? ମୋତେ ଦେଖି କାନ୍ଦିଲ କାହିଁକି-?”

 

ବନ୍ଧୁଜଣକ କହିଲେ, “ତୁମର କକେଇ ମରିଯାଇଛନ୍ତି । ଆଉ ତାଙ୍କର ଏକମାତ୍ର ପୁଅ, ତୁମର କକେଇପୁଅ ଭାଇ ମଧ୍ୟ ସମୁଦ୍ରରେ ବୁଡ଼ି ମରିଯାଇଛନ୍ତି ।

 

ଏ ଖବର ଶୁଣି କିଉୟୀର ମୁଣ୍ଡ ଉପରେ ଯେପରି ଆକାଶ ଭାଙ୍ଗିପଡ଼ିଲା । ଛୋଟ ପିଲାଙ୍କ ପରି ସେ କାନ୍ଦିବାକୁ ଆରମ୍ଭ କରିଦେଲା । ଦୁନିଆରେ ତାର ବୋଲି ଆଉ କେହି ରହିଲେ ନାହିଁ ।

 

ଲୋପାକା ବୁଝିପାରିଲା, ଏହି ଅବସ୍ଥାରେ କିଉୟୀକୁ ସାନ୍ତ୍ୱନା ଦେଇ ଲାଭ ନାହିଁ । ତେଣୁ ସେ ନୀରବ ରହିଲା ।

 

ଅବଶେଷରେ କିଉୟୀର କାନ୍ଦ ଯେତେବେଳେ ଟିକିଏ କମିଲା, ସେତେବେଳେ ଲୋପାକା କହିଲା, ”ଆଚ୍ଛା ଭାଇ, ତୁମ କକେଇଙ୍କର କଣ ହାୱାଇ ଦ୍ୱୀପରେ କୌଣସି ଜିଲାରେ ଜମିଦାରୀ ଥିଲା ?”

 

“ନାଁ, ଠିକ୍ ହାୱାଇ ଦ୍ୱୀପରେ ନୁହେଁ । ପାହାଡ଼ ତଳେ, ହୀକେନାରେ ସାମାନ୍ୟ ଦକ୍ଷିଣରେ ଜମିଦାରୀ ଅଛି ।”

 

“ଏହିସବୁ ସମ୍ପତ୍ତି ତ ବର୍ତ୍ତମାନ ତୁମର ହେବ ?”

 

“ତାହା ସତ, କିନ୍ତୁ ମୁଁ ତ ତାହା ଚାହୁଁନି ।” ଏତିକି କହି ସେ ପୁଣି କାନ୍ଦିବାକୁ ଆରମ୍ଭ କରିଦେଲା ।

 

ଲୋପାକା କହିଲା, “ଦେଖ, ଯାହା ଯିବାର କଥା ଯାଇଛି; ବର୍ତ୍ତମାନ କାନ୍ଦିଲେ କଣ ତାହା ଫେରିଆସିବ ? ତେଣୁ ତାହା ଭୁଲିଯାଅ । ହଁ, ମୋ ମନରେ କିନ୍ତୁ ଗୋଟିଏ କଥା ବାରମ୍ବାର ଆଲୋଡ଼ନ ସୃଷ୍ଟି କରୁଛି । କାନ୍ଦଟା ଟିକିଏ ବନ୍ଦକରି ମୋ କଥା ଶୁଣ । ଏସବୁ କାଣ୍ଡ ଭୌତିକ ବୋତଲର ନୁହେଁ ତ ? ସେହି ଜାଗାରେ ତ ତୁମେ ଘରଦ୍ୱାର କରିବ ବୋଲି କହୁଥିଲ ।”

 

କାନ୍ଦୁ କାନ୍ଦୁ କହିଲା କିଉୟୀ, “ଯେବେ ତାହା ହୁଏ, ତେବେ ଧନଦୌଲତ ଦରକାର ନାହିଁ ମୋର । ଆତ୍ମୀୟ ସ୍ୱଜନଙ୍କୁ ମାରି ଧନଦୌଲତ ଭୋଗକରିବା ମୋର ଦରକାର ନାହିଁ । ମୁଁ ଯେତେବେଳେ ବୋତଲଭୂତକୁ ଗୋଟିଏ ଚମତ୍କାର ବଗିଚା ଥିବା ଘରକଥା କହିଥିଲି, ସେତେବେଳେ ମୁଁ ତାକୁ କହିନଥିଲି ଯେ ଦୁନିଆରେ ମୋର ଯେତେ ନିଜର ଲୋକ ଅଛନ୍ତି, ସମସ୍ତଙ୍କୁ ମାରି ମୋତେ ବଗିଚା ଥିବା ଘର ଦେବା ପାଇଁ; କିନ୍ତୁ ଏହା ବୋତଲଭୂତର କାଣ୍ଡ ବୋଲି ମୋର ମନେହେଉଛି । ସେହି ସ୍ଥାନରେ ଘର ତୋଲିବା ପାଇଁ ମୁଁ ମନେ ମନେ ସ୍ଥିର କରିଥିଲି ।”

 

“କିନ୍ତୁ ବର୍ତ୍ତମାନ ତ ତୁମର ଘର ତିଆରି ହୋଇନି ।” ଲୋପାକା କହିଲା ।

 

“ତିଆରି ହୋଇନାହିଁ କି କେବେହେଲେ ତିଆରି ହେବନି । ଯଦିଓ କକେଇ ଜମିଦାର ଥିଲେ ଏବଂ କିଛି ଟଙ୍କାପଇସା ବି ମୋ ପାଇଁ ରଖିଯାଇଛନ୍ତି, ତଥାପି ତାହା ସମୁଦ୍ରକୁ ଶଙ୍ଖେପଣା ପରି । କାରଣ ତାଙ୍କ ଜମିର ବେଶି ଭାଗ ଥିଲା କଳା ଲାଭାରେ ଭରପୂର ।”

 

“ତୁମେ ଯାହା କହ ଭାଇ, ମୋ ମନରେ ଏହି ବୋତଲ ଭୂତ କଥାଟା ବାରମ୍ବାର ଉଠୁଛି-। ସେଇଥିପାଇଁ କହୁଛି, ତୁମ କକେଇଙ୍କ ଓକିଲଙ୍କ ପାଖକୁ ଚାଲନା ଥରେ ।”

 

କିଉୟୀ ରାଜିହେଲା । ଲୋପାକା ତାକୁ ନେଇ ତାର କକେଇଙ୍କ ଓକିଲଙ୍କ ଅଫିସରେ ଯାଇ ହାଜର ହେଲା ।

 

ଓକିଲି ଭଦ୍ରଲୋକ । କିଉୟୀକୁ ଦେଖିବା କ୍ଷଣି ସେ ଦୀର୍ଘଶ୍ୱାସ ପକାଇ କହିଲେ, “ପ୍ରକୃତରେ ଅତ୍ୟନ୍ତ ଦୁଃଖଦାୟକ ହେଲେ ବି ଘଟଣାଟା ଆପଣଙ୍କୁ ଜଣାଇବାକୁ ବାଧ୍ୟ ହେଉଛି । ଆପଣଙ୍କ କକେଇ ଏବଂ ତାଙ୍କର ଏକମାତ୍ର ପୁତ୍ର ହଠାତ୍ ମୃତ୍ୟୁମୁଖରେ ପଡ଼ିଛନ୍ତି ।”

 

କିଉୟୀର ଚକ୍ଷୁରୁ ପୁଣି ଝରିଲା ଲୋତକର ବନ୍ୟା ।

 

ଓକିଲ କହିଲେ, “ମୃତ୍ୟୁ ପୂର୍ବରୁ ଆପଣଙ୍କ କକେଇ ପ୍ରଚୁର ଧନଦୌଲତର ମାଲିକ ହୋଇପଡ଼ିଥିଲେ । ତାଙ୍କର ସମସ୍ତ ସମ୍ପତ୍ତି ବର୍ତ୍ତମାନ ଆପଣଙ୍କର ପ୍ରାପ୍ୟ ।”

 

କକେଇ ତା ପାଇଁ ଅଚଳାଚଳ ସମ୍ପତ୍ତି ରଖିଯାଇଛନ୍ତି ! ବିସ୍ମୟରେ ଚାହାଁଚାହିଁ ହେଲେ କିଉୟୀ ଆଉ ଲୋପାକା ପରସ୍ପର ଆଡ଼କୁ ।

 

ମନର ଆବେଗ ଦମନ କରିପାରିଲାନି ଲୋପାକା । ସେ ଚିତ୍କାର କରି ଉଠିଲା-“ଏଇ ତ ତୁମର ଘର ତିଆରି କରିବା ଟଙ୍କା ।”

 

ଓକିଲ କହିଲେ, “ଆପଣ ଯଦି କୌଣସି ନୂତନ ଘର ତିଆରି କରିବାର ସିଦ୍ଧାନ୍ତ କରିଥାନ୍ତି, ତା’ହେଲେ ଏଇ ନିଅନ୍ତୁ ଜଣେ ଭଲ କଣ୍ଟ୍ରାକ୍ଟରର ଠିକଣା । ଅତି ଚମତ୍କାର ଘର ସବୁ ତିଆରି କରିଛନ୍ତି ସେ ।”

 

“ବାଃ, ଚମତ୍କାର !” ଲୋପାକା ପୁଣି ଚିତ୍କାର କରି ଉଠିଲା, “ତୁମ ପାଇଁ କେହି ଯେପରି ଆଗରୁ ଏସବୁ ସଜେଇ ରଖିଛି । ତୁମ ଆଗରେ ସବୁ କିଛି ବର୍ତ୍ତମାନ ସହଜ ହୋଇଯାଇଛି । ଆଉ ଡେରି ନକରି ଆଗେଇଯିବା ଦରକାର, ବୁଝିଲ ?”

 

ଓକିଲଙ୍କ ଅଫିସରୁ ବିଦାୟ ନେଲା ଲୋପାକା । ତାକୁ ବର୍ତ୍ତମାନ ଆଉ ଗୋଟିଏ ଜାହାଜରେ ସମୁଦ୍ର ଯାତ୍ରା କରିବାକୁ ହେବ କର୍ମସଂସ୍ଥାନ ପାଇଁ । ତେଣୁ ସେ କହିଲା, “ମୁଁ ତାହାହେଲେ ବର୍ତ୍ତମାନ ଯାଉଛି । ତୁମେ ଏକୁଟିଆ କଣ୍ଟ୍ରାକ୍ଟରର ଘରକୁ ଯାଅ ।

 

ଶୀଘ୍ର ଶୀଘ୍ର ଘରଟି ତିଆରି କରିଦିଅ, ଯେପରି ଅଳ୍ପଦିନ ପରେ ମୁଁ ତୁମର ନୂତନ ଗୃହ ଦେଖିବା ସୁଯୋଗ ପାଇବି ।” ଏଇଟା କହି ସଜୋରେ କିଉୟୀର କରମର୍ଦ୍ଦନ କରି ଜାହାଜଘାଟ ଆଡ଼କୁ ପାଦ ବଢ଼ାଇଲା ଲୋପାକା ।

 

ସାରା ଦିନ ଧରି ଭାବିବାକୁ ଲାଗିଲା କିଉୟୀ । ତାର ବିଶ୍ୱାସ ହେଉ ନଥିଲା ସେତେବେଳେ କୌଣସିଥିରେ; କିନ୍ତୁ ବର୍ତ୍ତମାନ ବିଶ୍ୱାସ ନକରି ଉପାୟ କଣ ?

 

କିଛି ଭଲ ଲାଗିଲାନି ତାକୁ; କିନ୍ତୁ ମନ ଖରାପ କରି କେତେ ଦିନ ବସି ରହି ପାରିବ ? ତେଣୁ ସେ ବାହାରିପଡ଼ିଲା ରାସ୍ତା ଉପରକୁ । ଟିକିଏ ବୁଲାଚଲା କଲେ ଅବା ମନଟା ଭଲ ଲାଗିପାରେ ।

 

ସେତେବେଳକୁ ଉପରବେଳା । ଦଳେ ଛୋଟ ଚଢ଼େଇ ନୀଳ ଆକାଶରେ ଡେଣା ପିଟି ଉଡ଼ିଯାଉଥାନ୍ତି ନୀଡ଼ ଉଦ୍ଦେଶ୍ୟରେ । ପ୍ରାନ୍ତରରେ, ଗଛ-ପତ୍ରରେ, ଘାସରେ ଅପରାହଣର ସୁନେଲୀ ଖରାର ହସ । ରାସ୍ତାରେ ମଣିଷର ଭିଡ଼ । ସଂଖ୍ୟାହୀନ ବିପର୍ଯ୍ୟସ୍ତ କାହାଣୀର ମିଶ୍ରିତ ସ୍ୱର । କିନ୍ତୁ ସେ ଆଡ଼କୁ ନଜର ନଥିଲା କିଉୟୀର । ବୁଲିବାକୁ ବାହାରିଥିଲେ ବି ଚିନ୍ତାର ଗ୍ରାସରୁ ମୁକ୍ତି ପାଇ ପାରି ନଥିଲା ସେ । ଏଥିଭିତରେ କେତେବେଳେ ଯେ ଓକିଲ ଭଦ୍ରଲୋକ ଦେଇଥିବା ଠିକଣା ଅନୁଯାୟୀ ସେ ସେହି କଣ୍ଟ୍ରାକ୍ଟରଙ୍କ ଘରେ ପହଞ୍ଚି ଯାଇଛି, ତାହା ସେ ନିଜେ ଜାଣେନା । ଖିଆଲ ହେଲା କଣ୍ଟ୍ରାକ୍ଟରଙ୍କ ଘର ଭିତରେ ପଶିବା ପରେ ।

 

କଣ୍ଟ୍ରାକ୍ଟର କିନ୍ତୁ ତାର ଏହି ଆକସ୍ମିକ ଆଗମନରେ ଆଦୌ ଆଶ୍ଚର୍ଯ୍ୟ ହେଲେନି । ତାକୁ ଦେଖିବା ମାତ୍ର ସଙ୍ଗେ ସଙ୍ଗେ ପଚାରିଲେ, “କାହାକୁ ଚାହାନ୍ତି ଆପଣ ?”

 

ଏତିକିବେଳେ ଯେପରି ଜ୍ଞାନ ଫେରିପାଇଲା କିଉୟୀ । ଟିକିଏ ଇତସ୍ତତଃ ହୋଇ ସେ କହିଲା, “ମୁଁ ଗୋଟିଏ ନୂଆ ଧରଣର ଘର ତିଆରି କରିବାକୁ ଚାହେଁ । ଆପଣ ମୋତେ ସେହି କାର୍ଯ୍ୟରେ କିଛି ସାହାର୍ଯ୍ୟ କରିପାରିବେ ?”

 

ସଙ୍ଗେ ସଙ୍ଗେ କଣ୍ଟ୍ରାକ୍ଟର ତାଙ୍କ ଖାତାପତ୍ର ଖୋଲି ତା’ ହାତକୁ ଗୋଟିଏ ଘରର ନକ୍ସା ବଢ଼େଇଦେଇ କହିଲେ, “ଆଚ୍ଛା ! ଦେଖନ୍ତୁ ତ, ଏହି ନକ୍ସାଟା ଆପଣଙ୍କ କାମରେ ଲାଗିବ କି ନା ? ଆପଣ ତ ନୂଆ ଧରଣର ଘର ଚାହାନ୍ତି । ମୁଁ ଆଜି ଏହି ଚମତ୍କାର ଘର ନକ୍ସାଟି ତିଆରି କରିଛି ।”

 

କିଉୟୀ ନକ୍ସାଟି ଉପରେ ଦୃଷ୍ଟିନିକ୍ଷେପ କରିବା ସଙ୍ଗେ ସଙ୍ଗେ ଅବାକ୍ ହୋଇଗଲା । ସେ ମନେ ମନେ ଯେଉଁ ଧରଣର ଘରକଥା ଭାବୁଥିଲା, ଠିକ୍ ସେହି ଧରଣର ଘର ପାଇଁ ନକ୍ସା ତିଆରି ହୋଇଛି । ସେ ଉଚ୍ଛ୍ଵସିତ ଭାବରେ ମନକୁ ମନ କହିଉଠିଲା, ଏଇଥର ମୋ ଘର ତିଆରି ହେବ ହିଁ ହେବ । ମୁଁ ମନରେ ଯାହା ଭାବୁଛି, ସେଇଆ ହିଁ ଘଟୁଛି । ଏହିଥର ଶୟତାନ ସହିତ ତାଳଦେଇ ଚାଲିବି-ଯାହା ବରାଦ ଥିବ ହେବ । ତା’ପରେ କଣ୍ଟ୍ରାକ୍ଟରଙ୍କ ଆଡ଼କୁ ଚାହିଁ ପଚାରିଲା, “ଏହି ଧରଣର ଗୋଟିଏ ଘର ତିଆରି କରି ସେଇଟିକୁ ସୁସଜ୍ଜିତ କରିବାରେ ମୋଟରେ କେତେ ଟଙ୍କା ଲାଗିବ ବୋଲି ଅଟକଳ କରିଛନ୍ତି ଆପଣ ?”

 

ଟିକିଏ ଚିନ୍ତା କରି କଣ୍ଟ୍ରାକ୍ଟର କହିଲେ, “ଜମି ଓ ଆସବାବର ଦାମ୍ ସମେତ ଏହି ଧରଣର ଗୋଟିଏ ଘର ତିଆରି କରିବା ପାଇଁ ଅଣାନବେ ହଜାର ପାଞ୍ଚଶହ ଅଠଷଠି ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଯିବ ବୋଲି ମୋର ମନେହୁଏ । ନକ୍ସାଟି ତିଆରି କରିବା ବେଳେ ଖର୍ଚ୍ଚର ମୋଟାମୋଟି ଗୋଟିଏ ହିସାବ ମଧ୍ୟ କରିଛି; ତେବେ ଅଳ୍ପ କମ୍ ବେଶି ହୋଇପାରେ ।

 

ବିସ୍ମୟରେ ନିର୍ବାକ୍ ହୋଇଯାଇଛି କିଉୟୀ । ସ୍ତମ୍ଭିତ ହୋଇ ସେ ସେତେବେଳେ ଭାବୁଥିଲା, କକେଇ ମୋ ପାଇଁ ଯେତେ ଟଙ୍କା ରଖିଯାଇଛନ୍ତି, ଠିକ୍ ସେତିକି ଟଙ୍କା ଲାଗିବ ବୋଲି କହୁଛି ଲୋକଟା ! କି ଆଶ୍ଚର୍ଯ୍ୟ ! ତା’ହେଲେ ଏହି ଧରଣର ଘରଟି ମୁଁ ନିଶ୍ଚୟ କରିପାରିବି । କାହିଁକି ପାରିବିନି ? ତେବେ ଟିକିଏ ଗଲ୍‍ତି ରହିଯାଇପାରେ । ଘରଟି ପାଉଛି ଏହି ନରକର ଶୟତାନଠାରୁ । ମୋର ଭୟ ହେଉଛି, ଘରଟା ହୁଏତ ସେତେ ସୁବିଧା ହେବନି ମୋ ପକ୍ଷେ... । ନହେଲେ ବି ମୋର ଘରଟା ଦରକାର । ଶୟତାନ ପାଲରେ ଯେତେବେଳେ ପଡ଼ିଛି, ସେତେବେଳେ ଜାଣିଛି ମୋର ଆଉ ନିସ୍ତାର ନାହିଁ l ତେବେ କାହିଁକି ଦୁର୍ଭାଗ୍ୟ ସହିତ ସୌଭାଗ୍ୟକୁ ମାନିନେବିନି ?

 

ଏହା ଭାବି ସେ ସଙ୍ଗେ ସଙ୍ଗେ କଣ୍ଚ୍ରାକ୍ଟର ସହିତ ଘର ତିଆରିର ଚୁକ୍ତି ଶେଷ କଲା । ସେ ଠିକ୍ କଲା, ସେହି ସବୁ ଆଶ୍ଚର୍ଯ୍ୟ ବ୍ୟାପରରେ ଆଉ ତା’ ମୁଣ୍ଡ ଖେଳେଇବନି । ଏହି କଣ୍ଟ୍ରାକ୍ଟର ଆଉ ବୋତଲଭୂତକୁ ସେମାନଙ୍କ ଇଚ୍ଛା ମୁତାବକ ଘର ତିଆରି କରିବା ପାଇଁ ସୁଯୋଗ ଦିଆଯାଉ ।

 

ତା’ପରେ କୁଉୟୀର ଘରତୋଳା କାମ ଆରମ୍ଭ ହୋଇଥିଲା କେତେ ଦିନ ଭିତରେ ।

Image

 

ସାତ

 

ଘର ତିଆରି ହୋଇଯାଇଛି କିଉୟୀର ।

 

ଅପୂର୍ବ ସୁନ୍ଦର ସେ ଘର-ଯେପରି ଚାହୁଁଥିଲା, ଠିକ୍ ସେହିପରି । ମୂଳରୁ ଚୂଳ ପର୍ଯ୍ୟନ୍ତ ମାର୍ବଲପଥରରେ ତିଆରି । ଚାରିପଟେ ଫୁଲ ବଗିଚା । ଆଉ ସେହି ବଗିଚାକୁ ଆଲୋକିତ କରି ଫୁଟିଛି ଅଜସ୍ର ଫୁଲ-ପୃଥିବୀର ଶ୍ରେଷ୍ଠ ବଗିଚାରେ ମଧ୍ୟ ସେପରି ଫୁଲ ଦେଖିବାକୁ ମିଳେନା ।

 

ପ୍ରତ୍ୟକଟି ଝରକାରେ ଝୁଲୁଛି ଜରିର ଝାଲରଦିଆ ମଖମଲର ପର୍ଦ୍ଦା, କାନ୍ଥରେ ପୃଥିବୀର ଶ୍ରଷ୍ଠ ଛବିସବୁ-ଠିକ୍ ଯେପରି ସେ ଆଶା କରିଥିଲା, ସେହିପରି ହୋଇଛି ।

 

ଖୁଣ୍ଟମାନଙ୍କରେ ଅପୂର୍ବ କାରୁକାର୍ଯ୍ୟ । ଚାରିଆଡ଼େ ବାରଣ୍ଡା, ତଳେ ଦାମିକା କାର୍ପେଟ । କାର୍ପେଟ ଏତେ କୋମଳ ଯେ ତା ଉପରେ ଚାଲିଲେ ପାଦକୁ ଆରାମ ଲାଗିବ ।

 

ସେ ଦିନ ସକାଳ । ଘରର ମାଲିକ କିଉୟୀ ବସିରହିଛି ଖଣ୍ଡିଏ ଆରାମଚୌକି ଉପରେ-

 

ହଠାତ୍ ତାର ନଜର ପଡ଼ିଲା ଫାଟକ ଆଡ଼କୁ । ନାବିକର ପୋଷାକ ପିନ୍ଧି ଗୋଟିଏ ଲୋକ ଅବାକ୍ ହୋଇ ଠିଆହୋଇ ରହିଛି ଫାଟକ ନିକଟରେ ।

 

ଲୋକଟା ଅସ୍ପଷ୍ଟ ସ୍ୱରରେ କଣ ଯେପରି କହୁଥିଲା ସେତେବେଳେ । କିଛି ସମୟ ପରେ ସେ ଟିକିଏ ଇତସ୍ତତଃ ହୋଇ ପଶିଲା ଘର ଭିତରକୁ । ଦୁଇ ଆଖିରେ ପ୍ରଚୁର ବିସ୍ମୟ ଭରି ଚାରିଆଡ଼କୁ ଅନାଇ ଅନାଇ ସେ ବାରଣ୍ଡା ଆଡ଼କୁ ଅଗ୍ରସର ହେଲା ଧୀରେ ଧୀରେ । ତା’ପରେ କେତେବେଳେ ଯେ ସେ ବୈଠକଖାନାର ମଖମଲ ପର୍ଦ୍ଦା ପାରିହୋଇ ଭିତରକୁ ଯାଇଛି, ତାହା ମଧ୍ୟ ସେ ଜାଣିପାରିନି ।

 

ବୈଠକଖାନାରେ ଜଣେ ସୁଦର୍ଶନ ସ୍ୱାସ୍ଥ୍ୟବାନ ତରୁଣ ସୋଫାରେ ନିଜକୁ ଲୋଟାଇ ଦେଇ ପାଇପ୍ ଟାଣି ଟାଣି ଏକ ବହି ପଢ଼ୁଥିଲେ ନିବିଷ୍ଟ ଚିତ୍ତରେ । ପାଦର ଖସଖସ୍ ଶବ୍ଦ ଶୁଣି ସେ ମୁଣ୍ଡ ଉଠାଇ ଚାହିଁଲେ ଲୋକଟା ଆଡ଼କୁ ।

 

“ଆରେ ! ଲୋପାକା ଯେ ! ଆସ, ଆସ । ବସ ଭାଇ !” –ସାଦର ଅଭିନନ୍ଦନର ସ୍ୱର ଶୁଣାଗଲା ।

 

ସେତେବେଳକୁ ସ୍ତମ୍ଭିତ ଭାବ ପୂରାପୂରି କଟିଯାଇନାହିଁ ଲୋପାକାର । ଯନ୍ତ୍ରଚାରିତ ପରି ସେ ବସିପଡ଼ିଲା ଗୋଟିଏ କାଉଚ୍ ଉପରେ । ତା’ପରେ ସ୍ତମ୍ଭିତ ସ୍ୱରରେ ସେ କହିଲା, “ସୁନ୍ଦର ଘରଟିଏ କରିଛ ତ କିଉୟୀ ? ଏପରି ସୁନ୍ଦର ଘରଟିଏ ମଣିଷ ତିଆରି କରିବା କଥା ଦୂରେ ଥାଉ, କଳ୍ପନା ମଧ୍ୟ କରିପାରିବନି କେବେହେଲେ ।”

 

“ହଁ, ଘରଟି କୁଆଡ଼େ ଅତି ଚମତ୍କାର ହୋଇଛି ବୋଲି ସମସ୍ତେ କହୁଛନ୍ତି । ହବନି କାହିଁକି ? ନରକ-ଭୂତର ଅସାଧ୍ୟ ବା କଣ ଅଛି ? ଏହି ଘରଦ୍ୱାର ସବୁ ତ ସେହି ଭୌତିକ ବୋତଲର ଦୌଲତରେ । ଆଚ୍ଛା ! ଘରକଥା ସେତିକି ଥାଉ । ଏଥର କହିଲ, ତୁମ ଖବର କଣ ?”

 

“କଣ ଆଉ ଖବର ? ସେ କଥା ଆଉ ପଚାରୁଛ କାହିଁକି ? ନାବିକମାନଙ୍କର ହାଲଚାଲ ତ ତୁମକୁ ଅଛପା ନାହିଁ । ଖଟି ଖଟି ଜୀବନ ଚାଲିଗଲାଣି ଭାଇ ! ବହୁତ କଷ୍ଟରେ ବର୍ତ୍ତମାନ ତିନିଦିନ ଛୁଟି ପାଇଛି; ସେଥିପାଇଁ ଭାବିଲି, କିଉୟୀକୁ ଟିକିଏ ଅଭିନ୍ଦନ କରିଆସେ । ତା’ଛଡ଼ା ଗୋଟିଏ ଉଦ୍ଦେଶ୍ୟ ମଧ୍ୟ ଅଛି । ସେଇଟି ହେଲା...ଲୋପାକା ଥମିଗଲା ଟିକିଏ ।

 

ଆଗ୍ରହର ସହିତ ପ୍ରଶ୍ନ କଲା କିଉୟୀ–

 

“କି ଉଦ୍ଦେଶ୍ୟ ? କହୁ କହୁ ଥମିଗଲ କାହିଁକି ?”

 

“ତୁମେ ତ ଜାଣ ଭାଇ, ମୁଁ ବହୁଦିନଧରି ପେଟରୁ କାଟି ଟଙ୍କା ଜମାଇଛି ଖଣ୍ଡିଏ ଜାହାଜ କିଣିବା ପାଇଁ ।” ଲୋପାକା କହିବାକୁ ଲାଗିଲା- “କିନ୍ତୁ ନାବିକମାନେ କେମିତି ଟଙ୍କା ପାଆନ୍ତି ତାହା ତୁମକୁ ଅଜଣା ନାହିଁ । ଏତେ ଦିନ ଭିତରେ ଖଣ୍ଡିଏ ଡଙ୍ଗା କିଣିବା ଭଳି ଟଙ୍କା ବି ଯୋଗାଡ଼ କରିପାରିଲି ନାହିଁ । ମୋର ଅନେକ ଦିନର ସ୍ୱପ୍ନ ଖଣ୍ଡିଏ ଜାହାଜ କିଣି ଦେଶ ଦେଶ ବୁଲି ବେପାର-ବଣିଜ କରିବା । ସ୍ନପ୍ନ ସ୍ୱପ୍ନରେ ରହିଗଲା । କେବେ ସଫଳ ହେବ କି ନା ତାହା .... ।”

 

“ତା ମୁହଁରୁ କଥାକୁ ଛଡ଼ାଇନେଇ କିଉୟୀ କହିଲା, ”ସେଥିପାଇଁ ଏତେ ଭାବିବାର କଣ ଅଛି ? ବୋତଲଟା ତ କିଣିନେଲେ ତୁମର ସ୍ୱପ୍ନ ସଫଳ ହୋଇଯିବ ଅତି ସହଜରେ !”

 

“ମୋର ଏଠାକୁ ଆସିବାର ଉଦ୍ଦେଶ୍ୟ ମଧ୍ୟ ତାହା । ତୁମର ବୋତଲ ସମ୍ପର୍କରେ ଗୋଟାଏ ଫଇସଲା କରି କିଣିବାର ଇଚ୍ଛା ନେଇ…. ।”

 

“ବେଶ୍, ବୋତଲଟି ତୁମେ ଯେତେବେଳେ ଇଚ୍ଛା ସେତେବେଳେ କିଣିନେଇପାର । ତୁମ କହିବା ମୁତାବକ ବୋତଲଟିକୁ ମୁଁ ରଖିଦେଇଛି; ବର୍ତ୍ତମାନ ସୁଦ୍ଧା କାହାରିକାକୁ ଦେଖାଇନି ।”

ଲୋପାକା କହିଲା, “ଦେଖୁଛି, ବୋତଲଟି ତୁମକୁ ଅସୀମ ସୌଭାଗ୍ୟ ଆଣିଦେଇଛି ।”

“ତୁମେ କଣ କହିବାକୁ ଚାହୁଁଛ ତାହା ସ୍ପଷ୍ଟଭାବରେ ମୋତେ କୁହ ।”

“ଦେଖ ଭାଇ, ତୁମକୁ ସିଧା କଥାଟି କହିଦେଉଛି । ମୋର ମନେହେଉଛି-ଅନ୍ତତଃ ଆଶା କରୁଛି ଯେ ତୁମଠାରୁ ବୋତଲଟି କିଣିନେଲେ, ତାର ଦୌଲତରେ ଗୋଟିଏ ବିରାଟ ଜାହାଜ କିଣିପାରିବ । ତଥାପି ମୋର ସନ୍ଦେହ ଦୂର ହେଉନି ଭାଇ ! ଇଏ ଯେପରି ଠିକ୍ ସେହି ଆଲାଦ୍ଦିନର ଆଶ୍ଚାର୍ଯ୍ୟ ପ୍ରଦୀପର ଗଳ୍ପ । ତାହା ହେଲା ଆରବ୍ୟ ଉପନ୍ୟାସର କାହାଣୀ, ରୂପକଥାର ପୃଷ୍ଠାରେ ହିଁ ସମ୍ଭବ; କିନ୍ତୁ ବାସ୍ତବ ଜୀବନରେ କେବେହେଲେ ତାହା ଘଟିପାରିବ ମୁଁ ଆଦୌ ବିଶ୍ୱାସ କରିପାରୁନି-।”

କୌଣସି ଉତ୍ତର ଦେଲାନି କିଉୟୀ; କେବଳ ନୀରବରେ ପାଇପ୍ ଟାଣିବାକୁ ଲାଗିଲା ।

ଲୋପାକା କହିଚାଲିଲା, “ତୁମକୁ ମୁଁ ଅବଶ୍ୟ କଥା ଦେଇଥିଲି ଯେ ଏପରି ଗୋଟିଏ ଘର ଯଦି ତୁମକୁ ନରକର ବୋତଲଟା ଦେଇପାରେ, ତେବେ ତୁମକୁ ଆଉ ନୂଆ ଗ୍ରାହକ ପାଇଁ ଭାବିବାକୁ ପଡ଼ିବନି, ମୁଁ କିଣିନେବି ସେହି ବୋତଲଟିକୁ; କିନ୍ତୁ ଏ ପର୍ଯ୍ୟନ୍ତ ଏସବୁ ମୁଁ ବିଶ୍ୱାସ କରିପାରୁନି ଆଦୌ । ତୁମେ ଆମୂଳଚୂଳ ଭାବି ଦେଖ, ଯାହା ଘଟୁଛି ତାହା ସବୁ ତୁମର ଭାଗ୍ୟଗୁଣରୁ ବି ହୋଇଥାଇପାରେ । ତୁମ କକେଇଙ୍କ ଶେଷ ଜୀବନରେ ଧନଦୌଲତ ଲାଭ, ତାଙ୍କର ଏବଂ ତାଙ୍କ ପୁତ୍ରଙ୍କର ଆକସ୍ମିକ ମୃତ୍ୟୁ ସୁତରାଂ ଏସବୁ ଯେ କେବଳ ବୋତଲ ପାଇଁ ହିଁ ଘଟିଛି, ତାର କୌଣସି ଦୃଢ଼ କାରଣ ନାହିଁ । ଏହି ଭୌତିକ ବୋତଲଟାର ହୁଏତ ଏସବୁ ଘଟଣାରେ କୌଣସି ପ୍ରକାର ହାତ ନାହିଁ । ଆଉ ତା’ପରେ ଯଦି ମୁଁ ବୋତଲଟି କିଣେ ଅଥଚ କୌଣସି ଜାହାଜ ନପାଏ, ସେତେବେଳେ ମୋର ଅବସ୍ଥାଟା କଣ ହେବ, ଭାବି ଦେଖ ତ ଥରେ ! ଜାଣିଶୁଣି କିଏ ନିଆଁରେ ହାତ ମାରିବାକୁ ଚାହେଁ ? ଆଚ୍ଛା ତୁମେ କଣ ଏହି ବୋତଲଭୂତର କୌଣସି ପ୍ରମାଣ ଦେଇପାରିବ, ମୋତେ ?”

“ନାଁ ଭାଇ, ମୁଁ ଆଉ ସେହି ବ୍ୟାପାରରେ ନାହିଁ ।” କିଉୟୀ ମୁଣ୍ଡ ହଲାଇଲା, “ମୁଁ ଏହି ନରକର ବୋତଲ ପାଖରୁ ଆଉ କିଛି ଚାହୁଁନି । ଯାହା ପାଇଛି ତାହା ଯଥେଷ୍ଟ । ଆଉ ବେଶି ପାଇବାକୁ ଚାହୁଁନି ମୁଁ ।”

ଲୋପାକ କିନ୍ତୁ ସନ୍ତୁଷ୍ଟ ହେଲାନି ଏହି କଥାରେ । ସେ କିଛି ନକହି ଗୋଟିଏ ସିଗାରେଟରେ ନିଆଁ ଧରାଇ ଟାଣିବାକୁ ଲାଗିଲା ।

କିଉୟୀ ଧୀରେ ଧୀରେ ପାଦ ପକାଇ ଚାଲିଲା ଗୋଟିଏ ଆଲମାରି ପାଖକୁ । ଆଲମାରିଟି ଆସ୍ତେ ଖୋଲି ନେଇଆସିଲା ସେହି ବୋତଲଟିକୁ । ଲୋପାକା ହାତ ବଢ଼ାଇ ବୋତଲଟାକୁ ନେଇଯାଇ ବୁଲେଇବାଲେଇ ଦେଖିବାକୁ ଲାଗିଲା ଭଲଭାବରେ ।

ଗୋଟାଏ ଲମ୍ବା ବେକବାଲା ପେଟମୋଟା ବୋତଲ । କାଚଟି ଦୁଧପରି ତୋଫା ଧଳା-। ବାରମ୍ବାର ରଙ୍ଗ ବଦଳୁଛି ସେହି ଆଶ୍ଚର୍ଯ୍ୟ ବୋତଲଟିର । ତେବେ ଭିତରେ ଯେଉଁ ନିଆଁ ଜଳୁଛି, ତାହା ଲୋପାକା ବୁଝିପାରିଲା । ଆଉ ଗୋଟିଏ କଳା ଛାଇ ସେହି ବୋତଲଟା ମଧ୍ୟରେ ଘୂରିବୁଲୁଥିବାର ମନେହେଲା ତାହାର ।

କଣ ଭାବିଲା କେଜାଣି ଲୋପାକା, ହଠାତ୍ କହିଉଠିଲା-

“ଆଚ୍ଛା, ଗୋଟିଏ କାମ କଲେ ହୁଅନ୍ତା ନାହିଁ ”

ଜିଜ୍ଞାସୁ ନୟନରେ ଚାହିଁରହିଲା କିଉୟୀ ତା ଆଡ଼କୁ ।

“ଧର, ତୁମେ ବୋତଲର ଭୂତଟିକୁ ବୋତଲରୁ ବାହାରି ଆସିବାକୁ କହିଲ-ଯେଉଁଥିରେ ଆମେ ବୁଝିପାରିବା ତା ଭିତରେ ଗୋଟିଏ ଭୂତ ଅଛି ।

କିଉୟୀ କହିଲା, “ତାହାଦ୍ୱାରା ତ କୌଣସି ସୌଭାଗ୍ୟର କାମନା କରାଗଲା ନାହିଁ ଭୂତ ପାଖରେ ! ତାକୁ କେବଳ ଆଖିରେ ଦେଖିଲେ କି ଲାଭ ହେବ ତୁମର ?”

ଲୋପାକା କହିଲା, “କିନ୍ତୁ ମୁଁ ଯଦି ଥରେ ତାକୁ ଦେଖିବାକୁ ପାଏ, ତେବେ କି ଜିନିଷ କିଣିବାକୁ ଯାଉଛି ତାହା ସମ୍ବନ୍ଧରେ ନିଶ୍ଚିନ୍ତ ହେବି ।”

“ଧର, ଭୂତଟା ଦେଖିବାକୁ ଖୁବ୍ କୁତ୍ସିତ । ସେତେବେଳେ ତୁମେ ବୋତଲଟା ହୁଏତ କିଣିବା ପାଇଁ ରାଜି ନହୋଇପାର ।”

ଲୋପାକା ସଙ୍ଗେ ସଙ୍ଗେ ଶପଥ କରି କହିଲା, “ଭୂତଟା ଯେତେ କୁତ୍ସିତ ହେଲେ ବି, ବୋତଲଟି ମୁଁ ନିଶ୍ଚୟ କିଣିବି ।”

ଲୋପାକାଠାରୁ ଏଇତକ ଶୁଣିବା ସଙ୍ଗେ ସଙ୍ଗେ କିଉୟୀ ବୋତଲଟାକୁ ଟେବୁଲ ଉପରେ ରଖି ଘରର ଗୋଟିଏ କୋଣକୁ ଘୁଞ୍ଚିଯାଇ କହିଲା, “ଥରେ ବାହାରକୁ ବାହାରି ଆସ ତ ଭୂତ ମହାଶୟ, ତୁମକୁ ଦେଖିବାକୁ ଚାହେଁ ମୁଁ ।”

କଥା ଶେଷ ହେବା ସଙ୍ଗେ ସଙ୍ଗେ ବୋତଲ ଭିତରୁ ପୁଳାଏ କଳାଧୂଆଁ ବାହାରି ଶୂନ୍ୟରେ କିଛି ସମୟ ଭାସି ଭାସି ଜମାଟ ବାନ୍ଧିବାକୁ ଲାଗିଲା । ତା’ପରେ ଯେଉଁ ବୀଭତ୍ସ ଦୃଶ୍ୟ ଦେଖିଲେ ସେମାନ, ସେଥିରେ ଆତଙ୍କିତ ହୋଇଉଠିଲା ସେମାନଙ୍କର ମନ ଓ ପ୍ରାଣ । ମନେହେଲା ମୃତ୍ୟୁ ଆଉ ଡେରି ନାହିଁ ଉଭୟଙ୍କର । ଗୋଟାଏ ଚଳନ୍ତା ଭୂତ; ଦୈତ୍ୟ ପରି ବିରାଟ କୁତ୍ସିତ ଚେହେରା । ପ୍ରଥମେ ଚକ୍ଷୁ ଦୁଇଟି ଥିଲା ପୀତାଭ, ସ୍ଥିର, ଜ୍ୟୋତିହୀନ, ନିଷ୍ପ୍ରଭ ।

ତା’ପରେ ହଠାତ୍ ଜଳିଉଠିଲା ସେହି ଚକ୍ଷୁ ଦୁଇଟା । ଗୋଟିଏ କ୍ରୁଦ୍ଧ ଗର୍ଜନ ଶୁଣାଗଲା-ଅଁ..ଅଁ...ଅଁ ! କି ବିକଟ ସେହି ଶବ୍ଦ !

ଆଉ ସହିପାରିଲାନି ଲୋପାକା । ଆର୍ତ୍ତସ୍ୱରରେ ଚିତ୍କାର କରି ଉଠିଲା, “ହୋଇଛି, ହୋଇଛି ! ଯଥେଷ୍ଟ ଦେଖିଛି ମୁଁ । ଆଉ ଚାହେଁ ନା, ଆଉ ଦେଖିବାକୁ ଚାହେଁ ନା ।”

କିଉୟୀ ମଧ୍ୟ ଧୈର୍ଯ୍ୟ ହରାଇ ସାରିଥିଲା । ପ୍ରକୃତିସ୍ଥ ହେବା କ୍ଷଣି ସେ ବି ଚିତ୍କାର କରିଉଠିଲା, “ବୋତଲଭୂତ, ଫେରିଯାଅ ! ପୁଣି ତୁମେ ବୋତଲର ଅନ୍ଧକାର ଗର୍ଭକୁ ଫେରିଯାଅ….ଯାଅ; ଅତିଶୀଘ୍ର ଫେରିଯାଅ ।”

ସଙ୍ଗେ ସଙ୍ଗେ ଶୁଣାଗଲା ଗୋଟିଏ କ୍ଷୀଣ ଗର୍ଜନ-ଅଁ...ଅଁ…ଅଁ । ତା’ପରେ ଅଦୃଶ୍ୟ ହୋଇଗଲା ସେହି ମୂର୍ତ୍ତି ।

ସ୍ତମ୍ଭିତଭାବେ ଉଭୟେ କିଛି ସମୟ ଚାହିଁରହିଲେ ପରସ୍ପର ଆଡ଼କୁ-ପଦେ କଥା କହିବାର ଶକ୍ତି ମଧ୍ୟ ନଥିଲା ସେମାନଙ୍କର ସେତେବେଳେ ।

ସେମାନେ ଦେଖିଲେ କଣ ?

କୌଣସି ମଣିଷର କଳ୍ପନା ଯେଉଁ ବୀଭତ୍ସତାର କଥା ଭାବିବାକୁ ଅକ୍ଷମ, ତାହା ଦେଖିଲେ ସେମାନେ ସ୍ୱଚକ୍ଷୁରେ । ସେତେବେଳେ ଭାସିଆସୁଥିବା ସେମାନଙ୍କ କାନକୁ ସେହି ବିକଟ ଶବ୍ଦ-ଅଁ..ଅଁ...ଅଁ । ସେତେବେଳେ ଝାଇଁ ଝାଇଁ କରି ଉଠୁଥିଲା ସେମାନଙ୍କର ମସ୍ତିଷ୍କର ସ୍ନାୟୁଗୁଡ଼ିକ l ମୁହଁ ବିବର୍ଣ୍ଣ ହୋଇଯାଇଥାଏ ସେମାନଙ୍କର ଏକ ଅଜଣା ଆତଙ୍କରେ । ଠକ୍ ଠକ୍ ହୋଇ କମ୍ପିଉଠୁଥିଲା ସେମାନଙ୍କର ସମସ୍ତ ଦେହ ।

ଏଇମିତି କେତେ ସମୟ ଯେ କଟିଗଲା ତାର ହିସାବ ନାହିଁ । କିଛି କ୍ଷଣ ପରେ ଅସ୍ୱସ୍ତିକର ଜମାଟ ସ୍ତବ୍ଧତା ଭାଙ୍ଗିଲା ପ୍ରଥମେ ଲୋପାକାର କଣ୍ଠସ୍ୱରରେ । ଲୋପାକା କହିଲା, “ବର୍ତ୍ତମାନ ବୋତଲଟି ସମ୍ବନ୍ଧରେ ସବୁକଥା ବିଶ୍ୱାସ କରିବାକୁ ହେବ ।”

ମଳିନ ମୁହଁରେ ଚାହିଁରହିଲା କିଉୟୀ ତା’ଆଡ଼କୁ । ସେତେବେଳେ ସୁଦ୍ଧା କଥା କହିବାର ଶକ୍ତି ଫେରିପାଇନଥିଲା ସେ ।

ଲୋପାକା ପୁଣି କହିଲା, “ମୋ କଥା ତୁମେ ରଖିବାକୁ ହେବ ଏଥର । ତୁମେ ପରା ପଚାଶ ଡଲାର ଦେଇ କିଣିଥିଲ ବୋତଲଟିକୁ ?

“ହଁ…”

“ତାର ମାନେ, ଏହି ବୋତଲଟିକୁ କିଣିବାକୁ ହେଲେ ଆହୁରି କମ୍ ଦାମ୍ ଦେବାକୁ ପଡ଼ିବ ମୋତେ ? ଏଇ ନିଅ ଅଣଚାଶ ଡଲାର l’’ ଏହା କହି ଲୋପାକା ତା ପକେଟରୁ ଟଙ୍କା ବାହାର କଲା । ତା’ପରେ ଅଣଚାଶଟି ଡଲାର ଗଣି ରଖିଲା ଟେବୁଲ ଉପରେ ଓ କହିଲା “ଯେଉଁ ମୂହୁର୍ତ୍ତରେ ମୁଁ ମୋର ଜାହାଜ କିଣିବି, ସେହି ମୂହୂର୍ତ୍ତରେ ଏହି ବୋତଲଟି ବିକ୍ରି କରିଦେବି ।”

ତା’ପରେ ବୋତଲଟା ଧରି ସେ ଚାଲିଗଲା କିଉୟୀ ଘର ଭିତରୁ ବାହାରକୁ ।

ଫାଟକଯାଏ ଆସି ତାକୁ ବଳାଇଦେଲା କିଉୟୀ ।

ଲୋପାକ କହିଲା, “ମୁଁ ବର୍ତ୍ତମାନ ହନୁଲୁଲୁ ଚାଲିଯାଉଛି । ସେଠାକୁ ଯାଇ ଗୋଟିଏ ଜାହାଜ କିଣିବି । ତା’ପରେ ବୋତଲଟାକୁ ପ୍ରଥମେ ବିକ୍ରି କରିଦେଇ ଅନ୍ୟ କଥା ଭାବିକି । ଆଚ୍ଛା, ତେହେଲେ ମୁଁ ଯାଉଛି ଭାଇ !”

ଆଗେଇଚାଲିଲା ଲୋପାକା ।

କିଉୟୀ ବଡ଼ପାଟିରେ କହିଲା, “ଜାହାଜ କିଣିବାମାତ୍ରେ ଯେତେ ଚଞ୍ଚଳ ପାର ବିକ୍ରି କରିଦେବ ବୋତଲଟାକୁ ।”

ଲୋପାକ ମୁଁହ ବୁଲେଇ ଉତ୍ତର ଦେଲା, “ସେ କଥା ଆଉ କହିବାକୁ ଅଛି ! ଜାହାଜ କିଣାହୋଇଗଲେ ଏକ ମୁହୂର୍ତ୍ତ ବି ଏହି ହତଭାଗା ବୋତଲଟିକୁ ମୋ ପାଖରେ ରଖିବିନି ।” ଏହା କହି କହି ଗୋଟିଏ ମୋଡ଼ ବୁଲି ଅଦୃଶ୍ୟ ହୋଇଗଲା ବୋତଲଭୂତର ନୂତନ ଗ୍ରାହକ ଲୋପାକା ।

 

ଆଠ

 

ଲୋପାକା ଯେତେବେଳେ ଅଦୃଶ୍ୟ ହୋଇଗଲା ସେହି ଭୌତିକ ବୋତଲଟା ନେଇ, କିଉୟୀ ମନ ସେତବେଳେ ମୁକ୍ତିର ଆନନ୍ଦରେ ଭରପୂର । ଆଉ କୌଣସି ଭୟ ନାହିଁ ତାହାର । ମୁକ୍ତି ମିଳିଛି ନରକର ଭୂତହାତରୁ । ଆନନ୍ଦର ଆବେଗରେ ତାର ମୁହଁ ଓ ଆଖି ଝଲମଲ କରିଉଠିଲା ।

ମହା ଆନନ୍ଦରେ କିଉୟୀ ଓହ୍ଳାଇ ଆସିଲା ରାସ୍ତାକୁ । ଏତେ ଆନନ୍ଦ ଚାପିରଖିବ ସେ କେଉଁଠି ? ଏଡ଼଼େ ସୁନ୍ଦର ଅପରାହଣଟି-ଘରେ ବସି ବସି କ’ଣ ତାହା ମାଟି କରିଦେବ ? ଟିକିଏ ବୁଲିବାକୁ ମଧ୍ୟ ବାହାରିବନି ?

ଅନେକ ଦିନ ପରେ ସେ ଖୋଲାପବନର ଆଘ୍ରାଣ ନେଲା ପୂର୍ଣ୍ଣ ବକ୍ଷରେ । ଅଧୀର ହୋଇ ଗତିକଲା ରାସ୍ତାରେ । ଠିକଣାହୀନ ଭ୍ରମଣରେ ସମୟ କଟିବାକୁ ଲାଗିଲା ତାହାର ।

ଚାଲି ଚାଲି ଯାଇ ସେ ପହଞ୍ଚିଗଲା ସହରର ଗୋଟିଏ ପ୍ରାନ୍ତରେ । ସହରର ସେହି ଅଞ୍ଚଳଟା ନିରୋଳା । ଗୋଟିଏ ବିରାଟ କେନାଲ ବହିଯାଉଛି ସେହି ଅଞ୍ଚଳରେ । ଧୀରେ ଧୀରେ ସେହି କେନାଲ ନିକଟରେ ଆସି ସେ ଠିଆହେଲା । ହଠାତ୍ ତାର ନଜର ପଡ଼ିଲା କେନାଲବକ୍ଷର ଗୋଟିଏ ନୌକା ଉପରେ । ଗୋଟିଏ ତରୁଣୀ ତୀର ଆଡ଼କୁ ଆସୁଥିଲା ସେହି ନୌକାରେ ବସି ।

କିଉୟୀର ଆଖି ପଡ଼ିଲା ସେହି ତରୁଣୀ ଉପରେ । ଅପୂର୍ବ ସୁନ୍ଦରୀ ଝିଅଟି । କିଉୟୀର ମନେହେଲା ସେହି ତରୁଣୀଟି ବୋଧହୁଏ ଦୁନିଆର ସର୍ବଶ୍ରେଷ୍ଠ ସୁନ୍ଦରୀ ।

ପ୍ରକୃତରେ କିଉୟୀର କୌଣସି ଭୁଲ ହୋଇନି । ଏକ ନାରୀ ଏତେ ସୁନ୍ଦର ହୋଇପାରେ, ତାହା କେହି କଳ୍ପନା ମଧ୍ୟ କରି ପାରିବେନି ।

ସେତେବେଳକୁ ଝିଅଟିର ନୌକା ଆସି କୂଳରେ ଲାଗିଗଲାଣି ।

ଅତି ଆଗ୍ରହର ସହିତ କିଉୟୀ ଆଗେଇଗଲା ଝିଅଟି ଆଡ଼କୁ । ତା’ପରେ ସେ ନିଜର ପରିଚୟ ଦେଇ ଝିଅଟିର ପରିଚୟ ପଚାରିଲା ।

ଲାଜମିଶା ହସ ହସି ଝିଅଟି ଉତ୍ତର ଦେଲା, “ମୋର ନାମ କକୁୟା ।”

କିଉୟୀ କହିଲା, “ମୋର ମନେହେଉଛି ତୁମେ ହେଉଚ ସେହି ତରୁଣୀ, ଯାହାକୁ କି ମୁଁ ସ୍ୱପ୍ନରେ ଦେଖିଛି କେତେଥର ।”

ଝିଅଟି ଅବନତ ମୁହଁରେ ଟିକିଏ ହସିଦେଇ ତା’ପରେ ଲାଲ ହୋଇଗଲା ଲଜ୍ଜାରେ ।

ଉଭୟଙ୍କର ସଙ୍କୋଚଭାବଟା କଟିଯିବା ପରେ ଧୀରେ ଧୀରେ ଜମିଉଠିଲା ସେମାନଙ୍କର ଆଳାପ ।

ତା’ପରେ ପ୍ରତ୍ୟେକ ଦିନ ଦେଖାସାକ୍ଷାତ ହେଲା ଉଭୟଙ୍କର । କ୍ରମଶଃ ନିବିଡ଼ରୁ ନିବିଡ଼ତର ହେଲା ସେମାନଙ୍କର ସମ୍ପର୍କ।

ସେଦିନ ଅପରାହଣରେ କିଉୟୀ କହିଲା-“ତୁମେ ମୋ ଜୀବନର ଯେଉଁ ସୁଖ ଆଣିଦେଇଛ, ତାହା ମୁଁ ଭାଷାରେ ପ୍ରକାଶ କରିପାରିବିନି କକୁୟା !”

କକୁୟା ନତମୁଖରେ ମୃଦୁସ୍ୱରରେ କହିଲା, “କିଉୟୀ, ମୁଁ ତୁମପରି ଭାଷା ଜାଣେନା; ନହେଲେ ପ୍ରକାଶ କରିପାରିଥାନ୍ତି ମୋର ମନର କଥା ।”

ତା’ପରେ ବିତିଗଲା ଆଉ କୋତେଟି ରଙ୍ଗୀନ ଦିବସ-ରଙ୍ଗୀନ ସନ୍ଧ୍ୟା । ସେମାନଙ୍କର ହସଗୀତରେ ମୁଖରିତ ହୋଇ ଉଠିବାକୁ ଲାଗିଲା କେନାଲର ନୀରୋଳା ତୀରଟି । ଧୀରେ ଧୀରେ ସେମାନଙ୍କ ମନରେ ଗଢ଼ିଉଠିଲା ଗୋଟିଏ ସ୍ୱପ୍ନଭରା ଭବିଷ୍ୟତର ମଧୁର କଳ୍ପନା ।

ସେଦିନ ଅପରାହଣରେ କିଉୟୀ ଓ କକୁୟା ପୂର୍ବପରି ବୁଲିବାକୁ ଯାଇଛନ୍ତି । ଘରେ ବସି କକୁୟାର ମା’ ଓ ବାପା କଥାବାର୍ତ୍ତା ହେଉଛନ୍ତି ।

କଥା କଥାରେ ମା ପଚାରିଲେ, “କିଉୟୀ ବର୍ତ୍ତମାନ ବିବାହ ପ୍ରସ୍ତାବ କରୁନାହିଁ କାହିଁକି-?”

କକୁୟାର ବାପା କିଆନୋ ଟିକିଏ ହସିଦେଇ କହିଲେ, “ମୋର ମନେହଉଛି କିଉୟୀ ଏହି ସପ୍ତାହରେ ବିବାହ ପ୍ରସ୍ତାବ କରିବ । କାଲି ପ୍ରସ୍ତାବ ନ କରିବ ବୋଲି କିଏ ରହିପାରିବ ?”

ତେଣେ କକୁୟା ଓ କିଉୟୀ ଉଭୟେ ଚପଳ ମନ ଦେଇ ଘୂରିବୁଲୁଛନ୍ତି । କିଉୟୀ ସେତେବେଳେ ଭୁଲରେ ମଧ୍ୟ କଳ୍ପନା କରିପାରିଲାନି, ତାର ଭାଗ୍ୟ-ଆକାଶରେ କି ଭୟାନକ କଲା ମେଘ ଜମୁଛି; ସୂଚନା ଦେଉଛି ପ୍ରଳୟ ଝଡ଼ର ।

Image

 

ନଅ

 

କାଳ-ବୈଶାଖୀ ଆସେ କୌଣସି ପୂର୍ବାଭାସ ନଦେଇ ।

 

ଯେଉଁ କଳା ମେଘଖଣ୍ଡ ଜମୁଥିଲା କିଉୟୀର ଭାଗ୍ୟାକାଶରେ, ହଠାତ୍ ତାହା ଛିଡ଼ିପଡ଼ିଲା ତ୍ୱରିତଗତିରେ । ଆରମ୍ଭ ହେଲା ଝଡ଼ ।

 

କିନ୍ତୁ କିଉୟୀ ସେତେବେଳେ ପର୍ଯ୍ୟନ୍ତ କିଛି ଜାଣିନି । ସେ ଆନନ୍ଦରେ ମାତିଉଠିଛି ।

 

କକୁୟାଠାରୁ ବିଦାୟ ନେଇ ଗୁଣୁଗୁଣୁ ଗୀତ ଗାଇ ଗାଇ ଉଚ୍ଛ୍ୱସିତ ଆନନ୍ଦରେ ଘରକୁ ଫେରୁଥିଲା ସେ । ତାର ମନ ହେଉଥିଲା ନାଚିବାକୁ, ଗାଇବାକୁ, ହସିବାକୁ; କିନ୍ତୁ ଏକାଥରକେ ସମସ୍ତ ହସ ଆନନ୍ଦ ଅଦୃଶ୍ୟ ହୋଇଗଲା ତା ମନରୁ ।

 

ଶୋଇବାକୁ ଯିବା ସମୟ । ସେ ଯେତେବେଳେ ଜାମା ଖୋଲିଲା, ହଠାତ୍ ତା ଆଖିରେ ପଡ଼ିଗଲା ଗୋଟିଏ ଅଦ୍ଭୁତ ଚିହ୍ନ । ଛାତିର ଚମଡ଼ା ଉପରେ ଗୋଟିଏ ଗୋଲ କୁତ୍ସିତ ଚିହ୍ନ ।

 

କଣ ହୋଇପାରେ ଚିହ୍ନଟା ? ସେ ବୁଝିପାରିଲାନି ।

 

ଗୋଟିଏ ଅଦ୍ଭୁତ ଚିହ୍ନ ! କି କୁତ୍ସିତ ଦେଖିବାକୁ !

 

ସେ ମନକୁ ମନ କହିଲା, “ମୋ ଦେହରେ ଏହି କୁତ୍ସିତ ଚିହ୍ନଟା କଣ ହୋଇପାରେ ?”

 

କଣ ଗୋଟିଏ କଥା ମନେପଡ଼ିଯିବାରୁ ପାଉଁଶ ପରି ଧୂସର ବିବର୍ଣ୍ଣ ହୋଇଗଲା ତାର ମୁହଁ । ଶୀଘ୍ର ଶୀଘ୍ର ସେ ଯାଇ ଛିଡ଼ାହୋଇଗଲା ଦର୍ପଣ ସାମନାରେ । ଦର୍ପଣରେ ସ୍ପଷ୍ଟଭାବେ ଦେଖାଗଲା ଚିହ୍ନଟା ।

 

କିଉୟୀର ମନେହେଲା ଦାନବ ଯେପରି ନିର୍ମମ ହସ୍ତରେ ତାର ତଣ୍ଟି ଚିପିଧରିଛି । ଆର୍ତ୍ତନାଦ କରିଉଠିଲା ସେ ତୀବ୍ରକଣ୍ଠରେ ।

 

“କୁଷ୍ଠ..... !”

 

“ୟା ଅପେକ୍ଷା ମୃତ୍ୟୁ ହେଲାନାହିଁ କାହିଁକି ମୋର ?” ଗୋଟିଏ ଅଜଣା ଆତଙ୍କରେ ନିର୍ବାକ ହୋଇଗଲା ସେ । ଭାଗ୍ୟର ଏ କି ପରିହାସ ।

 

“କିନ୍ତୁ ବର୍ତ୍ତମାନ କଣ କରାଯାଇପାରେ ?

 

“କିଛି ନାହିଁ, କିଛି କରିବାର ନାହିଁ । ଭାଗ୍ୟର ନିଷ୍ଠୁର ଆଘାତ; ମୁଣ୍ଡ ପାତିନେଇ ନୀରବରେ ଆତ୍ମସମର୍ପଣ କରିବା ଛଡ଼ା ଆଉ କୌଣସି ପନ୍ଥା ନାହିଁ ।”

 

ଭାଙ୍ଗି ପଡ଼ିଲା କିଉୟୀ । ଗୋଟିଏ କ୍ରୁଦ୍ଧ ଦାନବର ପାଦତଳେ ଯେପରି ପେଷିହୋଇଗଲା ତାର ସମସ୍ତ ଆଶା ଭରସା।

 

ବିଛଣା ଉପରେ କଚାଡ଼ି ହୋଇ ପଡ଼ିଲା ସେ । ଭାଙ୍ଗିପଡ଼ିଲା ଏକ ଅବରୁଦ୍ଧ କ୍ରନ୍ଦନରେ-

 

“ଓଃ ! କକୁୟା ! ତୁମକୁ ମୁଁ ହରାଇଲି ଚିରଦିନ ପାଇଁ । ମୋ ହାତର ସ୍ପର୍ଶରେ ତୁମର ସେହି ଫୁଲପରି ସୁନ୍ଦର କୋମଳ ଦେହ ଏହି ଘୃଣିତ ରୋଗରେ ଭରିଉଠିବ । ନା ନା ! ଏହା କୌଣସିମତେ ହୋଇପାରେନା । ତୁମର ଜୀବନକୁ ମୁଁ ବ୍ୟର୍ଥ କରିଦେଇପାରିବିନି । କିନ୍ତୁ ମୋତେ ବଞ୍ଚାଇପାରିବା ଭଳି ପୃଥିବୀରେ କୌଣସି ଶକ୍ତି ନାହିଁ ।’

 

ନିଜର ଭବିଷ୍ୟତ କଥା ଚିନ୍ତା କରି ଶିହରି ଉଠିଲା ସେ ।

 

ସୁଦର୍ଶନ ସ୍ୱାସ୍ଥ୍ୟବାନ୍ କିଉୟୀର ଦେହ ଗଳିତ ଦୁର୍ଗନ୍ଧମୟ କୁତ୍ସିତ କ୍ଷତମାନଙ୍କରେ ପୂରିଉଠିବ...

 

ଓଃ ! ଭଗବାନ, କଣ କଲ ତୁମେ ?

 

ନା, ଆଉ କୌଣସି ଭରସା ନାହିଁ । ବର୍ତ୍ତମାନ କେବଳ ବସି ବସି ପ୍ରତୀକ୍ଷା କରିବାକୁ ହେବ ମୃତ୍ୟୁକୁ । ବର୍ତ୍ତମାନ ଆତ୍ମହତ୍ୟା କରିବା ଛଡ଼ା ଆଉ କୌଣସି ପଥ ଖୋଲାନାହିଁ ମୋ ପାଇଁ ।

 

ଆତ୍ମହତ୍ୟା ! ଆତ୍ମହତ୍ୟା ଯେ ମହାପାପ ?

 

କିନ୍ତୁ ଏହି ଘୃଣିତ ବ୍ୟାଧି ନେଇ ବଞ୍ଚି ଜୀବନ୍ତ ନରକଭୋଗ କରିବା ଅପେକ୍ଷା ଆତ୍ମହତ୍ୟା ଅନେକ ଗୁଣରେ ଭଲ ।

 

ଯଦି ସେ ବଞ୍ଚିରହିବ, ତେବେ ତାର ଭବିଷ୍ୟତ ?

 

କୁତ୍ସିତ, ବୀଭତ୍ସ କିଉୟୀକୁ ଯେତେବେଳେ କେହି ଭଲପାଇବେନି, କେହି ତା ପାଖରେ ରହିବାକୁ ଚାହିଁବେ ନାହିଁ, ଏପରିକି କକୁୟା ପର୍ଯ୍ୟନ୍ତ-ସେତେବେଳେ କଣ କରିବ ସେ ? ଏକାକୀ, ଏକାବେଳକେ ନିଃସଙ୍ଗ ହେବ ତାର ଜୀବନ ।

 

ତା’ଠାରୁ ଆତ୍ମହତ୍ୟା ଅନେକଗୁଣରେ ଭଲ । ନିଶ୍ଚୟ ଏପରି ଅବସ୍ଥାରେ ଆତ୍ମହତ୍ୟା କଲେ କୌଣସି ପାପ ହେବନି ତାର ।

 

କିଉୟୀର ମନ ଭିତରେ ଯେଉଁ ଝଡ଼ ବହୁଥିଲା, ତା ସହିତ ତାଳଦେଇ ଆକାଶରେ ବି ସେତେବେଳେ ଲାଗିରହିଥିଲା ଝଡ଼ର ତାଣ୍ଡବ । ଚଡ଼ଚଡ଼ ଶବ୍ଦ କରି ଗୋଟିଏ ବଜ୍ର ପଡ଼ିଗଲା ନିକଟରେ କୌଣସି ସ୍ଥାନରେ ।

 

ବାରମ୍ବାର ଆଲୋଡ଼ିତ ହେଉଛି ତାର ମନରେ ମୃତ୍ୟୁ-ମୃତ୍ୟୁ-ମୃତ୍ୟୁ । ବର୍ତ୍ତମାନ ତାର ଏକମାତ୍ର ବନ୍ଧୁ ହେଉଛି ମୃତ୍ୟୁ ।

 

ତାହାଲେ ସେ କଣ ଆତ୍ମହତ୍ୟା କରିବ ?

 

ତାହାର ଏହି ପ୍ରଶ୍ନର ଉତ୍ତର ସ୍ୱରୂପ କିଏ ଯେପରି ଏକ ବିକଟ ସ୍ୱରରେ ହସିଉଠିଲା ଅତି ପାଖରୁ-ହା, ହା, ହା... ।

 

ପ୍ରକୃତରେ ତାହା ଅଟ୍ଟହାସ୍ୟ ନୁହେଁ, ଝଡ଼ର କ୍ରୁଦ୍ଧ ଗର୍ଜନ; କିନ୍ତୁ କିଉୟୀର ମନେହେଲା ଗୋଟିଏ ହିଂସ୍ର ଭୟାଳୁଦର୍ଶନ ଦାନବ ନିଷ୍ଠୁର ନଖାଘାତରେ ତାର ଭାଗ୍ୟକୁ ଛିନ୍ନଭିନ୍ନ କରିଦେଉଛି ।

 

ଭୟରେ ଆର୍ତ୍ତନାଦ କରି ଦୁଇହାତରେ ମୁହଁ ଢାଙ୍କିଲା କିଉୟୀ । ଗୁମୁରି ଉଠିଲା ଅସହାୟ କ୍ରନ୍ଦନରେ-ଓଃ, କକୁୟା !

 

କିନ୍ତୁ କ୍ରନ୍ଦନ କଲେ କୌଣସି ଲାଭ ଅଛି କି ? କ୍ରନ୍ଦନ ଆଘାତରେ ନିଜକୁ ଜୀର୍ଣ୍ଣ କରି କିଛି ଲାଭ ନାହିଁ ।

 

କୁହୁଡ଼ିଭରା ଚକ୍ଷୁରେ ପୁଣି ଦର୍ପମ ଆଡ଼କୁ ଚାହିଁଲା ସେ ।

 

ହଁ, ଏଇ ତ ସେହି କୁତ୍ସିତ ଚିହ୍ନଟା । ଦିନେ-ସେଦିନ ବୋଧହୁଏ ଅତି ନିକଟରେ-ଏହି ଗୋଲାକାର ଛୋଟ ଚିହ୍ନଟା ବିଂଛିହୋଇପଡ଼ିବ ତାର ସମସ୍ତ ଦେହରେ ! ତା’ପରେ ...ତା’ପରେ ।

 

ତା’ପରେ ଆଉ ଭାବିପାରିଲାନି କିଉୟୀ । ପାଦ ପକାଇ ପକାଇ ଗଲା କାନ୍ଥ ଆଲମାରି ନିକଟକୁ । ଆଲମାରିଟି ଖୋଲି ବାହାରକଲା ଗୋଟିଏ ଚକଚକିଆ ରିଭଲଭର । ଚୋର ଡକାୟତଙ୍କ କବଳରୁ ରକ୍ଷା ପାଇବାପାଇଁ କିଣିଥିଲା ସେ ଏଇଟାକୁ । ରକ୍ଷା ! ହଁ, ଏଥର ଏକବାରେ ରକ୍ଷାପାଇଯିବ ସେ l

 

ରିଭଲଭରଟିରେ ଗୁଳି ଭର୍ତ୍ତିକଲା କିଉୟୀ ।

 

ହଁ, ଆତ୍ମହତ୍ୟା ହିଁ ସେ କରିବ । ମୃତ୍ୟୁ ହିଁ ତାର ଏକମାତ୍ର ବନ୍ଧୁ । ସେହି ବନ୍ଧୁର କୋଳରେ ଯେତେ ଶୀଘ୍ର ନିଜକୁ ସମର୍ପଣ କରାଯାଇପାରେ, ସେତେ ଭଲ ।

 

କପାଳରେ ରିଭଲଭର ଛୁଆଇଁ ଟ୍ରିଗାରରେ ସେ ଆଙ୍ଗୁଠି ଥୋଇଲା । ଏଥର କେବଳ ଗୋଟିଏ ମାତ୍ର ଚାପ । ତା’ପରେ ସବୁ ଶେଷ ।

Image

 

ଦଶ

 

ଟ୍ରିଗାରରେ ଚାପ ଦେବାକୁ ଗଲାବେଳେ ଅଟକିଗଲା କିଉୟୀର ଆଙ୍ଗୁଠି ।

 

“କାହିଁକି ? କାହିଁକି ମୁଁ ଆତ୍ମହତ୍ୟା କରିବି ?” ହଠାତ୍ ତାର ମନେପଡ଼ିଲା ସେହି ବୋତଲ କଥା ।”

 

ରିଭଲଭରଟି ତଳେ ଥୋଇଦେଇ ମନକୁ ମନ ସେ କହିଲା, ସେହି ନରକ ଭୂତର କୃପାରୁ ହୁଏତ ଏହି ରୋଗ ଭଲ ହୋଇଯାଇପାରେ । ସେହି ଭୌତିକ ବୋତଲଟି ମୋର ଦରକାର ।

 

କିନ୍ତୁ କେଉଁଠି ଅଛି ସେହି ବୋତଲ ?

 

ତହିଁ ଆର ଦିନ ସକାଳ....

 

କକୁୟା ନିଦରୁ ଉଠିଲା ଗୁଣୁଗୁଣୁ ଗୀତ ଗାଇ ଗାଇ । ପୃଥିବୀରେ ଯେ ଏତେ ଆନନ୍ଦ ଅଛି, ତାହା ସେ କେବେ କଳ୍ପନା ମଧ୍ୟ କରିନଥିଲା । ମନ ଆନନ୍ଦରେ ସେ କଣ ଯେ କରିବ ତାହା ଠିକ୍ କରିପାରିଲାନି ।

 

ଏହିପରି ଭାବରେ କେତେ ସମୟ ଯେ କଟିଗଲା ତାହା ସେ ନିଜେ ଜାଣିପାରିନି ।

 

ଆନନ୍ଦର ପ୍ରଥମ ଆବେଗ ଯେତେବେଳେ ତାର କମିଲା, ସେତେବେଳେ ହଠାତ୍ ତାର ଖିଆଲ ହେଲା, କିଉୟୀ ବର୍ତ୍ତମାନ ପର୍ଯ୍ୟନ୍ତ ତାର ଘରକୁ ଆସିନି କାହିଁକି ? ଅଥଚ ଦ୍ୱିପ୍ରହର ଗଡ଼ି ଯାଇ କ୍ରମଶଃ ଅପରାହଣ ହେଲାଣି ।

 

ବିସ୍ମୟରେ ସ୍ତମ୍ଭିତ ହୋଇଗଲା କକୁୟା । ତାର ତ ସକାଳ ବେଳା ଆସିବା କଥା; ଅଥଚ ଅପରାହଣ ଆସି ହେଲାଣି । ତଥାପି ଦେଖା ନାହିଁ ! ତାର କ’ଣ ହେଲା ତେବେ ?

 

ସନ୍ଦେହରେ ଦୋହଲିଗଲା ତାର ମନ ।

 

ଈଶ୍ୱର ନ କରନ୍ତୁ, କିଉୟୀର ଭଲ ମନ୍ଦ ଗୋଟାଏ କିଛି ହୋଇନି ତ ? ସିଏ ତ କଥାରେ ଖିଲାପ କରିବା ମଣିଷ ନୁହେଁ । ତେବେ କାହିଁକି ଆସିଲାଣି ସେ ?

 

ଦୁର୍ଭାବନାରେ ମଳିନ ହୋଇଗଲା ତାର ମୁହଁ । ନିଶ୍ଚୟ ଭଲ ମନ୍ଦ ଗୋଟାଏ କିଛି ଘଟିଛି; କିନ୍ତୁ ତାହା କଣ ହୋଇପାରେ ?

 

ପୋଷାକପତ୍ର ପିନ୍ଧି ସେ ବାହାରିପଡ଼ିଲା କିଉୟୀର ବାସଭବନ ଉଦ୍ଦେଶ୍ୟରେ । ଦ୍ରୁତଗତିରେ ଯାଇ ପହଞ୍ଚିଗଲା ବାସଭବନର ସଦର ଦରଜା ସାମନାରେ ।

 

ଘରର ଝରକା କବାଟ ସବୁ ବନ୍ଦ । ତେବେ କ’ଣ ସେ ସେହି ଘରେ ନାହିଁ ? କିନ୍ତୁ ଯିବ କେଉଁଠିକି ?

 

ସେ ଶୀଘ୍ର ଶୀଘ୍ର ବଗିଚାର ମାଳୀଘର ଆଡ଼କୁ ଗଲା ।

 

ମାଳୀକୁ ପଚାରିଲା କକୁୟା କିଉୟୀ ସମ୍ବନ୍ଧରେ । ମାଳୀ କହିଲା, “ଭୋରରୁ କିଉୟୀ ଜିନିଷପତ୍ର ନେଇ ବାହାରକୁ ଯାଇଛନ୍ତି । କେଉଁଠିକି ଯାଇଛନ୍ତି, ତାହା କହିପାରିବିନି । ତେବେ ତାଙ୍କ ଢଙ୍ଗଢାଙ୍ଗରୁ ମନେହେଉଛି ଦୂରର କୋଣସି ସ୍ଥାନକୁ ଯାଇଛନ୍ତି ସେ । କେବେ ଫେରିବେ ସେକଥା କହିଯାଇ ନାହାନ୍ତି ।”

 

ଏସବୁ ଶୁଣି କକୁୟା କିଛି ବୁଝିପାରିଲାନି । ମନକୁ ମନ ସେ କହିବାକୁ ଲାଗିଲା, “ହଠାତ୍ ଏପରି କଣ ଦରକାର ପଡ଼ିଲା ଯେ ସେ ଦୂର ଦେଶକୁ ଚାଲିଯାଇଛି । ମୋତେ ଟିକିଏ ନ ଜଣାଇ ଦେଖା ନ କରି ଚାଲିଗଲା ସେ !”

 

ଅନ୍ତରରେ ଗଭୀର ହତାଶା ଓ ବେଦନା ନେଇ ନିଜ ଘରକୁ ଫେରିଲା କକୁୟା ।

 

ସମସ୍ତ ଘଟଣା ରହସ୍ୟମୟ ବୋଲି ମନେହେଉଥିଲା ତାର । ନାନା ସନ୍ଦେହରେ ତାର ମୁଖ ପାଣ୍ଡୁର ହୋଇଗଲା ।

 

ଭୋରରୁ ସାମାନ୍ୟ କିଛି ଜିନିଷପତ୍ର ନେଇ ଜାହାଜଘାଟରେ ଯାଇ ହାଜର ହେଲା କିଉୟୀ । ଖବର ନେଇ ଜାଣିଲା ଯେ ପନ୍ଦରମିନିଟ୍ ଭିତରେ ହନଲୁଲୁ ଉଦ୍ଦେଶ୍ୟରେ ଗୋଟିଏ ଜାହାଜ ଛାଡ଼ିବ । ସେ ଶୀଘ୍ର ଖଣ୍ଡିଏ ଟିକେଟ କାଟି ଜାହାଜରେ ଯାଇ ବସିଲା ।

 

ଜାହାଜରେ ବସି ସାରିବା ପରେ ତାର ମନେପଡ଼ିଲା, ଆରେ, କକୁୟାକୁ ତ କିଛି ନ ଜଣାଇ ସେ ଚାଲିଆସିଛି ! ହଠାତ୍ କିଉୟୀର ନଜର ପଡ଼ିଲା-ତାର ଜଣେ ବନ୍ଧୁ ତୀରରେ ଛିଡ଼ା ହୋଇଛନ୍ତି । ତତକ୍ଷଣାତ୍ ସେ ଡାକିଲା ତାକୁ ।

 

ସେ ଡାକ ଶୁଣି ବନ୍ଧୁଜଣକ ଦ୍ରୁତପଦରେ ଜାହାଜ ଉପରକୁ ଉଠିଆସି ପ୍ରଶ୍ନ କଲା, “ଖବର କଣ ? ବାହାରିଛ କୁଆଡ଼େ ?”

 

“ଆଉ କଣ କହିବି ଭାଇ ? ହଠାତ୍ ଗୋଟିଏ ଜରୁରୀ କାର୍ଯ୍ୟରେ ଯିବାକୁ ପଡ଼ୁଛି ହନଲୁଲୁକୁ । ଅଥଚ କି ଭୁଲା ମନ, ଦେଖ ତ ! ଆସିଲାବେଳେ କକୁୟାକୁ ଜଣାଇପାରିନି । ସେଥିପାଇଁ ତୁମକୁ ଗୋଟିଏ କାମ କରିବାକୁ ହେବ । ମୁଁ ଖଣ୍ଡିଏ ଚିଠି ଲେଖି ଦେଉଛି । ତୁମେ ସେଇଟା ନେଇ ତାକୁ ଦେଇଦେବି ।”

 

ବନ୍ଧୁଟି କହିଲେ, “ବେଶ୍ ; କିନ୍ତୁ ମୋର ହୁଏତ ସେଠି ପହଞ୍ଚିଲା ବେଳକୁ ରାତି ହୋଇଯିବ । କାରଣ ମୋର କାମ ଏଠି ସରୁ ସରୁ ହୁଏତ ସନ୍ଧ୍ୟା ହୋଇଯାଇପାରେ ।”

 

“ଠିକ୍ ଅଛି । ସେତେବେଳେ ଘରକୁ ଫେରିଲାବେଳେ ତାକୁ ଚିଠିଟା ଦେଇଦେଳେ ଚଳିବ ।”

 

ଏଇଆ କହିଦେଇ ସେ କକୁୟା ପାଖକୁ ଚିଠି ଖଣ୍ଡିଏ ଲେଖିଲା–

 

“କକୁୟା,

 

ହଠାତ୍ ଗୋଟିଏ ଜରୁରୀ କାମ ବିନା ନୋଟିସରେ ମୋ ହାତରେ ପଡ଼ିବାରୁ ମୋତେ ଏହିକ୍ଷଣି ହନଲୁଲୁ ଯିବାକୁ ପଡ଼ୁଛି । ଭୋରରୁ ଜାହାଜ ଛାଡ଼ୁଛି ବୋଲି ତୁମ ସହିତ ଦେଖା କରି ପାରିଲିନି । ତେଣୁ ଦୁଃଖିତ; କିନ୍ତୁ କାମଟା ଏତେ ଜରୁରୀ ଯେ ଲୋପାକା ସଙ୍ଗେ ଏହିକ୍ଷଣି ଦେଖାନକଲେ ନ ଚଳେ । ତୁମେ ମୋ ପାଇଁ କୌଣସି ଚିନ୍ତା କରିବ ନାହିଁ । ଫେରିଲେ ସବୁ ଶୁଣିବାକୁ ପାଇବ । ଇତି ।

କିଉୟୀ”

ବନ୍ଧୁଟି ଚିଠିଖଣ୍ଡିକ ନେଇ ଜାହାଜରୁ ଓହ୍ଳାଇ କୂଳକୁ ଆସିବାମାତ୍ରେ ଜାହାଜ ଛାଡ଼ିଦେଲା-। ବନ୍ଧୁ ରୁମାଲ ହଲାଇ ବିଦାୟ ଅଭିନନ୍ଦନ ଜଣାଇଲା କିଉୟୀକୁ-

ଧୀରେ ଧୀରେ ଅଦୃଶ୍ୟ ହୋଇଗଲା ସାଗରତୀର । ଜାହାଜ ଆଗେଇ ଚାଲିବାକୁ ଲାଗିଲା ସମୁଦ୍ରବକ୍ଷ ଅତିକ୍ରମ କରି । କିଉୟୀ ଭାବିବାକୁ ଲାଗିଲା କେତେବେଳେ ଜାହାଜ ପହଞ୍ଚିବ ହନଲୁଲୁରେ; ଆଉ କେତେବେଳେ ସେ ଲୋପାକାଠାରୁ କିଣିବ ସେହି ଭୌତିକ ବୋତଲଟାକୁ ।

ସମୁଦ୍ରର ଜଳ କାଟି ଜହାଜଟି ଆଗେଇଯାଉଥିଲା ହନୁଲୁଲୁ ଆଡ଼କୁ, କିନ୍ତୁ କିଉୟୀର ମନେହେଲା ଜାହାଜଟା ଯେପରି ମୋଟେ ଗତି କରୁନି ।

ଯଦି ସମ୍ଭବ ହୁଅନ୍ତା, ତା’ହେଲେ ସେ ଡେଣା ମେଲାଇ ଉଡ଼ି’ଯାନ୍ତା ସେଠାକୁ । କିନ୍ତୁ ଏହା କଣ ସମ୍ଭବ ? ତେଣୁ ସେ ନିରୁପାୟ ହୋଇ ଠିଆହୋଇ ରହିଲା ଡେକ୍ ଉପରେ ରେଲିଂ ଧରି-

ଅବଶେଷରେ ଅବସାନ ହେଲା ତାର ଏହି ସୁଦୀର୍ଘ ପ୍ରତୀକ୍ଷା । ହନଲୁଲୁର ଜାହାଜଘାଟରେ ଲଙ୍ଗର ପକାଇଲା ଜାହାଜଟି ।

 

କିଉୟୀ ଆଉ ମୂହୂର୍ତ୍ତଟିଏ ଡେରି କଲାନି । ସଙ୍ଗେ ସଙ୍ଗେ ଓହ୍ଳାଇ ପଡ଼ି ଲୋପାକାର ସନ୍ଧାନରେ ବାହାରିଗଲା । ଲୋପାକାକୁ ଖୋଜି ଖୋଜି ସେ ଅସ୍ଥିର ହୋଇଗଲା, କିନ୍ତୁ ତା’ର କୌଣସି ସନ୍ଧାନପାଇଲାନି । କିଉୟୀ ଶେଷରେ ନିରାଶ ହୋଇ ଫେରିଆସିଲା ଜାହାଜକୁ ।

 

ଆଶ୍ଚର୍ଯ୍ୟ ! ସେହିଠାରେ ହିଁ ମିଳିଗଲା ଲୋପାକାର ଠିକଣା । କିଉୟୀ ସିଧା ଯାଇ ପହଞ୍ଚିଲା ଲୋପାକାର ବସାରେ ।

 

ବାହାରୁ କଡ଼ା ହଲାଇବାକ୍ଷଣି ଲୋପାକାର ସ୍ତ୍ରୀ ଆସି କବାଟ ଖୋଲିଲା । ତାକୁ ଦେଖି କିଉୟୀ ମନରେ ଟିକିଏ ଆଶା ସଂଚାର ହେଲା ।

 

ଲୋପାକା ସେତେବେଳେ ସେଠାରେ ନଥିଲା । ଏହି କଥା ଜଣାଇଲା ତା ସ୍ତ୍ରୀ; କହିଲା–ଲୋପାକା ତ ତାହାର ଜାହାଜ ନେଇ ବ୍ୟବସାୟ ଉଦ୍ଦେଶ୍ୟରେ ଚାଲିଥିବ ସମୁଦ୍ରବକ୍ଷରେ । ଖୁବ୍ ଶୀଘ୍ର ତାଙ୍କର ଫେରିବାର କୌଣସି ସମ୍ଭାବନା ନାହିଁ ।

 

କିଉୟୀ ମୁଣ୍ଡରେ ଯେପରି ଆକାଶ ଭାଙ୍ଗି ପଡ଼ିଲା l କୌଣସି ଆଶା ଭରସା ରହିଲାନି ତାହାର l ମୃତ୍ୟୁ ଛଡ଼ା ମୁକ୍ତିର ଆଉ ବୋଧେ କୌଣସି ଉପାୟ ନାହିଁ l

 

କିନ୍ତୁ ବିନା ଚେଷ୍ଟାରେ ମୃତ୍ୟୁକୁ ମାନିନେବାକୁ ମନ ବଳିଲାନି ତାହାର । ମନେ ମନେ ସେ କହିଲା, “ହଁ, ଚେଷ୍ଟା କରିବି । ଥରେ ମୋତେ ଶେଷ ଚେଷ୍ଟା କରିବାକୁ ପଡ଼ିବ । ଯେପରି ହେଉ, ସେହି ବୋତଲ ଆଉ ତା ମାଲିକକୁ ଖୋଜି ବାହାର କରିବାକୁ ହେବ ହିଁ ହେବ ।”

Image

 

ଏଗାର

 

ଗୋଟିଏ ଭୌତିକ ବୋତଲ ଆଉ ତାର ମାଲିକକୁ ଖୋଜି ବାହାର କରିବା ସହଜ ନୁହେଁ । ବୁଲି ବୁଲି କିଉୟୀ ଯେତେବେଳେ ନିରାଶ ହୋଇପଡ଼ିଲା, ସେତେବେଳେ ତାର ମନେହେଲା ବୋତଲ ଆଉ ତା ମାଲିକକୁ ଖୋଜି ବାହାର କରିବା ସମ୍ଭବ ଆଉ ନୁହେଁ ।

 

ଏହାପରେ କଣ କରିବ ଭାବି ଭାବି ଠିକ୍ କରିପାରିଲାନି କିଉୟୀ ।

 

ଲୋପାକାକୁ କଣ ଅପେକ୍ଷା କରିବ ? କିନ୍ତୁ କେତେ ଦିନ ପରେ ସେ ଫେରିବ, ତାର କିଛି ଠିକଣା ନାହିଁ । ସେତବେଳକୁ ଏହି କୁତ୍ସିତ ଦାଗଟା ବଢ଼ି ବଢ଼ି ତାର ସମଗ୍ର ଦେହ ପଚିନଯିବ ବୋଲି କିଏ କହିବ ?

 

ସେତେଦିନ ଯାଏ ଅପେକ୍ଷା କରିବା କଣ ସମ୍ଭବ ?

 

ଅସହାୟଭାବରେ ଭାବିବାକୁ ଲାଗିଲା କିଉୟୀ ।

 

ଭାବି ଭାବି ତାର ବୁଦ୍ଧି ଯେପରି ବଣାହୋଇଯାଉଛି । ଆଉ ତା’ ମୁଣ୍ଡ ଭିତରେ ଜଳୁଛି ଯେପରି ନିଆଁ ଦାଉ ଦାଉ ହୋଇ । ଭାବିବାର ଶକ୍ତି ମଧ୍ୟ ହରାଇଛି ସେ ଧୀରେ ଧୀରେ । ମାତାଲ ପରି ଢଳି ଢଳି ସନ୍ଧ୍ୟାରେ ଅସ୍ପଷ୍ଟ ଅନ୍ଧକାର ଭିତରେ ଘୂରିବୁଲେ ସେ ।

 

ତା’ପରେ ଧୀରେ ଧୀରେ ରାତ୍ରିର ଅନ୍ଧକାର ଘନେଇ ଆସେ ଚତୁର୍ଦ୍ଦିଗରୁ । ଚାଲିବାରେ ବେଶୀ ପରିଶ୍ରମ ହୁଏ ତାର; ତଥାପି ସେ ଚାଲେ । ଠିଆହେଲେ ସେ ଅନୁଭବ କରେ ଚତୁର୍ଦ୍ଦିଗର ନିସ୍ତବତା । ଧୀରେ ରାତିର ସୀମାହୀନ ଅନ୍ଧକାର ଓହ୍ଳାଇ ଆସେ ତା ଚତୁର୍ଦ୍ଦିଗରୁ ।

 

କୌଣସି ଏକ ସରାଇଖାନାରେ ଆଶ୍ରୟ ନେବା ପାଇଁ ସେ ଆଗେଇଚାଲେ ସରାଇଖାନା ଅଭିମୁଖେ । ସରାଇଖାନାରେ ପହଞ୍ଚି –ଯାଇ ସେ ବସିପଡ଼େ ଗୋଟିଏ ଚେୟାର ଉପରେ ହତାଶଭାବେ । ସେ ଅନୁଭବ କରେ ତୀବ୍ର କ୍ଷୁଧାର ଜ୍ଵାଳା । ସେ ଶୀଘ୍ର ଶୀଘ୍ର କିଛି ଖାଇବାକୁ ଆଣିଦେବା ପାଇଁ ଆଦେଶ ଦିଏ ।

 

ଖାଇସାରିବା ପରେ ଦେହାଟା ତାର ଯେପରି ସତେଜ ହୋଇଉଠେ । ସେ ପୁଣି ବୁଡ଼ିଯାଏ ଭାବନାର ଅତଳ ଅନ୍ଧକାରରେ ।

 

ହଠାତ୍ ତା ପାଖ ଟେବୁଲରେ ଆହାରରତ କେତେ ଜଣ ଲୋକଙ୍କ କଥାବାର୍ତ୍ତା ଆସି ପଡ଼େ ତା’ କାନରେ ଅସ୍ପଷ୍ଟ ଭାବରେ । ସଙ୍ଗେ ସଙ୍ଗେ ତାର ଚକ୍ଷୁ ସାମନାରେ ଯେପରି ଫୁଟିଉଠେ ଆଶାର ଆଲୋକ । ସେ କାନପାତି ଭଲକରି ଶୁଣିବାକୁ ଚେଷ୍ଟାକରେ ସେମାନଙ୍କର କଥାବାର୍ତ୍ତା ।

 

“ଆଗରୁ ତ ଖାଇବାକୁ ପାଉନଥିଲା –ବର୍ତ୍ତମାନ ହଠାତ୍ ବଡ଼ଲୋକ ହୋଇଯାଇ ଲୋକଟାର ମିଜାଜ ଯାହା ହୋଇଛି, ଯେପରି ଏକ ନବାବ ! ତାର ଏହି ନବାବୀ ମିଜାଜ୍ ପାଇଁ ସେଦିନ ଏପରି ରାଗ ହୋଇଥିଲା ଯେ ଆଉ ଟିକକୁ ହାତାହାତି ହୋଇଯାଇଥାନ୍ତା ।”

 

“କିନ୍ତୁ ଲୋକଟା ହଠାତ୍ ବଡ଼ଲୋକ ହୋଇଗଲା କିପରି ? ସେ କଥାର ଟେର ମୋଟ ପାଉନି ମୁଁ ।”

 

ପ୍ରଥମ ଲୋକଟି କହେ, “ଖୁବ୍ କମରେ ଲୋକଟା ବର୍ତ୍ତମାନ କେତେ କୋଟି ଟଙ୍କାର ମାଲିକ । କିଛି ଗୁପ୍ତଧନ ବୋଧହୁଏ ପଡ଼ିଛି ତା ହାତରେ ।”

 

ଦ୍ଵିତୀୟ ଲୋକଟି କହେ, “ରାତିରାତି ଲୋକଟାର ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି ।”

 

ତୃତୀୟ ଲୋକଟି କହେ, “ମୋର ମନେହୁଏ, ଲୋକଟା ଚୋରିମାଲ କାରବାର କରେ-।”

 

“ହେଃ–ଚୋରିମାଲ କାରବାର କରି ରାତାରାତି କେହି କେବେ ବଡ଼ଲୋକ ହେବାର ଦେଖିଛ ? ନା, ନା, ସେସବୁ ବାଜେ କଥା ! ଲୋକଟା ଯେତେ ଖରାପ ହେଉନା କାହିଁକି, ଦେଖିଲେ ମନେ ହୁଏ ନାହିଁ ଯେ ସେ ଚୋରିମାଲ ବ୍ୟବସାୟ କରେ ।”

 

“କିନ୍ତୁ ତାର ବଡ଼ଲୋକ ହେବାର ଆରମ୍ଭ ଆଉ ଶେଷଟା ହିଁ ରହସ୍ୟାବୃତ ।” ଚତୁର୍ଥ ଲୋକଟି କହେ । ସେ ଏତେବେଳଯାଏ ନୀରବ ହୋଇ ବସିଥିଲା । ତାପରେ ସେ କଥାକୁ ବୁଲାଇ ନେଲା, “ତୁମମାନଙ୍କର ବୋଧହୁଏ ପରଚର୍ଚ୍ଚା ଛଡ଼ା ଆଉ କିଛି କାମ ନାହିଁ ?”

 

ସେତେବେଳେ ଲୋକଗୁଡ଼ିକ ଲଜ୍ଜିତ ହୋଇ ଅନ୍ୟ କଥା ଆଲୋଚନାରେ ରତ ହେଲେ-

 

କିନ୍ତୁ କିଉୟୀର ମନେହେଲା, ଯେଉଁ ଲୋକଟା କଥା ସେମାନେ ଏତେବେଳଯାଏଁ ଆଲୋଚନା କରୁଥିଲେ, ତାର ବଡ଼ଲୋକ ହେବା ପଛରେ ନିଶ୍ଚୟ ସେହି ଭୌତିକ ବୋତଲର ହାତ ଅଛି l ସେ ସଙ୍ଗେ ସଙ୍ଗେ ତା ଟେବୁଲ ଛାଡ଼ି ଚାଲିଗଲା ସେମାନଙ୍କ ନିକଟକୁ ।

 

ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପାଖକୁ ଆସିବା ଦେଖି ସେମାନେ ସବିସ୍ମୟେ ତା’ଆଡ଼କୁ ଚାହିଁରହିଲେ ଜିଜ୍ଞାସୁନୟନରେ ।

 

କିଉୟୀ ସବିନୟରେ କହିଲା, ‘‘ଆପଣମାନଙ୍କୁ ବିରକ୍ତ କରିବାକୁ ଆସିଲି; କିଛି ମନେନକଲେ ଗୋଟିଏ କଥା ପଚାରିବି l’’

 

“କଣ ପଚାରିବେ ପଚାରନ୍ତୁ ।”

 

“ଏତେବେଳେଯାଏ ଆପଣମାନେ ଯେଉଁ ଲୋକଟି କଥା ନେଇ କଥାବାର୍ତ୍ତା କରୁଥିଲେ-ସେହି ଲୋକଟି ମୋର ଦରକାର । ଯଦି ଅନୁଗ୍ରହ କରି ଲୋକଟିର ନାମ ଠିକଣା ଜଣାଇ ଦିଅନ୍ତେ, ତାହାହେଲେ ଚିରକୃତଜ୍ଞ ରହନ୍ତି ଆପଣମାନଙ୍କ ନିକଟରେ ।”

 

ଲୋକମାନେ ନିଜ ନିଜ ଭିତରେ କିଛି ବେଳ ଚାହାଁଚାହିଁ ହେଲେ । ଲକ୍ଷ୍ୟ କଲେ କିଉୟୀର ଆପାଦମସ୍ତକ । ତା’ପରେ ଜଣେ ଲୋକ ତାକୁ ସେ ଲୋକର ଠିକଣା ବତାଇଦେଲା ।

 

ସେମାନଙ୍କୁ ଅଜସ୍ର ଧନ୍ୟବାଦ ଜଣାଇ ଚାଲି ଯାଉ ଯାଉ କିଉୟୀ ଶୁଣିବାକୁ ପାଇଲା, ଲୋକଗୁଡ଼ାକ କୁହାକୁହି ହେଉଛନ୍ତି, ଏ ନିଶ୍ଚୟ କୌଣସି ଗୋଏନ୍ଦା । ଆଗରୁ ଜାଣେ, ଲୋକଟାର ହଠାତ୍ ଧନୀ ହେବା ପଛରେ କୌଣସି ଅସତ୍ ଉପାୟ ଅଛି ।

 

କିଉୟୀ ସରାଇଖାନା ବାହାରକୁ ଆସିଲାବେଳେକୁ ରାତି ବେଶି ହୋଇନି । ରାସ୍ତାର ଦୁଇ ଧାରରେ ଦୋକାନମାନଙ୍କରେ ଲୋକଭିଡ଼ । ଆଲୋକମାଳାରେ ଝଲମଲ କରୁଥିଲା ଚତୁର୍ଦ୍ଦିଗ-। ସେ ଦ୍ରୁତପଦରେ ଆଗେଇଲା ସେହି ହଠାତ୍ ଧନପ୍ରାପ୍ତ ବ୍ୟବସାୟୀଙ୍କ ଦୋକାନ ଆଡ଼କୁ-

 

ଅଳ୍ପ ସମୟ ପରେ କିଉୟୀ ପହଞ୍ଚିଗଲା ଦୋକାନ ପାଖରେ । ଦେଖିଲା, ବିରାଟ ଭିଡ଼ ହୋଇଛି ଦୋକାନ ସାମନାରେ । ଅତି କଷ୍ଟରେ ସେ ଭିଡ଼ ପାରହୋଇ ଦୋକାନରେ ପହଞ୍ଚି ପଚାରିଲା ମାଲିକଙ୍କ ସମ୍ବନ୍ଧରେ ଜଣେ ଲୋକକୁ । ଲୋକଟା ସଙ୍ଗେ ସଙ୍ଗେ ତାକୁ ନେଇ ପହଞ୍ଚାଇଦେଲା ମାଲିକଙ୍କ ପାଖରେ ।

 

ଦୋକାନର ମାଲିକ କିଉୟୀର ଦାମିକା ପୋଷାକ ଓ ସୁଠାମ ଚେହେରା ଦେଖି ସବିନୟରେ ବସିବାକୁ ଇଙ୍ଗିତ ଦେଲେ । ତା’ପରେ ପଚାରିଲେ ଆଗମନର କାରଣ ।

 

କିଉୟୀ କହିଲା, “ମୁଁ ଭୀଷଣ ବିପଦରେ ପଡ଼ି ଆପଣଙ୍କ ନିକଟକୁ ଆସିଅଛି । ଆପଣଙ୍କ କଥା ଉପରେ ମୋର ଜୀବନ-ମରଣ ନିର୍ଭର କରୁଛି । ହୁଏତ ଯେଉଁ କଥା ମୁଁ ଜାଣିବାକୁ ଚାହୁଁଛି, ସେଇଟି ମୋ ତରଫରୁ ଧୃଷ୍ଟତାର ପରିଚାୟକ; କିନ୍ତୁ ତଥାପି ତାହା ନପଚାରିଲେ ମୋର ନଚଳେ ।’’

 

ଭଦ୍ରବ୍ୟକ୍ତି ଜିଜ୍ଞାସୁ ନୟନରେ ଚାହିଁ କହିଲେ, “କହନ୍ତୁ, କ’ଣ ଜାଣିବାକୁ ଚାହାନ୍ତି ଆପଣ-?”

 

କିଉୟୀ କହିଲା, “ମୁଁ ଗୋଟିଏ ବୋତଲର ଖବର ଜାଣିବାକୁ ଚାହୁଁଛି । ବୋତଲଟି ଦୁଧ ରଙ୍ଗର, ପେଟ ମୋଟା ଓ ବେକ ଲମ୍ବା । ଆଶା କରେ ବୋତଲଟିର ବିଶେଷ କ୍ଷମତା ସମ୍ବନ୍ଧରେ ଆପଣ ଅବଗତ ଅଛନ୍ତି । ତେଣୁ ସେହି ନରକର ବୋତଲଟା....”

 

କିଉୟୀର କଥା ଶୁଣି ଚମକିଉଠିଲେ ଭଦ୍ରଲୋକ । ତାଙ୍କର ମୁଖମୁଣ୍ଡଳ ବିବର୍ଣ୍ଣ ହୋଇଗଲା ।

 

ଦୁଇ ତିନି ମିନିଟ୍ ଉଭୟେ ନୀରବ ରହିଲା ପରେ ଭଦ୍ରଲୋକ ଜଣକ କହିଲେ, “ହଁ ଆଜ୍ଞା, ସେହି ନରକର ସାଙ୍ଘାତିକ ବୋତଲଟା ମୁଁ କିଣିଥିଲି । ଯଦିଓ ମୋର ଆଜିକାର ସୌଭାଗ୍ୟ ମୂଳରେ ସେହି ବୋତଲଟା, ତଥାପି ତାର କଥା ମୋ ନିକଟରେ ଅସହ୍ୟ ।”

 

“ଆପଣ କଣ ବୋତଲଟାକୁ ଲୋପାକା ନିକଟରୁ କିଣିଥିଲେ ?”

 

ଭଦ୍ରଲୋକ ମୁଣ୍ଡ ହଲାଇ କହିଲେ, “ହଁ । ଉଃ, ସେହି ନରକର ବୋତଲଟା ବିକ୍ରି କରିବାକୁ ମୋତେ ଯାହା ଭୋଗିବାକୁ ହୋଇଛି, ସେ କଥା ଭାବିଲେ ଦେହ କମ୍ପି ଉଠେ ।”

 

କିଉୟୀ ପ୍ରଶ୍ନ କଲା, “ଆପଣ କଣ ତେବେ ବୋତଲଟି ବିକ୍ରି କରିଦେଇଛନ୍ତି ?”

 

“ହଁ, କିନ୍ତୁ ବୋତଲଟା କ’ଣ ଆପଣଙ୍କର ନିହାତି ଦରକାର ?”

 

“ବୋତଲଟା ନପାଇଲେ ମୋର ଆଦୌ ଚଳିବନି ।”

 

ଭଦ୍ରଲୋକ କହିଲେ, “ଶୁଣିଛି, ମୋ ପରେ ବୋତଲଟି ଅନେକ ହାତ ବଦଳିଛି । କିଛିଦିନ ହେଲା ଶୁଣୁଛି, ବୋତଲଟା କୁଆଡ଼େ ବର୍ତ୍ତମାନ ବେରେଟାନିୟା ଷ୍ଟ୍ରିଟର ଜଣେ ଭଦ୍ରଲୋକଙ୍କ ନିକଟରେ ପହଞ୍ଚିଛି । ଅଳ୍ପ ଦିନ ହେଲା ସେ କିଣିଛନ୍ତି । ଆପଣ ସେ ଲୋକ ପାଖକୁ ଯାଇପାରନ୍ତି ।”

 

କିଉୟୀ ବଦ୍ରଲୋକଙ୍କଠାରୁ ନାମ ଓ ଠିକଣା ଟିପିନେଇ ରାସ୍ତାରେ ଆସି ଛିଡ଼ାହେଲା । ବେରେଟାନିୟା ଷ୍ଟ୍ରିଟ୍ ଅଭିମୁଖରେ ଅଗ୍ରସର ହେଲା କିଉୟୀ ।

 

ନିର୍ଦ୍ଦିଷ୍ଟ ଘରକୁ ଯାଇ ଜଞ୍ଜିର ହଲାଇଲା ସେ । ପ୍ରଥମେ କୌଣସି ପ୍ରତ୍ୟୁତ୍ତର ମିଳିଲାନାହିଁ । ଦ୍ୱିତୀୟ ଥର ଜଞ୍ଜିର ହଲାଇବାରୁ ଜଣେ ଭଦ୍ରଲୋକ ଆସି ଦୁଆର ଖୋଲିଲେ ଓ କିଉୟୀକୁ ଭିତରକୁ ଯିବାଲାଗି ଆହ୍ୱାନ ଜଣାଇଲେ ।

 

ବତିର ଆଲୋକରେ କିଉୟୀ ଦେଖିବାକୁପାଇଲା ଭଦ୍ରଲୋକଙ୍କ ମୁହଁ । ତାଙ୍କ ଚେହେରା ଦେଖି ତାର ମନେହେଲା ତାଙ୍କର ଅନ୍ତିମ ଦଶା ଯେପରି ଆରମ୍ଭ ହୋଇଯାଇଛି । ତାଙ୍କର ଭୟାର୍ତ୍ତ ମୁହଁ ଉପରେ ଆସି ପଡ଼ିଛି ମୃତ୍ୟୁର ଛାୟା । ଦେହ ଭାଙ୍ଗି ପଡ଼ିଛି ଦୁର୍ଭାବନାରେ । ଆଖି କୋଟରଗତ । ବିବର୍ଣ୍ଣ ମୁହଁରେ ହତାଶାର ଭାବ । ଭଦ୍ରଲୋକ ଯେପରି ନରକଦଶା ଭୋଗକରୁଛନ୍ତି ମନେ ମନେ ।

 

ଭଦ୍ରଲୋକ କିଉୟୀକୁ ବସିବାକୁ କହି ଜାଣିବାକୁ ଚାହିଁଲେ ତାର ଆସିବାର କାରଣ ।

 

କିଉୟୀ ବୋତଲକଥା ଉତ୍ଥାପନ କଲାମାତ୍ରେ ଭଦ୍ରଲୋକଙ୍କ ଦେହ ଯେପରି ଥରିଉଠିଲା ଏକ ଭୟାନକ ଆତଙ୍କରେ ।

 

କ୍ଳାନ୍ତ ଅଥଚ ଦ୍ରୁତ କଣ୍ଠରେ ଭଦ୍ରଲୋକ କହିଲେ, “ହଁ, ହଁ, ମୁଁ ସେହି ନରକର ବୋତଲଟା ବିକ୍ରିକରିବି–ଏହିକ୍ଷଣି... । ନରକର ବୋତଲଟାକୁ ବିଦାୟ କରିପାରିଲେ ମୋର ରକ୍ଷା; କିନ୍ତୁ... ।’’ ଭଦ୍ରଲୋକ ହଠାତ୍ ଥମିଗଲେ, କଥା ଶେଷ ନକରି ।

 

କିଉୟୀ ଉଦବିଗ୍ନ କଣ୍ଠରେ କହିଲା, “କିନ୍ତୁ ବୋତଲଟା ବିକ୍ରି କରିବ ଦୁଇ ସେଣ୍ଟରେ ।” ନିଦାରୁଣ ହତାଶାରେ ଭାଙ୍ଗି ପଡ଼ିଲେ ଭଦ୍ରଲୋକ ।

 

ଦିଇ ସେଣ୍ଟରେ ବୋତଲଟିକୁ କିଣିବା ଅର୍ଥ ହେଲା ଯେ କୌଣସି ପ୍ରକାରେ ସେଇଟାକୁ ଏକ ସେଣ୍ଟରେ ବିକ୍ରି କରିବାକୁ ହେବ…ଆଉ ଏକ ସେଣ୍ଟ ଦେଇ ଯିଏ ବୋତଲଟିକୁ କିଣିବ ସିଏ ବୋତଲଟାକୁ କେବେହେଲେ ଆଉ ବିକ୍ରି କରିପାରିବ ନାହିଁ ।

 

ତାର ଅନ୍ତିମ ମୂହୂର୍ତ୍ତ ପର୍ଯ୍ୟନ୍ତ ବୋତଲଭୂତ ରହିବ ତାର ଅଧୀନସ୍ଥ; ଆଉ ମୃତ୍ୟୁ ପରେ ସେହି ନରକର ଭୂତ ସହିତ ଶେଷ କ୍ରେତାର ଆତ୍ମା ବଦଳ ହେବ ! ତାକୁ ଅନନ୍ତ କାଳ ନରକର ଅଗ୍ନିରେ ପୋଡ଼ି ମରିବାକୁ ହେବ ।

 

ପରମୂହୂର୍ତ୍ତରେ ତାର ମନେପଡ଼ିଲା କକୁୟାର କଥା । ସିଏ ଯଦି ଅନନ୍ତକାଳ ଏହି ନିଆଁରେ ପୋଡ଼ି ମରିବାକୁ ରାଜି ହୁଏ, ତେବେ ସେ କକୁୟାକୁ ଲାଭ କରିପାରେ ।

 

କିଉୟୀ ତା ମନକୁ ବାରମ୍ବାର ପ୍ରଶ୍ନ କରି ମଧ୍ୟ ସମାଧାନ କରିପାରିଲାନି ଏ ସମସ୍ୟାର-

 

ତା’ ପରେ ବୋତଲର ମାଲିକ ଘରର ସେହି ନୀରବତା ଭାଙ୍ଗିବାକୁ ଚେଷ୍ଟାକଲେ । ଗୋଟାଏ ଶୁଖିଲା ହସ ହସି ସେ ବ୍ୟାଖ୍ୟା କରିବାକୁ ଚେଷ୍ଟାକଲେ କାହିଁକି ସେ ନରକର ଭୂତ ନିକଟରେ ନିଜର ଆତ୍ମାକୁ ବିକ୍ରି କରିଦେଇଛନ୍ତି ।

 

ଭଦ୍ରଲୋକ ପୁଣି କହିଲେ, “ଦେଣାରେ ସେତେବେଳେ ମୋ ମୁଣ୍ଡର ବାଳ ପର୍ଯ୍ୟନ୍ତ ବିକ୍ରି ହେବା ଉପରେ, ଯେଉଁଆଡ଼େ ଚାହେଁ ସେଆଡ଼ ଅନ୍ଧକାର, ଭାବନାରେ ମୁଁ ପ୍ରାୟ ପାଗଳ ହୋଇ ଯିବାକୁ ବସିଲି । ଭଲ ମନ୍ଦ କିଛି ବିଚାରର କ୍ଷମତା ପର୍ଯ୍ୟନ୍ତ ହରାଇ ବସିଲି ମୁଁ । କୌଣସି ଉପାୟ ନ ଦେଖି ଅଫିସ ଟଙ୍କାରୁ ଦେଣା ଶୁଝିଦେଲି । ମୁଁ ଥିଲି ଅଫିସର କ୍ୟାସିୟର । ଏହା ସିନା କରିଦେଲି, କିପରି ସରକାରୀ ଟଙ୍କା ଭରଣା କରିବି, ତାର କୌଣସି ରାସ୍ତା ପାଇଲି ନାହିଁ ! ଏହିପରି ସମୟରେ ନୋଟିସ୍ ଆସିଲା ତିନିଦିନ ଭିତରେ ସବୁ ହିସାବ ଠିକ୍ କରି ରଖିବା ଦରକାର-। ବଡ଼ ସାହେବ ଅଫିସ ପରିଦର୍ଶନରେ ଆସୁଛନ୍ତି ।

 

“ମୁଣ୍ଡ ଉପରେ ଯେପରି ଆକାଶ ଭାଙ୍ଗିପଡ଼ିଲା । ଅଫିସର ଗୋଟିଏ ପଇସା ଏପଟ ସେପଟ ହେଲେ ଜେଲ ନିଶ୍ଚିତ । ବର୍ତ୍ତମାନ ଏତେଗୁଡ଼ାଏ ଟଙ୍କା ତୋଷରପାତ । ତାର ଦଣ୍ଡ କଣ ହୋଇପାରେ ତାହା ସହଜରେ ବୁଝିପାରିଲି ମୁଁ । ଆଉ ତା ଛଡ଼ା ଲୋକଲଜ୍ଜା, ଅପମାନ, ମାନ-ସମ୍ମାନ ନଷ୍ଟ–ଏସବୁ ତ ଅଛି । ଲୋକେ ମୋତେ କହିବେ-ଜୁଆଚୋର, ବେଇମାନ୍, ବଦମାସ, ବିଶ୍ୱାସଘାତକ । ....କଣ କରିବ ଠିକ୍ କରି ନ ପାରି ମୁଁ ଯେତେବେଳେ ଆତ୍ମହତ୍ୟା କରି ସମସ୍ତ ଜ୍ୱାଳାରୁ ମୁକ୍ତି ପାଇବି ବୋଲି ଭାବୁଛି, ଏପରି ସମୟରେ....ଏହି ବୋତଲଟିର କଥା ମୋ କାନରେ ପଡ଼ିଲା । ଏହି ବିପଦରୁ ରକ୍ଷା ପାଇବା ପାଇଁ ତିନି ସେଣ୍ଟ ଦେଇ ଏହି ବୋତଲଟି କିଣିନେଲି ମୁଁ । ମୋର ଆତ୍ମାକୁ ବିକ୍ରି କରିଦେଲି ଶୟତାନ ନିକଟରେ ।”

 

କିନ୍ତୁ କିଉୟୀ ସେତେବେଳେକୁ ମନ ଦୃଢ଼ କରିସାରିଛି-ବୋତଲଟିକୁ ପୁନରାୟ କିଣିନେବା ପାଇଁ ।

 

ପୁଣି ସେହି ବୋତଲ ଫେରିଆସିଲା କିଉୟୀ ନିକଟକୁ । ପୁଣି ସେ କିଣିଲା ସେହି ଦୁଧିଆରଙ୍ଗ, ପେଟ ମୋଟା, ଲମ୍ବା ବେକବାଲା ବୋତଲଟା; ଯାହା ଭିତରେ ଦାଉ ଦାଉ ହୋଇ ଜଳୁଛି ନରକର ଅଗ୍ନି-ଯନ୍ତ୍ରଣା ।

 

ବୋତଲଟିକୁ କିଣି କିଉୟୀ ରାସ୍ତାରେ ଆସି ଠିଆହେଲା । ବତିର ଆଲୋକରେ ସେ ଲକ୍ଷ୍ୟ କଲା, ବୋତଲ ଭିତରର ଲାଲ ଅଗ୍ନି ଦାଉ ଦାଉ ହୋଇ ଜଳୁଛି ଲୋଲୁପଶିଖାରେ; ଆଉ ଗୋଟିଏ ଘନ ଅନ୍ଧକାର କଳା ଛାଇ ଉନ୍ମତ୍ତ ପ୍ରଳୟ ନୃତ୍ୟରେ ଡିଆଁ ଡେଇଁ କରୁଛି ।

 

ତାର ମନେହେଲା ଭୂତଟାର ଏହି ଉନ୍ମଚ ନୃତ୍ୟ ଭିତରେ ଉଙ୍କି ମାରୁଛି ଗୋଟାଏ ଭୀଷଣ ବିପଦର ସୂଚନା । ସେ ବିପଦ ଯେ କଣ ତାହା ସେ ବୁଝିପାରିଲାନି ।

 

ତା’ହେଲେ କଣ ନରକର ନିଆଁରେ ତାକୁ ପୋଡ଼ିମରିବାକୁ ହେବ ଯୁଗ ପରେ ଯୁଗ ଅସହ୍ୟ ଯମ-ଯନ୍ତ୍ରଣା ଭୋଗ କରି ?

 

X X X X

 

ବୋତଲଟି ଆଡ଼କୁ ଭୟାର୍ତ୍ତ ନୟନରେ ଚାହିଁଲା କିଉୟୀ ।

 

ଦେଖିବାକୁ ପାଇଲା ବୋତଲଟାର ଭିତରର ଅଗ୍ନିର ରଙ୍ଗ ଗାଢ଼ ହୋଇଯାଉଛି ଆହୁରି ବେଶି; ଆଉ ଘନ ହୋଇଯାଉଛି ସେହି କଳା ଛାୟାଟି । ଅଗ୍ନି ଆଉ କଳା ଛାୟାର ମିଶ୍ରଣରେ ଘନେଇ ଆସୁଛି ଭୟଙ୍କର ବିପଦ ଯେପରି ।

 

ହନଲୁଲୁଠାରୁ ଷ୍ଟିମରରେ ଘରକୁ ଫେରୁଛି କିଉୟୀ । ତା’ ସହିତ ଅଛି ସେହି ନରକର ବୋତଲଟା ।

 

କିଉୟୀ ଭାବିଲା ଯେ ବୋତଲଭୂତକୁ କହିବା ମାତ୍ରେ ହିଁ ସେ ଆରୋଗ୍ୟ ହୋଇଯିବ; କିନ୍ତୁ ତାର ଦୁଶ୍ଚିନ୍ତା କ୍ରମଶଃ ବଢ଼ିବାକୁ ଲାଗିଲା, ଯେତେବେଳେ ସେ ଦେଖିବାକୁ ପାଇଲା ତାର ଛାତିର ଦାଗଟା ଲିଭିବା ବଦଳରେ ଆହୁରି ବଢ଼ିଯାଇଛି ।

 

ଅନ୍ତଃହୀନ ସମୁଦ୍ରକୁ ଚାହିଁ ଚାହିଁ କିଉୟୀର ହଠାତ୍ ମନେହେଲା ଯେ ସିଏ ଯେପରି ଦୁର୍ଭାବନାରେ ଅତଳ ଅନ୍ଧକାରରେ ବୁଡ଼ିଯାଉଛି ।

 

X X X X

 

ଘରକୁ ପେରି ପରିଶ୍ରାନ୍ତ କିଉୟୀ ଶରୀରକୁ ଲୋଟାଇଦେଲା ତା ବିଛଣାରେ ।

 

କକୁୟା ସହିତ ସାକ୍ଷାତ କରି ଲାଭ କଣ ? ରୋଗ ତ ତାର ଭଲ ହୋଇନି । ଅକାରଣରେ ତା ସହିତ ଦେଖାକଲେ ମନର ଦୁଃଖ ଆହୁରି ବଢ଼ିବ ସିନା, କମିବ ନାହିଁ । ତେଣୁ ସେ ଜାହାଜରୁ ଓହ୍ଳାଇ ସିଧା ଚାଲିଆସିଥିଲା ନିଜ ଘରକୁ ।

 

କିଛି ସମୟ ବିଶ୍ରାମ ନେବା ପରେ ସେ ଜାମାପଟା ଖୋଲିଦେଇ ସ୍ନାନ କରିବା ପାଇଁ ପ୍ରସ୍ତୁତ ହେଲା ।

 

ହଠାତ୍ ସେହି ଚିହ୍ନ ଆଡ଼କୁ ଚାହିଁ ଚମକିଉଠିଲା କିଉୟୀ । ଆନନ୍ଦର ଉଜ୍ଜ୍ୱସ ଆଭାରେ ଉଦ୍‍ଭାସିତ ହୋଇଉଠିଲା ତାର ମୁହଁ । ତା ଦେହରୁ ଉଭେଇଯାଇଛି ଚିହ୍ନଟି । ସେ ନୀରୋଗ, ସେ ସମ୍ପୂର୍ଣ୍ଣ ସୁସ୍ଥ !

 

ଚଞ୍ଚଳ ପଦରେ ସେ ଆଗେଇଗଲା ଦର୍ପଣ ସାମାନାକୁ । ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିଲା ଆଉ ସେହି ଜଘନ୍ୟ ରୋଗର ଚିହ୍ନ ନାହିଁ ଦେହରେ ତାର । ଆନନ୍ଦରେ ଭରିଉଠିଲା ତାର ହୃଦୟ ଓ ମନ ।

 

ଆନନ୍ଦରେ ସେ ଯେ କଣ କରିବ ଭାବି ଠିକ୍ କରିପାରିଲାନି ।

 

ଏତିକିବେଳେ ଟେବୁଲ ଉପରେ ପଡ଼ିଲା ତାର ଆଖି । ଟେବୁଲ ଉପରେ ରହିଛି ସେହି ନରକର ବୋତଲଟା । ମନେହେଲା ଯେପରି କେହି କାଗଜ ଖଣ୍ଡକୁ ଟିକିଟିକି କରି ଚିରିବା ଭଳି ତା ଦେହକୁ ଟିକିଟିକି କରି ଛିଣ୍ଡାଇଦେଉଛି ।

 

ଟିକିଏ ପବନ ! ଟିକିଏ ପବନ !

 

ସେ କହିବାକୁ ଚଷ୍ଟା କରୁଛି–ଟିକିଏ ଥଣ୍ଡା ପବନ; କିନ୍ତୁ ଶୁଖିଲା କଣ୍ଠ ଦେଇ କୌଣସି ଶବ୍ଦ ବାହାରି ପାରୁନି । ତା’ପରେ ଅଜ୍ଞାନ ହୋଇ ପଡ଼ିଯାଇଛି ସେ ଘର ମଝିରେ ।

Image

 

ବାର

 

କେତେଦିନ ପରେ....

 

ଆଜି କକୁମ୍ଭା ଓ କିଉୟୀର ବିବାହ ଉତ୍ସବ । ସହରର ଧନୀ ଗରିବ ସମସ୍ତେ ଆସି ହାଜର ହୋଇଛନ୍ତି କିଉୟୀ ଘରେ ।

 

କିଉୟୀ ଘରର ବିଚିତ୍ର ଓ ବହୁମୂଲ୍ୟର ସାଜସଜ୍ଜା ଦେଖି ସମସ୍ତେ ବିସ୍ମିତ । ଅତିଥିମାନେ ଅବାକ୍ ହୋଇ ଘୂରି ଘୂରି ଦେଖୁଥାନ୍ତି ଚତୁର୍ଦ୍ଦିଗକୁ ।

 

ଆଦର ଆପ୍ୟାୟନରେ କୌଣସି ତ୍ରୁଟି ନାହିଁ । ଗାନ, ବାଜଣା, ନାଚ ଆଦି ଚାଲିଛି ପୂରା ଦମରେ ।

 

ଅତିଥିମାନଙ୍କର ବିସ୍ମୟ ଧୀରେ ଧୀରେ ବୃଦ୍ଧି ପାଉଛି ଏହି ବିଚିତ୍ର ଭୋଜି ଓ ଜାକଜକମଭରା ଉତ୍ସବର ଆୟୋଜନ କେହି କେବେହେଲେ କଳ୍ପନା ମଧ୍ୟ କରିନାହାନ୍ତି ।

 

ପାତ୍ର ସବୁ ସୁନା, ରୁପାରେ ତିଆରି-ଫଳମୂଳ, ମାଛ, ମାଂସ ନାନା ଧରଣର ସୁସ୍ୱାଦୁ ଆହାର୍ଯ୍ୟର ଆୟୋଜନ ହୋଇଛି । ଏହିପରି ଏକ ଉତ୍ସବ ପାଇଁ କିଉୟୀ ଅନ୍ତତଃ ପଚିଶ, ତିରିଶ ହଜାର ଟଙ୍କାରୁ କମ୍ ଖର୍ଚ୍ଚ କରି ନଥିବ ।

 

ଏହି ଅଭାବନୀୟ ସମାରୋହପୂର୍ଣ୍ଣ ଉତ୍ସବର ଆୟୋଜନ ଯିଏ କରିଛି, ସେ ଅବଶ୍ୟ ଯଥାରୀତି ଆଦର ଆପ୍ୟାୟନ କରିଯାଉଛି । ସମସ୍ତଙ୍କ ସନ୍ତୋଷବିଧାନରେ କୌଣସି ତ୍ରୁଟି କରୁନି; କିନ୍ତୁ ଯେପରି ସମସ୍ତ ଉତ୍ସବର ଆନନ୍ଦ ଓ ସମାରୋହ ବିନ୍ଦୁ ମାତ୍ର ସ୍ପର୍ଶ କରିନାହିଁ କିଉୟୀକୁ ।

 

ଅତିଥିମାନେ କିଉୟୀର ବିମର୍ଷଭାବ ଲକ୍ଷ୍ୟ କରିପାରିଲେ ନାହିଁ । କିନ୍ତୁ କକୁୟାର ଆଖିରେ କୌଣସି ଜିନିଷ ଲୁଚି ରହି ପାରିଲାନି । ସେ କିଉୟୀର ମୁହଁର ଅନ୍ଧାକାର ଛାୟାକୁ ଲକ୍ଷ୍ୟ କରିପାରିଲା ଭଲଭାବରେ ।

 

କକୁୟା ବୁଝିପାରିଲା ନାହିଁ ତାର ଏହି ବିମର୍ଷ ଭାବର କାରଣ କ’ଣ ? ସେ ବିସ୍ମିତ ହୋଇ କିଉୟୀକୁ ଭଲଭାବରେ ଲକ୍ଷ୍ୟକଲା ।

 

ତାପରେ ଭାବିଲା ଏପରି କିଛି ସାଙ୍ଘାତିକ ଘଟଣା ଘଟିଛି, ଯାହା ଯୋଗୁଁ ସେ ତାର ଜୀବନର ଅବିସ୍ମରଣୀୟ ଏହି ବିବାହ ଉତ୍ସବରେ ମଧ୍ୟ ପ୍ରାଣ ଖୋଲି ଯୋଗ ଦେଇପାରୁନି । ସେ ଆଦୌ ଏହାର କାରଣ ବୁଝିପାରିଲାନି ।

 

ନିଜ ମନ ସହିତ ଆଉ ଲଢି ପାରୁନଥିଲା କିଉୟୀ । ଶ୍ରାନ୍ତରେ, କ୍ଳାନ୍ତିରେ, ଦୁଃଶ୍ଚିନ୍ତାରେ ପେଷିହୋଇଯିବାକୁ ଲାଗିଲା ସେ । ପ୍ରତ୍ୟେକ ମୂହୂର୍ତ୍ତରେ ସେ ଅନୁଭବ କରିବାକୁ ଲାଗିଲା ନରକଯନ୍ତ୍ରଣା । ଦୁଶ୍ଚିନ୍ତାରେ ଜଳିପୋଡ଼ି ପାଉଁଶ ହୋଇଯିବାକୁ ବସିଲା ତାର ମନ ।

 

କିଉୟୀ ଭାଗ୍ୟବାନ୍ ବୋଲି ଅତିଥିମାନେ ତା ଆଡ଼କୁ ଦୃଷ୍ଟିପାତ ନ କରି ଜାକଜକମ ଆଲୋଚନାରେ ହିଁ ବ୍ୟସ୍ତରହିଲେ ।

 

ଦୁଃଶ୍ଚିନ୍ତାର ଏକ ପାଷାଣା ଯେପରି ତାର ହୃଦୟକୁ ପେଷିପକାଇଲା ପ୍ରତି ମୂହୂର୍ତ୍ତରେ । କ୍ରମଶଃ ଏପରି ଅବସ୍ଥାରେ ଆସି ପହଞ୍ଚିଲା ଯେ ତାର ଯନ୍ତ୍ରଣାରେ କକୁୟା ମଧ୍ୟ ବିଚଳିତ ନ ହୋଇ ରହିପାରିଲାନି । ତଥାପି ଅତ୍ୟନ୍ତ ସଂଯତ ହୋଇ ଅତିଥିମାନଙ୍କର ସୁଖ-ସୁବିଧା ପ୍ରତି ଦୃଷ୍ଟିରଖିଲା ସେ ।

 

ଅବଶେଷରେ ଗଭୀର ରାତ୍ରିରେ ଶେଷ ଅତିଥିଟି ପର୍ଯ୍ୟନ୍ତ ଯେତେବେଳେ ବିଦାୟ ନେଲେ, ସେତେବେଳେ କକୁୟା ‘କିଉୟୀ’ କୁ ପଚାରିଲା, “ମୁଁ କ’ଣ ତୁମ ଦୁଃଖର କାରଣ ହୋଇଛି କିଉୟୀ ?”

 

କିଉୟୀ ଆଉ ଆତ୍ମସମ୍ବରଣ କରିପାରିଲାନି । କକୁୟାର ସୋହାଗ-ମମତା ସଂଯମର ବନ୍ଧ ଭାଙ୍ଗିଦେଲା ।

 

କିଉୟୀ ସେହି ନରକର ବୋତଲଟିର ଭୟାବହ କାହାଣୀ ସବୁ ଆମୂଳଚୂଳ ଖୋଲି କହିଦେଲା କକୁୟାକୁ । ଗୋଟିଏ କଥା ମଧ୍ୟ ସେ ଲୁଚାଇଲାନି ।

 

କିପରି ପ୍ରଥମେ ବୋତଲଟି ତାର ହସ୍ତଗତ ହୋଇଥିଲା, ତାପରେ କେମିତି ଲୋପାକା ତାକୁ ସେହି ନରକର ବୋତଲ ହାତରୁ ନିଷ୍କୃତି ଦେଇଥିଲା ଏବଂ ପୁଣି କାହିଁକି ସେ ଏହି ଭୟଙ୍କର ବୋତଲର ଭୂତ ପାଖରେ ନିଜର ଆତ୍ମାକୁ ବିକ୍ରି କରିଛି-କୌଣସି କଥା ସେ ଗୋପନ ରଖିଲାନି ।

 

କକୁୟା ସେହି ଅଭୁତ ଭୟାବହ କାହାଣୀ ଶୁଣି ଶିହରି ଉଠିବାକୁ ଲାଗିଲା ବାରମ୍ବାର । ସିଏ ଶୁଣିଲା କିପରି ତାର ସ୍ଵାମୀ ନିଜକୁ ନରକର ଅଗ୍ନିରେ ନିକ୍ଷେପ କରିଛି । ଏହି ସାଘାଂତିକ ବୋତଲଟାକୁ କିଣିବା ପାଇଁ ନିଶ୍ଚୟ କେହି ରାଜି ହେବେନି ।

 

କିଉୟୀ ଆଉ କକୁୟା-ଭୟଙ୍କର ଉପରେ ଏଥର ଘନ ବିଷାଦର କଳା ଛାଇ ନଇଁଆସିଲା । ନା, କୌଣସିମତେ ଏଇ ଭୂତ କବଳରୁ ମୁକ୍ତି ମିଳିବନି ।

 

ହଠାତ୍ କଣ ଗୋଟାଏ କଥା ମନେପଡ଼ିବାରୁ କକୁୟା ଚମକି ଉଠିଲା, “ହୁଏତ-ହୁଏତ କାହିଁକି ମୋର ମନେହେଉଛି ଏହି ବୋତଲ ନିଶ୍ଚୟ ଫରାସୀର ତାହିତିରେ ବିକ୍ରି କରିପାରିବି । ସେହି ବହୁ ଦୂରସ୍ଥ ଦ୍ଵୀପରେ ସେଣ୍ଟାଇମ ନାମରେ ଏକପ୍ରକାର ତମ୍ବା ପଇସା ଚଳେ । ଆମ ଏଠାର ଏକ ପେନି ସେଠାରେ ପାଞ୍ଚ ସେଣ୍ଟାଇମ ସହିତ ସମାନ ।”

 

ଆଶାର ଆଲୋକରେ ଉଜ୍ଜ୍ୱଳ ହୋଇଉଠିଲା କିଉୟୀର ଚକ୍ଷୁ ଓ ମୁହଁ । ତାର ମନେହେଲା ନରକର ଅନିବାର୍ଯ୍ୟ ମର୍ମାନ୍ତିକତାର ହାତରୁ ସେ ମୁକ୍ତି ପାଇବା ନିଶ୍ଚୟ ।

 

କିଉୟୀ କହିଲା, “ଭାଗବାନଙ୍କୁ ଧନ୍ୟବାଦ- ତୁମର ଏକଥା ମନେପଡିଯାଇଛି । ମୁଁ ତ ଏକଥା ଏକଦମ୍ ଭୁଲିଯାଇଥିଲି ।

 

ପୁଣି ଯେପରି ନୂଆକରି ପୃଥିବୀକୁ ଭଲପାଇବସିଲା କିଉୟୀ । ଆଉ ସେହି ଆଶାବରୀ ଗୀତିକାର ସୁର ବାଜିବାକୁ ଲାଗିଲା ତା କାନରେ କ୍ରମାଗତ ।

 

ଏଥର ହୁଏତ ମୁକ୍ତି ପାଇଲେ ପାଇପାରେ ସେ ।

Image

 

ତେର

 

ସମଗ୍ର ତାହିତିରେ ବିସ୍ମୟ, ଉତ୍ତେଜନା ଓ କୌତୂହଳ ଫାଟିପଡ଼ିଲା ।

ହାୱାଇ ଦ୍ଵୀପର ଜଣେ ବାସିନ୍ଦାର କଳ୍ପନାତୀତ କାଣ୍ଡ କାରଖାନା ଦେଖି ଏଠାକାର ଅଧିବାସୀମାନଙ୍କର ମୁଣ୍ଡ ଘୂରିଯାଇଛି ।

ତାହିତିକୁ ଆସି କିଉୟୀ ଦିନ କେତେଟା ଭିତରେ କିଣିଛି ପ୍ରକାଣ୍ଡ ଏକ ଅଟ୍ଟାଳିକା । ମୁକ୍ତହସ୍ତରେ ଅଚଳାଚଳ ଟଙ୍କା ଖରଚ କରି ଦାମିକା ଦୁର୍ଲଭ ଆସବାବ, ଚିତ୍ର, ମର୍ମର ମୂର୍ତ୍ତିଦ୍ଵାର ସଜାଇଛି ତାର ଅଟ୍ଟାଳିକାର ଆମୂଳଚୂଳ । ନିଯୁକ୍ତି କରିଛି ନାନା ଶ୍ରେଣୀର କର୍ମଚାରୀ ଏବଂ ଦାସଦାସୀ, ପାଚକ ଖାନସମା, ଦରୁଆନ, କଚୁଆନ ପ୍ରଭୁତି ।

ଲୋକମୁଖରେ ତାର କଥା ହୋଇଉଠିଛି ଯେପରି ଆରବ୍ୟ ଉପନ୍ୟାସର କାହାଣୀ । କାରଣ ଅକାରଣରେ କିଉୟୀ ପ୍ରଚୁର ପରିମାଣ ଟଙ୍କା ମୋହର ବିଞ୍ଚିଦେଇଛି । ତେଣୁ ଅଳ୍ପ ଦିନ ମଧ୍ୟରେ ସେଠାରେ କେବଳ କିଉୟୀର କଥା ବ୍ୟତୀତ ଆଉ କିଛି ଶୁଣା–ଯାଉନି । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?

ଏହା ପଛରେ ଥିଲା କିନ୍ତୁ କକୁୟାର ବୁଦ୍ଧି ।

ସେ କହିଥିଲେ–“ଫରାସୀ ଦ୍ଵୀପ ତାହିତିକୁ ଯାଇ ଆଗେ ଏହିପରି ଭାବରେ ମୁକ୍ତ ହସ୍ତରେ ଟଙ୍କା ପଇସା ଖର୍ଚ୍ଚ କରିବାକୁ ହେବ, ଯାହା ଦେଖି ଲୋକେ ଆମକୁ ନେଇ ରୂପକଥାର କାହାଣୀ ପ୍ରସ୍ତୁତ କରିବାକୁ ମଧ୍ୟ ପଛେଇବେ ନାହିଁ । ଯଦି ଆମ୍ଭେମାନେ ଅପରିମିତ ଧନସମ୍ପଦର ଅଧିକାରୀରୂପେ ଦେଖାନଦେଉ, ତେବେ କିଏ ବିଶ୍ଵାସ କରିବ ଯେ ଏହି ବୋତଲଟା ବିରାଟ ଐଶ୍ୱର୍ଯ୍ୟ ଦେଇପାରେ ?”

ସେଥିପାଇଁ ସେଠାରେ ପହଞ୍ଚିବା ପରେ ପରେ ସେମାନେ ରହିଥିଲେ ସବୁଠାରୁ ଦାମିକା ହୋଟେଲରେ । ତା’ପରେ ପାଣିପରି ଅଜସ୍ର ଟଙ୍କା ଖର୍ଚ୍ଚ କରି ରୂପକଥାର ନାୟକ ହୋଇଉଠିବାକୁ ବେଶି ଦିନ ଲାଗିନାହିଁ ସେମାନଙ୍କୁ ।

ଏହିପରି ଚାଲିଲା କିଛିଦିନ । ତା’ପରେ ସେମାନେ ଠିକ୍ କଲେ ଏଥର ପ୍ରକୃତ ବ୍ୟକ୍ତିର ସନ୍ଧାନରେ ବାହାରିବାକୁ ହେବ–ଯିଏ ସେହି ବୋତଲାଟା କିଣିବାକୁ ରାଜି ହୋଇପାରିବ ।

ସେଦିନ ଅପରାହଣରେ ବହୁମୂଲ୍ୟ ଘୋଡ଼ାଗାଡ଼ିରେ କିଉୟୀ ଆଉ କକୁୟା ବୁଲି ବାହାରିଲେ । ସହରଠାରୁ ବହୁଦୂରକୁ ଚାଲିଗଲେ ସେମାନେ ।

ଏହି ଦିଗଟା ଅତି ନିର୍ଜନ । ରାସ୍ତାର ଉଭୟ ପାର୍ଶ୍ଵରେ ବିସ୍ତୀର୍ଣ୍ଣ ପ୍ରାନ୍ତର । ସଂଧ୍ୟା ହେବାକୁ ଆଉ ବେଶି ଡେରିନାହିଁ । ଆଖପାଖରେ କୌଣସି ଘରଦ୍ଵାର ନାହିଁ । ମଝିରେ ମଝିରେ ନାରିକେଳ ବନ ମୁଣ୍ଡ ଟେକି ଠିଆହୋଇଛି ।

ହଠାତ୍ ଏହି ନିର୍ଜନ ସହରତଳିରେ ଗୋଟିଏ ଘର ସେମାନଙ୍କ ଦୃଷ୍ଟିରେ ପଡ଼ିଲା । ଘରଟି ପୁରୁଣା ; ଇଟା-ପଥରରେ ତିଆରି । ରାସ୍ତା ଆଡ଼କୁ ଟିକିଏ ଝୁଙ୍କିପଡ଼ିଥିଲା ଘରଟି । କିନ୍ତୁ ଗୋଟାଏ ବିରାଟ ଗଛ ଘରଟିକୁ ଏହିପରି ଭାବରେ ଧରିରଖିଥିଲା ଯେ ସହଜରେ ଧରାଶାୟୀ ହେବାର କୌଣସି ସମ୍ଭାବନା ନଥିଲା ।

ଦେଖିବା ମାତ୍ରେ ବୁଝଗଲା ଯେ ଘର ମାଲିକର ଅବସ୍ଥା ଏକଦା ସ୍ଵଚ୍ଛଳ ଥିଲା; କିନ୍ତୁ ବର୍ତ୍ତମାନ ଭଲ ନୁହେଁ । ତଥାପି ଅଭିଜାତ ରୁଚିର ପରିଚୟ ଚତୁର୍ଦ୍ଦିଗରେ ବର୍ତ୍ତମାନ ସୁଦ୍ଧା ଦେଖାଯାଉଥିଲା ।

ଘରଟି ଆଡ଼କୁ ଚାହିଁ କକୁୟା କହିଲା, “ମୋର ମନେହୁଏ ଏହି ଘରେ ଆମେ ଆମ ସୁଖର ସନ୍ଧାନ ପାଇବା ।”

କିଉୟୀ କହିଲା, “ଚାଲ ! ଥରେ ଦେଖାଯାଉ ଚେଷ୍ଟା କରି ।”

କିନ୍ତୁ ଏହି ଘରଟାରେ ପ୍ରବେଶର ପରିଣାମ ସୁଖକର ହେଲାନି ଆଦୌ । ଘରର କର୍ତ୍ତା ସେତେବେଳେ ଘରେ ନଥିଲେ । ଗୃହକର୍ତ୍ତ୍ରୀ ମହାସମାଦରରେ ସେମାନଙ୍କୁ ନେଇ ବସାଇଲେ । ଏଣୁ ତେଣୁ କଥାବାର୍ତ୍ତା କରୁ କରୁ କକୁୟା ବୋତଲଟି କଥା ପକାଇ ଦେଲା ।

ବୋତଲ ସମ୍ପର୍କରେ ସବୁକଥା ଶୁଣିଲେ ଭଦ୍ରମହିଳା । ଶୁଣି ହୋ–ହୋ କରି ହସି ଉଠିଲେ, “ଓ ! ଆପଣ ବୋଧହୁଏ ଥଟ୍ଟା କରୁଛନ୍ତି । ଚାରି ସେଣ୍ଟାଇମ୍ ଖରଚ କରି ଗୋଟାଏ ବୋତଲ କିଣିଲେ ଆମେ ଅଗାଧ ଧନ ସଂପତ୍ତିର ମାଲିକ ହେବୁ ? କ’ଣ କହୁଛନ୍ତି ଆପଣ ! ଆରବ୍ୟ ଉପନ୍ୟାସର ଯୁଗ ଫେରିଆସିଲା କି ଆଉ ? ଆପଣ ବରଂ ଅନ୍ୟ କଥା କହନ୍ତୁ ।”

ଭଦ୍ରମହିଳାଙ୍କୁ ବୁଝାଇବା ପାଇଁ ଯଥେଷ୍ଟ ଚେଷ୍ଟାକଲା କକୁୟା ; କିନ୍ତୁ ତା କଥାରେ କାନ ଦେଲେନି ଭଦ୍ରମହିଳା । ସେ ଭାବିଲେ ନିଶ୍ଚୟ ୟା ମୁଣ୍ଡରେ କିଛି ଗୋଳମାଳ ଅଛି । ନହେଲେ କି କେବେ ଶୁଣିଛ ଗୋଟିଏ ବୋତଲ ପାଖରେ ଯାହା ଚାହିଁବ ତାହା ମିଳିବ ? କ’ଣ ଆଲାଉଦ୍ଦୀନର ଆଶ୍ଚର୍ଯ୍ୟ ଦୀପ ?

ସୁତରାଂ ଭଗ୍ନ ମନୋରଥରେ ଫେରିବାକୁ ହେଲା ଉଭୟଙ୍କୁ ।

ତାହିତିରେ ସୁଖଲାଭ ସେମାନଙ୍କ ଭାଗ୍ୟରେ ଘାରିଲା ନାହିଁ । ଯେଉଁମାନେ ବୋତଲ କଥା ଶୁଣିଲେ ସମସ୍ତେ ହସରେ ଉଡ଼ାଇ ଦେଲେ ।

କେହି କେହି ଅବଶ୍ୟ ବୋତଲଟିକୁ ଦେଖିବାକୁ ଚାହିଁଲେ । କିନ୍ତୁ ବୋତଲ ଭିତରର ସେହି ଘନ ଅନ୍ଧକାର କଳାଛାଇ ଦେଖି ଭୟରେ କେହି ହେଲେ କିଣିବାକୁ ରାଜି ହେଲେନି । ସ୍ଵଇଚ୍ଛାରେ କିଏ ନରକକୁ ଯିବାକୁ ଚାହେଁ ? ଯଦି କୌଣସି ପ୍ରକାରେ ବୋତଲଟା ବିକ୍ରି କରାନଯାଇପାରେ, ତାହାହେଲେ ଶୟତାନ ଆସି ବୋତଲ ମାଲିକର ଆତ୍ମାକୁ ଦଖଲ କରିବ । ନାହିଁରେ ବାବା; ଏ ବୋତଲ ଆମର ଦରକାର ନାହିଁ ।

ଏହିପରି ପ୍ରତ୍ୟେକଙ୍କଠାରୁ ନିରାଶ ହୋଇ ଫେରିଲେ ସେମାନେ । ବୋତଲ ବିକ୍ରି ତ ଦୂରର କଥା, କ୍ରମଶଃ ସେମାନେ ସେମାନଙ୍କର ସମ୍ମାନ ମଧ୍ୟ ହରାଇ ବସିଲେ ।

କିଛି ଦିନ ପରେ ଏପରି ଅବସ୍ଥା ଉପସ୍ଥିତ ହେଲା ଯେ ସେମାନଙ୍କୁ ଦେଖିବାକ୍ଷଣି ରାସ୍ତାର ଲୋକେ କୁହାକୁହି ହେବାକୁ ଲାଗିଲେ, ‘‘ଶୁଣିଛ, ଏଇ ଲୋକଟି ଆଉ ଏଇ ସ୍ତ୍ରୀ ଲୋକଟି ସୟତାନ ସହିତ କାରବାର କରନ୍ତି l ଏମାନେ ନିଶ୍ଚୟ ଭଲଲୋକ ନୁହନ୍ତି l’’

Image

 

ଚଉଦ

 

ମରୀଚିକା ପଛରେ ଘୂରି ଘୂରି କ୍ଳାନ୍ତ ହୋଇଗଲେ କିଉୟୀ ଓ କୁକୁୟା । ବୁଲି ବୁଲି ହଇରାଣ ହୋଇ ଶେଷରେ ମଣିଷ ଯେତେବେଳେ ମୂମୂର୍ଷ ହୋଇପଡ଼େ ସେତେବେଳେ ସେ ବୁଝିପାରେ ଯେ ମୃଗତୃଷ୍ଣା ପଛରେ ଦୌଡ଼ି କୌଣସି ଲାଭ ନାହିଁ ।

 

ପ୍ରକୃତରେ କିଛି ଲାଭ ନାହିଁ; ବରଂ ଦିନ ପରେ ଦିନ ମାନ-ସମ୍ମାନ ଯାହା କିଛି ଥିଲା, ତାହା ମଧ୍ୟ ଯିବାକୁ ବସିଲାଣି ।

 

କିନ୍ତୁ କଣ କରିପାରିବେ ସେମାନେ ?

 

ଦିନରାତି ବିମର୍ଷ ହୋଇ ବୋତଲଟି ଧରି ବସିଥାଏ କିଉୟୀ । ଅନାଇ ଦେଖେ ବୋତଲ ଭିତରେ ଅନ୍ଧକାର ଛାୟାଟି ଉଦ୍ଦାମ ନୃତ୍ୟରେ ଅଥୟ ହୋଇଉଠୁଛି ।

 

ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା କିଉୟୀ । ଖାଇପାରେ ନାହିଁ କିଛି, ଶୋଇପାରେ ନାହିଁ ଟିକିଏହେଲେ । କେବଳ ଦିନରାତି ଚିତ୍କାର କରିଉଠେ ଆତଙ୍କରେ ।

 

କ୍ରମଶଃ କିଉୟୀ ଯେତେ ଅନିବାର୍ଯ୍ୟ ମୃତ୍ୟୁ ଆଡ଼କୁ ଆଗେଇ ଯାଉଥାଏ, କକୁୟା ସେତେ ବେଶି ଅନୁଭବ କରେ ଯେ ତାର ସ୍ୱାମୀର ଏଇ ଅବସ୍ଥା ପାଇଁ ସେ ନିଜେ ହିଁ ଦାୟୀ । ସେ ଭାବେ ଏହା ମୋର ଦୋଷ । ମୋତେ ବିବାହ କରିବା ପାଇଁ ସେ ଏହି ଅସହ୍ୟ ଯନ୍ତ୍ରଣା ସହ୍ୟ କରିଛନ୍ତି । ମୋ ପାଇଁ ତାଙ୍କର ଆତ୍ମାକୁ ସେ ଏହି ନରକର ଭୂତ ପାଖରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।

 

କ୍ରମଶଃ କକୁୟାର ଅନ୍ତର ଛାଇହୋଇଯାଏ କଳାମେଘରେ । ସେ ଭାବି ଭାବି କୂଳକିନାରା ପାଏ ନାହିଁ । କଣ କରିପାରିବ ସେ ? କିଛି ତାର କରିବାର କ୍ଷମତା ନାହିଁ । ତା’ହେଲେ ବସି ବସି ସେ କଣ ଦେଖିବ ତାର ସ୍ୱାମୀ କିପରି କ୍ରମଶଃ ମୃତ୍ୟୁପଥରେ ଆଗେଇ ଚାଲିଛି?

 

ନା ନା, ତା ହୋଇ ନପାରେ । ଗୋଟାଏ କିଛି ତାକୁ କରିବାକୁ ହେବ । କିନ୍ତୁ ସେ କଣ କରିବ ତାହା ଠିକ୍ କରିପାରୁନି;

 

ତାହାହେଲେ ବୋତଲଟାକୁ ସେ ନିଜେ କିଣିନେଇ କିଉୟୀକୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବ; କିନ୍ତୁ କିଉୟୀ କେବେହେଲେ ତାକୁ ବୋତଲଟିକୁ ବିକ୍ରି କରିବାକୁ ରାଜି ହେବନାହିଁ । ସୁତରାଂ ଅନ୍ୟ କୌଣସି ବାଟ ତାକୁ କରିବାକୁ ହେବ । ଯେପରି ଭାବରେ ହେଉ ସ୍ୱାମୀକୁ ସେ ଉଦ୍ଧାର କରିବ ଏହି ଭୂତର କବଳରୁ ।

 

ସେଦିନ ରାତିରେ ବହୁ ଦିନ ପରେ କିଉୟୀ ଯେତେବେଳେ ଟିକିଏ ଶୋଇପଡ଼ିଛି, ସେତେବେଳେ କକୁୟା ଅତି ସନ୍ତର୍ପଣରେ ବିଛଣାରୁ ଉଠିଲା । ଖୁବ୍ ଧୀରେ ଧୀରେ ଘର ବାହାରକୁ ଆସି ଠିଆହେଲା, ତାପରେ ବାହାରିପଡ଼ିଲା ରାସ୍ତାକୁ ।

 

ଟିକିଏ ଆଗେଇ ଚାଲିଲା କକୁୟା ଦେଖିଲା, ଗୋଟିଏ ବୁଢ଼ା ସାମନାରେ ଗଛ ତଳେ ବସି ପାଇପ୍ ଟାଣୁଛି ।

 

କକୁୟା ତାକୁ କହିଲା-“ଆମେ ଦୁହେଁ ପରସ୍ପର ଅପରିଚିତ; ତଥାପି ମୁଁ ସବିନୟେ ପଚାରୁଛି, ଆପଣ କଣ ଜଣେ ଦୁର୍ଦ୍ଦଶାଗ୍ରସ୍ତ ତରୁଣୀକୁ ସାହାର୍ଯ୍ୟ କରିପାରିବେ ?”

 

“କି ସାହାର୍ଯ୍ୟ ?”

 

“ବିଶେଷ କିଛି ନୁହେଁ, ଖାଲି ଗୋଟିଏ ବୋତଲ ଆପଣଙ୍କୁ କିଣିଆଣିବାକୁ ହେବ ।”

 

ଏ କଥା ଶୁଣି ଚମକି ଉଠିଲା ଲୋକଟି । ତାପରେ କହିଲା–“ବୋତଲ ? ତୁମେ କ’ଣ ସେହି ଡାକିନୀ, ଯିଏ ଶୟତାନର ବୋତଲଟି ବିକ୍ରି କରିବାକୁ ଚାହେଁ ?”

 

କକୁୟା ବୁଝିପାରିଲା, ସେହି ବୋତଲଟା କଥା ବୁଢ଼ା ବି ଜାଣେ । ତାପରେ ସେ କାନ୍ଦି କାନ୍ଦି ସବୁ କଥା ଖୋଲି କହିଦେଲା ବୃଦ୍ଧଙ୍କୁ ।

 

ବୃଦ୍ଧଙ୍କର ମନ ସମବେଦନାରେ ଭରିଉଠିଲା । ସେ କକୁୟା ହାତରୁ ଚାରିଗୋଟି ସେଣ୍ଟାଇମ୍ ନେଇ ବୋତଲ କିଣି ଆଣିବା ନିମନ୍ତେ ଗଲେ ।

 

କିଛି ସମୟ ପରେ ବୃଦ୍ଧ ସେହି ନରକର ଭୟାବହ ବୋତଲଟି ଧରି ଆସି ପହଞ୍ଚିଲା କକୁୟା ପାଖରେ ।

 

ବୃଦ୍ଧଙ୍କୁ ଦେଖି କକୁୟା ପଚାରିଲା, “ସିଏ କିଛି ବୁଝିପାରି ନାହାନ୍ତି ତ ?”

 

“ନା ।” ବୃଦ୍ଧ ମୁଣ୍ଡ ହଲାଇଲେ । “ନିଃସନ୍ଦେହରେ ତୁମର ସ୍ୱାମୀ ମୋତେ ବୋତଲଟି ବିକ୍ରି କରିଦେଇଛନ୍ତି ।”

 

କକୁୟା କହିଲା, “ଆପଣଙ୍କର କିଛି କାମନା ଥିଲେ ବୋତଲଟି ପାଖରେ ଚାହିଁପାରନ୍ତି । ଅନ୍ତତଃ ବର୍ତ୍ତମାନ ମୂହୂର୍ତ୍ତକ ପାଇଁ ଭୂତଟି ତ ଆପଣଙ୍କର ହୁକୁମ ପାଳନ କରିବ ।”

 

“ନାହିଁ ଲୋ ଝିଅ !” ଏହା କହି ସେ ତିନି ସେଣ୍ଟାଇମରେ ବୋତଲଟି କକୁୟାକୁ ବିକ୍ରି କରିଦେଇ ଅନ୍ଧକାରରେ ଅଦୃଶ୍ୟ ହୋଇଗଲେ ।

 

ବୃଦ୍ଧ ଚାଲିଯିବା ପରେ କକୁୟା ଶୁଣିବାକୁ ପାଇଲା, ତା କାନରେ କିଏ ଯେପରି ହା-ହା କରି ଅଟ୍ଟହାସ୍ୟ କରିଉଠିଲା । ଭୟରେ ତାର ଚକ୍ଷୁ ମୁଦ୍ରିତ ହୋଇଗଲା; କିନ୍ତୁ ତାର ମନେହେଲା ଯେପରି ଏକ ଭୀଷଣ ଅଟ୍ଟହାସରେ ତାର ଚାରିପାଖ କମ୍ପି ଉଠୁଛି । କେଉଁଠୁ ଆସୁଛି ସେହି ଅଟ୍ଟହାସ୍ୟ ? ନରକର ଅନ୍ଧକାରରୁ କି ? ଅଥଚ ନିରୋଳା ରାତ୍ରିର ନିର୍ଜନ ପ୍ରହର ସେତେବେଳେ ଏକବାରେ ସ୍ତବ୍ଧ ।

 

କକୁୟା ଏତେବେଳେକୁ ଭଲଭାବରେ ବୁଝିପାରିଲା, କିଉୟୀ କାହିଁକି ରହି ରହି ଚିତ୍କାର କରିଉଠେ ଆତଙ୍କରେ ।

Image

 

ପନ୍ଦର

 

ସକାଳର ସୁନେଲି ଆଲୋକରେ ନିଦ ଭାଙ୍ଗିଗଲା କିଉୟୀର । ପ୍ରଥମେ ଭୟରେ ଟେବୁଲ ଆଡ଼କୁ ଚାହିଁଲା ସେ । ନା, ପ୍ରକୃତରେ ବୋତଲଟା ନାହିଁ । ତାହାହେଲେ ଏତେ ଦିନ ଆପଦ ବିଦାୟ ନେଇଯାଇଛି । ଆନନ୍ଦରେ ଉଚ୍ଛ୍ୱସିତ ହୋଇଉଠିଲା ସେ । ସଙ୍ଗେ ସଙ୍ଗେ ସେ ଦୌଡ଼ିଗଲା କକୁୟା ନିକଟକୁ, କହିଲା–“ସୁସମ୍ବାଦ” ।

 

ବୋତଲର ମାଲିକ ହେବା ସଙ୍ଗେ ସଙ୍ଗେ କକୁୟା ହୃଦୟ ଯନ୍ତ୍ରଣାର ଯେ ମାଲିକ ହୋଇଯାଇଛି, ଆନନ୍ଦର ଆତିଶଯ୍ୟରେ ତାହା ବୁଝିପାରିଲାନି କିଉୟୀ ।

 

ମନର ଆନନ୍ଦରେ ସେ କହିଗଲା ବୋତଲ ବିକ୍ରିର କାହାଣୀ । ଅବଶେଷରେ କହିଲା-“ବୋତଲଟା ନେଇ ବୁଢ଼ା ଅନ୍ଧକାରରେ ଅଦୃଶ୍ୟ ହୋଇଯିବା ପରେ ମୁଁ ବିଶ୍ୱାସ କରିପାରିଲିନି, ଏହା ସ୍ୱପ୍ନ ନା ସତ୍ୟ ! କିନ୍ତୁ ଗୋଟିଏ ଘଟଣାରେ ଅବାକ୍ ହେଉଛି ମୁଁ । ବୁଢ଼ା ତ କବରଖାନା ଆଡ଼କୁ ଗୋଡ଼ ବଢ଼ାଇଛି...ମରିବା ଆଗରୁ ଏହି ଅଭିଶପ୍ତ ବୋତଲଟି ପୁଣି କାହିଁକି କିଣିବାକୁ ଗଲା ସେ ? ଗଧଟାଏ ନା କଣ?”

 

ଶୁଷ୍କ କଣ୍ଠରେ ଜବାବ ଦେଲା କକୁୟା, “ହୁଏତ ଗଧ ବୋଲି ମନେହୋଇପାରେ, କିନ୍ତୁ ପ୍ରକୃତରେ ସେ ମୂର୍ଖ ନୁହେଁ । ତାର ଉଦ୍ଦେଶ୍ୟ ସାଧୁ ବି ହୋଇପାରେ ।”

 

କିଉୟୀ କହିଲା, “ତା ପାଖରୁ କେହି ଯଦି ବୋତଲଟା କିଣିଥାଏ, ତାହାହେଲେ ନିଶ୍ଚୟ ତିନି ସେଣ୍ଟାଇମରେ କିଣିଛି । ୟାପରେ ଦୁଇ ସେଣ୍ଟାଇମରେ ବୋତଲ ବିକ୍ରି କରିବା ଅସମ୍ଭବ । କିନ୍ତୁ ଯିଏ ବୋତଲର ମାଲିକ ହେଉନା କାହିଁକି, ବୋତଲର ଭୂତ ତାକୁ ନରକର ଅଗ୍ନିରେ ନିକ୍ଷେପ କରିଦେବ ।”

 

ତା କଥା ଶୁଣି କକୁୟାର ମୁହଁ ଆତଙ୍କରେ ପାଣ୍ଡୁର ହୋଇଗଲା । ଯେଉଁ ଆତଙ୍କରୁ ଏଇମାତ୍ର ମୁକ୍ତି ପାଇଛି କିଉୟୀ, ସେହି ଆତଙ୍କର ଚିହ୍ନ ଫୁଟିଉଠିଲା କକୁୟା ମୁହଁରେ; କିନ୍ତୁ ତାହା ଲକ୍ଷ୍ୟ କରିପାରିଲାନି କିଉୟୀ ।

 

ସେ ଉଚ୍ଛ୍ୱସିତ କଣ୍ଠରେ କହିଲା, “ଆଉ କିଛି ଭୟ ନାହିଁ ଆମ ଦୁହିଁଙ୍କର । ପ୍ରାଣ ଖୋଲି ଆନନ୍ଦ କରାଯାଇ ପାରିବ ଏଥର । ତା’ପରେ ହନଲୁଲୁଗାମୀ ପ୍ରଥମ ଜାହାଜରେ ଦେଶକୁ ଫେରିବା ।

 

ବୁଲିବାକୁ ଯାଇ ଦିନଟିଏ ନଷ୍ଟ କରିବାକୁ ଚାହିଁଲାନି କକୁୟା । ବୋତଲଟି ବିକ୍ରି କରିବାର ଏକମାତ୍ର ଆଶା ଏହି ତାହିତିରେ । ସମସ୍ତ ଆଶା ଭରସା ଏକଦମ୍ ନଷ୍ଟ ହୋଇଯିବ ହାୱାଇ ଦ୍ୱୀପକୁ ଫେରିଲେ । ସେଠାରେ ପେନସଠାରୁ କମ୍ ମୁଦ୍ରା ନାହିଁ ।

 

କକୁୟାକୁ ଚୁପରହିବା ଦେଖି କିଉୟୀ ଅବାକ୍ ହୋଇ ପଚାରିଲା, “ଘଟଣା କ’ଣ ? କଥା କହୁନାହଁ କାହିଁକି ?”

 

“ମୋର ଦେହଟା ଆଜି ଭଲ ନାହିଁ । ମୁଁ ଆଜି ବସାରେ ଟିକିଏ ବିଶ୍ରାମ ନିଏ । ତୁମେ ବରଂ ସହରକୁ ଏକା ଯାଅ ।”

 

ଉଦବିଗ୍ନ ହୋଇ କିଉୟୀ ପଚାରିଲା, “ସତେ, ଖୁବ୍ ଅସୁସ୍ଥ ବୋଧକରୁଛ ? ତା’ହେଲେ ଡାକ୍ତର ଡାକିବି କି ?”

 

“ନା ନା” କକୁୟା ମୁଣ୍ଡ ହଲାଇଲା... ‘‘ସେମିତି କିଛି ନାହିଁ । ଏଇ କେତେ ଦିନ ପରିଶ୍ରମରେ ଟିକିଏ କ୍ଳାନ୍ତି ବୋଧକରୁଛି । ମୋ ପାଇଁ କିଛି ଚିନ୍ତା କରନା । ନିଶ୍ଚିନ୍ତ ମନରେ ତୁମେ ସହରକୁ ଯାଇପାର ।”

 

ଅନେକ ଦିନ ପରେ ପ୍ରାଣ ଖୋଲି ଆନନ୍ଦ କରିବାର ସୁଯୋଗ ପାଇ କିଉୟୀ ଆଉ କିଛି ଦ୍ୱିରୁକ୍ତି କଲାନି । ସେ ଏକାକୀ ସହରକୁ ଚାଲିଗଲା ।

 

ସେତେବେଳେ ମଧ୍ୟରାତ୍ରି ।

 

ଦିନଟା ସାରା ସହରରେ ଆନନ୍ଦରେ କଟାଇ ଘୋଡ଼ାଗାଡ଼ିରେ ବସି ଘରକୁ ଫେରିଲା କିଉୟୀ । ସାଙ୍ଗରେ ତାର ଥିଲା ଗୋଟିଏ ବଦସ୍ୱଭାବର ଲୋକ, ଯାହା ସହିତ ତାର ପରିଚୟ ହୋଇଥିଲା ହୋଟେଲରେ । ସେ ମୋଟେ କିଉୟୀର ସାଙ୍ଗ ଛାଡ଼ିଲାନି । ଗାଡ଼ିରେ ଚଢ଼ିଲାବେଳେ ଲୋକଟି ମଧ୍ୟ ତା ସହିତ ଉଠିଲା ।

 

କିଉୟୀ ବୁଝିପାରିଲା, କିଛି ପଇସାପତ୍ର ନ ଦେଇ ଏହା ହାତରୁ ମୁକ୍ତି ପାଇବାର ସମ୍ଭାବନା ନାହିଁ; କିନ୍ତୁ ପକେଟରେ ହାତ ପୂରାଇ ଗୋଟିଏ ହେଲେ ପଇସା ପାଇପାଇଲାନି । ସେ ଯେତେ ଟଙ୍କା ସାଙ୍ଗରେ ନେଇଥିଲା, ସବୁ ଖରଚ ହୋଇଯାଇଛି । ସେ କହିଲା, “ମୋ ପାଖରେ ଏବେ କିଛି ନାହିଁ ।”

 

ଲୋକଟି ତଥାପି ପିଛା ଛାଡ଼ିଲାନି, ଗାଡ଼ିରୁ ଆଦୌ ଓହ୍ଳାଇଲାନି । ସମଗ୍ର ରାସ୍ତାରେ କର୍କଶ ସ୍ୱରରେ ବେତାଳିଆ ଗୀତ ଗାଇ ଗାଇ ଲୋକଟା ତାକୁ ବଡ଼ ହରକତ କଲା । ଘରପାଖରେ ପହଞ୍ଚି କିଉୟୀ ଯେତେବେଳେ ଗାଡ଼ି ଅଟକାଇଲା, ସେତେବେଳେ ଲୋକଟା ହଠାତ୍ ତାକୁ କହିଲା, “ତୁମ ପାଖରେ କୁଆଡ଼େ ଗୋଟିଏ ଯାଦୁ ବୋତଲ ଅଛି ?” ସେହି ବୋତଲ ନିକଟରେ ଯାହା ଚାହିଁବ ତାହା ମିଳିବ ? କହ, ସେହି ବୋତଲ ବଦଳରେ କେତେ ବୋତଲ ମଦ ଆଉ କେତେ ଟଙ୍କା ମୁଁ ଦେବି ?”

 

କିଉୟୀ ହସି ହସି କହିଲା, “ସେ ବୋତଲଟା ଆଉ ମୋ ପାଖରେ ନାହିଁ । ମୁକ୍ତି ପାଇଛି ମୁଁ ଶୟତାନ କବଳରୁ । ଟଙ୍କା ପାଇଁ ତୁମେ ଚିନ୍ତା କରନି । ଘରକୁ ଯାଇ ମୁଁ ଟଙ୍କା ନେଇ ଆସିବି ।”

 

ଲୋକଟିକୁ ଗାଡ଼ିରେ ବସାଇରଖି କିଉୟୀ ଫାଟକ ଖୋଲି ଘର ଭିତରକୁ ପଶିଲା ।

 

କକୁୟାର ଦେହ ଭଲ ନାହିଁ । ତାକୁ ବିରକ୍ତ କରିବା ଠିକ୍ ହେବନି । ଏହା ଭାବି ସେ ପାଦ ଚିପି ଚିପି ବାରଣ୍ଡାରେ ଆସି ଠିଆହେଲା ।

 

ଘରର ଦରଜା ଖୋଲା । କିଉୟୀ ଅବାକ୍ ହେଲା । ଏତେ ରାତିରେ ଦରଜା ଖୋଲା କାହିଁକି ? ଧୀରେ ଧୀରେ ଆଗେଇଗଲା କିଉୟୀ । ଦରଜା ନିକଟରେ ଛିଡ଼ା ହୋଇ ଦେଖିଲା-କକୁୟା ଗୋଟିଏ ଚୌକି ଉପରେ ବସି କଇକଇଁ ହୋଇ କାନ୍ଦୁଛି । ଆଉ...ଆଉ ତା କୋଳରେ ସେଇଟା କଣ ?

 

ଭୟାର୍ତ୍ତ ନୟନରେ ଚାହିଁରହିଲା କିଉୟୀ ।

 

କକୁୟାର କୋଳରେ ନରକର ସେହି ବୋତଲଟା !

 

ପ୍ରଥମେ ସେ ଭାବିଲା, ବୋତଲଭୂତ ନିଶ୍ଚୟ ତା ନିକଟକୁ ଫେରିଆସିଛି ; କିନ୍ତୁ ଯେତେବେଳେ ସେ କକୁୟାର ମୁହଁରେ ଆତଙ୍କର ଚିହ୍ନ ଦେଖିବାକୁ ପାଇଲା, ସେତେବେଳେ ସେ ବୁଝିପାରିଲା ଯେ କୌଣସି ଏକ କୌଶଳରେ କକୁୟା ତା’ ବଦଳରେ ନିଜର ଆତ୍ମାକୁ ଶୟତାନ ନିକଟରେ ବିକ୍ରି କରିଦେଇଛି ।

 

ତା ମୁଣ୍ଡରେ ଯେପରି ବଜ୍ରାଘାତ ହେଲା ।

 

“କିପରି ମୁଁ କୁକୁୟାକୁ ବଞ୍ଚାଇବି ବର୍ତ୍ତମାନ ?”–କିଉୟୀ ଭାବିବାକୁ ଲାଗିଲା ।

 

ହଠାତ୍ ତା ମୁଣ୍ଡରେ ଢୁକିଲା ଗୋଟିଏ ବୁଦ୍ଧି । ସେ ଧୀରେ ଧୀରେ ବାରଣ୍ଡାରୁ ଓହ୍ଳାଇ ଠିଆହୋଇଥିବା ଗାଡ଼ି ଆଡ଼କୁ ଚାଲିଲା ।

 

ତାକୁ ଫେରିଆସିବା ଦେଖି ଜାହାଜୀଟି ପ୍ରଶ୍ନ କଲା, “ଖବର କଣ ? ଏତେ ଶୀଘ୍ର ଫେରିଆସିଲ ଯେ ? ଟଙ୍କା ଆଣିଛ ?”

 

ତାକୁ ନୀରବରେ ରହିବାକୁ ଇଶାରା ଦେଇ କିଉୟୀ କହିଲା, ଆଣିନି ।” ତା’ପରେ ଗାଡ଼ି ଉପରକୁ ଉଠି ଘୋଡ଼ା ପିଠିରେ ଚାବୁକ ମାରିଲା ସେ ।

 

ଟିକିଏ ଦୂରକୁ ଯାଇ ଯେତେବେଳେ ଗୋଟିଏ ନିରୋଳା ଜାଗାରେ ଆସି ପହଞ୍ଚିଲା ଗାଡ଼ିଟି, କିଉୟୀ ଗାଡ଼ି ରଖି ଜାଜାଜୀଟି ଆଗରେ ସବୁକଥା କହିଗଲା, “ଶୁଣ ! ମୋ ସ୍ତ୍ରୀ ପାଖରେ ବୋତଲଟା ଅଛି । ଯେତେବେଳେଯାଏ ସେହି ବୋତଲଟାକୁ ପୁନରୁଦ୍ଧାର କରା ନ ଯାଇଛି, ସେତେବେଳଯାଏ ପଇସାପତ୍ର ଯୋଗାଡ଼ କରିପାରୁନି ।”

 

ଜାହାଜୀଟି କହିଲା, “ଏ କଣ ଭାଇ ଥଟ୍ଟା କରିବା ସମୟ ?”

 

“ମୋତେ ଦେଖି କଣ ମନେହେଉଛି ଯେ ମୁଁ ତୁମ ସହିତ ଥଟ୍ଟା କରୁଛି ?”

 

ଜାହାଜୀଟି ତା ମୁହଁ ଆଡ଼କୁ ଚାହିଁ କହିଲା, “ତୁମକୁ ଭୂତ ପରି ଗମ୍ଭୀର ହେବାର ଦେଖାଯାଉଛି ।”

 

କିଉୟୀ ଜାହାଜୀ ହାତରେ ଦୁଇଟି ସେଣ୍ଟାଇମ୍ ଦେଇ କହିଲା “ଏହି ଦୁଇ ସେଣ୍ଟାଇମ୍ ଦେଇ ମୋ ସ୍ତ୍ରୀ ପାଖରୁ ବୋତଲଟି କିଣି ନେଇଆସ । ଭୁଲରେ ମଧ୍ୟ କହିବ ନାହିଁ ଯେ ମୁଁ ତୁମକୁ ପଠାଇଛି । ବୋତଲଟା ଆଣି ମୋ ସହିତ ଏଠାରେ ଦେଖାକରିବ । ମୁଁ ଏକ ସେଣ୍ଟାଇମ୍ ଦେଇ ତୁମଠାରୁ ବୋତଲଟା କିଣିନେବି ।”

 

ଜାହାଜୀଟି ବାହାରିପଡ଼ିଲା ।

 

କିଉୟୀ ଭାବିଲା, “ଯାହାହେଉ କକୁୟାକୁ ନିଷ୍କୃତି ଦେଲି ନରକ କବଳରୁ ।”

 

ୟାଠାରୁ ବଡ଼ ଆତ୍ମହତ୍ୟା କଣ ଆଉ ହୋଇପାରେ ? ଥରେ ଯଦି ଏକ ସେଣ୍ଟାଇମ ଦେଇ ବୋତଲଟା କିଣିନିଏ କିଉୟୀ, ତେହେଲେ ଆଉ ବିକ୍ରି କରିବାର ପ୍ରଶ୍ନ ଉଠିବ ନାହିଁ । କାରଣ ତା ତଳକୁ ଆଉ କୌଣସି ମୁଦ୍ରା ନାହିଁ । ତାର ମାନେ....

 

ତାର ମାନେ କିଉୟୀ ମିଜକୁ ଯୁଗଯୁଗାନ୍ତର ପାଇଁ ନରକର ଅଭିଶପ୍ତ ଯନ୍ତ୍ରଣାରେ ନିକ୍ଷେପ କଲା । ଏହି ଚୂଡ଼ାନ୍ତ ପରିଣତିଠାରୁ ରକ୍ଷା ପାଇବାର ଆଉ କୌଣସି ଉପାୟ ନାହିଁ ।

 

କ୍ରମଶଃ ସମୟ ଗଡ଼ିଚାଲିଲା । ଅନେକ ସମୟ କଟିଗଲା; କିନ୍ତୁ ଜାହାଜୀଟିର ପ୍ରତ୍ୟାବର୍ତ୍ତନର କୌଣସି ସୂଚନା ମିଳିଲା ନାହିଁ ।

 

ବାରମ୍ବାର ହାତଘଣ୍ଟାକୁ ଦେଖି ଦେଖି କିଉୟୀ ଭାବିଲା, “ଘଟଣା କଣ ? କିଛି ଗଣ୍ଡଗୋଳ ହୋଇନାହିଁ ତ ? କକୁୟା କ’ଣ ଫନ୍ଦିଟି ବୁଝିପାରି ବୋତଲ ବିକ୍ରି କରିବାକୁ ରାଜି ହୋଇନି ?”

 

ଆସ୍ତେ ଆସ୍ତେ ଆହୁରି କିଛି ସମୟ କଟିଗଲା; କିନ୍ତୁ ଜାହାଜୀଟିର ତଥାପି ଦେଖାନାହିଁ ।

 

ଅସ୍ଥିରଭାବେ ପଦଚାରଣ କରିବାକୁ ଲାଗିଲା କିଉୟୀ ।

 

ହଠାତ୍ ଏକ ମାତାଲ ଗୀତର ସୁରରେ ଚମକିଉଠିଲା କିଉୟୀ ।

 

ଜାହାଜୀଟି ନିଶ୍ଚୟ ବାଟରେ କେଉଁଠି ମଦ ପିଇଛି ; ନେହେଲେ ଏପରି ସୁର ଲମ୍ବାନ୍ତା କାହିଁକି ? ତା’ହେଲେ ଜଣାପଡ଼ୁଛି ସେ ସେହି ବୋତଲଟି ନିଶ୍ଚୟ କିଣିଛି ।” ଭାବିଲା କିଉୟୀ ।”

 

ତାପରେ ଢଳି ଢଳି ଆସି ପହଞ୍ଚିଲା ଜାହାଜୀଟି ।

 

ଉଦଗ୍ରୀବ କଣ୍ଠରେ କିଉୟୀ ପଚାରିଲା, “ବୋତଲଟି କିଣି ଆଣିଛ ତ ?”

 

“ହଁ”–ବୋତଲଟି ଟେକି ଦେଖାଇଦେଲା ଜାହାଜୀ ।

 

ତାପରେ ହସ ହସ ମୁହଁରେ ସେ କହିଲା, “ମୁଁ ଯେମିତି ଗିଲାସେ ମଦ ମାଗିଛି, ଉପରୁ ଗିଲାସେ ମଦ ଆସି ମୋ ହାତରେ ଥୁଆ ।”

 

କିଉୟୀ ବୋତଲଟାକୁ ନେବା ପାଇଁ ଆଗେଇବାରୁ ମାତାଲ ଜାହାଜୀଟା ବୋତଲ ଉଞ୍ଚାଇ ଚିତ୍କାର କରି କହିଲା, “ଆଉ ଟିକିଏ ଆଗେଇଲେ ତୁମ ମୁଣ୍ଡ ମୁଁ ଛତୁ କରଦେବି । ହଁ, ମୋ ସହିତ ଫାଜିଲାମି ! ତୁମେ ଭାବିଥିଲ ମୋ ଜରିଆରେ ବୋତଲଟା ତୁମ ହାତକୁ ନେଇଯିବ; କିନ୍ତୁ ମନେରଖ, ତୁମଠାରୁ ଆରକ ଚାଲାକ୍ ମୁଁ ।”

 

ଅବାକ୍ ହୋଇ ପଚାରିଲା କିଉୟୀ, “ତାର ମାନେ ?”

 

“ମାନେ ପୁଣି କଣ ? ବୋତଲଟା ଆଦୌ ଦେବିନି ତୁମକୁ । ଆଉ ଏକ ସେଣ୍ଟାଇମ୍ ଦେଇ ତୁମେ କିଣିପାରିବନି ଭାଇ ! ମୁଁ ଏତେ ଶସ୍ତାରେ ବୋତଲଟି ମୋ ହାତରୁ ଛାଡ଼ିଦେବି ?”

 

“କିନ୍ତୁ ବୋତଲର ମାଲିକକୁ ଅନନ୍ତ କାଳ ନରକଯନ୍ତ୍ରଣା ଭୋଗ କରିବାକୁ ହେବ ।” ତାକୁ ଏହା ବୁଝାଇବାକୁ ଚେଷ୍ଟାକଲା କିଉୟୀ ।

 

“ମୋତେ ବୋକା ଠଉରେଇଛ, ନୁହେଁ ?” ଅନ୍ଧକାର ରାସ୍ତା ଦେଇ ଚାଲି ଯାଉ ଯାଉ ଜାହାଜୀଟି କହିଲା, “ଏସବୁ ବାଜେ କଥା କହନି । ବୋତଲଟା ବର୍ତ୍ତମାନ ମୋର, ତୁମକୁ ଆଦୌ ଦେବିନି । ତୁମର ଦରକାର ଥିଲେ ତୁମେ ନରକରୁ ଆଉ ଗୋଟିଏ ବୋତଲ କିଣି ଆଣିପାରେ ।”

 

କର୍କଶ କଣ୍ଠରେ ମାତାଲୀ-ସଙ୍ଗୀତର ସୁରରେ ରାତିର ଅନ୍ଧକାରକୁ ମନ୍ଥନ କରି ଧୀରେ ଧୀରେ ଅଦୃଶ୍ୟ ହୋଇଗଲା ଜାହାଜୀଟି ବୋତଲ ନେଇ ।

 

ତା ଆଡ଼କୁ ନିର୍ବାକ୍ ଭାବରେ ଚାହିଁରହିଲା କିଉୟୀ ।

 

ତାପରେ କିଉୟୀ ଓ କକୁୟା ସୁଖରେ ଦିନାତିପାତ କରିବାକୁ ଲାଗିଲେ ।

 

କିନ୍ତୁ ମାତାଲ ଜାହାଜୀଟା ?

Image